ରେପୋ ରେଟ୍ ବଢାଇଲେ ରିଜର୍ଭ ବ୍ୟାଙ୍କ, ଲୋନ୍ ଉପରେ ପଡିବ ପ୍ରଭାବ


ଭାରତୀୟ ରିଜର୍ଭ ବ୍ୟାଙ୍କର ମୌଦ୍ରିକ ନୀତି ବୈଠକ ଶେଷ ହୋଇଛି । ବୁଧବାରଠୁ ଚାଲିଥିବା ଏହି ବୈଠକର ଶେଷ ଦିନରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନୂଆ ରେପୋ ରେଟ୍ ଜାରି କରିଛନ୍ତି । ଚଳିତ ଥର ରେପୋ ରେଟ୍ ୦.୫୦ ପ୍ରତିଶତ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି । ଫଳରେ ରେପୋ ରେଟ୍ ୪.୯୦ରୁ ବୃଦ୍ଧି ପାଇ ୫.୪୦ରେ ପହଁଚିଛି । ଏପରି ଭାବେ ଗତ ୪ ମାସରେ ରେପୋ ରେଟ୍ ୧.୪୦ ପ୍ରତିଶତ ବଢିଛି । ଏହାର ପ୍ରଭାବ ବିଭିନ୍ନ ଲୋନ୍ ଉପରେ ପଡିବ ।

ଚାରି ମାସରେ ତୃତୀୟ ଥର ବୃଦ୍ଧି

ଦେଶରେ ଦରଦାମ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଆରବିଆଇ ରେପୋ ରେଟରେ ମଧ୍ୟ ବୃଦ୍ଧି କରିଛି । ଗତ ମେ ମାସରେ ବସିଥିବା ବେଠକରେ ରେପୋ ରେଟ୍ ୦.୪୦ ପ୍ରତିଶତ ବଢିଥିଲା । ଏହାପରେ ଜୁନରେ ପୁଣି ବଢିଥିଲା । ତେବେ ମେ ମାସ ପୂର୍ବରୁ ଗତ ଦୁଇବର୍ଷ ହେଲା ରେପୋ ରେଟ୍ ୪ ପ୍ରତିଶତ ରହିଥିଲା । ପରେ ବୃଦ୍ଧି ପାଇ ୪.୪୦ ପ୍ରତିଶତରେ ପହଁଚିଥିଲା । କ୍ରମଶଃ ଏହା ବୃଦ୍ଧି ପାଇ ଏବେ ୫.୪ ପ୍ରତିଶତରେ ପହଁଚିଛି ।

ଏହି କାରଣରୁ ବଢିଲା ରେପୋ ରେଟ୍

ଦେଶରେ ଦରଦାମ ବୃଦ୍ଧି ଧିରେଧିରେ କାବୁ ହେବାରେ ଲାଗିଛି । କିନ୍ତୁ ଅନ୍ୟ ଦିଗରେ ଆମେରିକାକେ ମାନ୍ଦାବସ୍ଥା ପାଇଁ ସୁଧଦର ବଢିଛି । ବ୍ୟାଙ୍କ ଅଫ୍ ଇଂଲଣ୍ଡ ମଧ୍ୟ ସୁଧ ହାର ୨୭ ବର୍ଷରେ ସବୁଠୁ ଅଧିକ ବୃଦ୍ଧି କରିଛି । ପୂର୍ବରୁ ଅନେକ ବିଶେଷଜ୍ଞ ଆରବିଆଇ ରେପୋ ରେଟ୍ ୦.୩୫ରୁ ୦.୫୦ ପ୍ରତିଶତ ବଢାଇବ ବୋଲି ଅନୁମାନ ଲଗାଇଥିଲେ ।

ଦରଦାମ ବୃଦ୍ଧିରୁ ନିସ୍ତାର ନାହିଁ

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ସାରା ବିଶ୍ୱରେ ମାନ୍ଦାବସ୍ଥା ଓ ଦରଦାମ୍ ବୃଦ୍ଧି ରେକର୍ଡ ସ୍ତରରେ ରହିଛି । ଭାରତ ମଧ୍ୟ ଏହାର ସାମ୍ନା କରୁଛି । ଜୁନରୁ ଖୁଚୁରା ଦରଦାମ୍ ବୃଦ୍ଧି ଆରବିଆଇ ଆକଳନଠୁ ଅଧିକ ରହୁଛି । ତୈଳ ଦର, ୟୁକ୍ରେନ୍ ଯୁଦ୍ଧ ଆଦି କାରଣରୁ ଦାମ୍ ବଢୁଛି ।


Share It

Comments are closed.