ଏହି କାରଣ ଯୋଗୁଁ ବିରାଟ ଏସିଆ କପରେ ଖେଳିନଥିଲେ : ରବି ଶାସ୍ତ୍ରୀ


ଭାରତ ସପ୍ତମ ଥର ପାଇଁ ଏସିଆ କପ ଚାମ୍ପିଆନ ହୋଇଛି । ଏଇ ଥର ଏସିଆ କପରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଖେଳିନଥିଲେ । ତାଙ୍କୁ ଚଳିତ ଏସିଆ କପରେ ବିଶ୍ରାମ ଦିଆଯାଇଥିଲା । ସେଥିପାଇଁ ଭାରତୀୟ କ୍ରିକେଟ ଟିମର କୋଚ ରବି ଶାସ୍ତ୍ରୀ ଏହି ରହସ୍ୟ ଉପରୁ ପରଦା ଉଠାଇବା ସହ ବିରାଟ କୋହଲିଙ୍କୁ କାହିଁକି ବିଶ୍ରାମ ଦିଆଗଲା ସେ ସଂପର୍କରେ ମଧ୍ୟ କହିଛନ୍ତି ।
ରବି ଶାସ୍ତ୍ରୀ ଏକ ସାକ୍ଷାତକାର ମାଧ୍ୟମରେ କହିଥିଲେ ଯେ, “ବିରାଟ କୋହଲିଙ୍କୁ ଏହି ବିଶ୍ରାମର ନିହାତି ଆବଶ୍ୟକ ଥିଲା । ସେ ଶକ୍ତିରେ ଏକ ଷଣ୍ଡ ସହ ସମାନ ଏଥିରି କୌଣସି ସନ୍ଦେହ ନାହିଁ । ସେଥିପାଇଁ ତାଙ୍କୁ କେହି ପଡିଆ ବାହାରେ ବସାଇପାରିବେ ନାହିଁ । ବିରାଟ ଖେଳୁଥିବା ମ୍ୟାଚରେ ରୌମାଞ୍ଚକ ବହୁତ ଅଲଗା ପ୍ରକାର ହୋଇଥାଏ । ତାଙ୍କୁ ଦିଆଯାଇଥିବା ବିଶ୍ରାମ ହେଉଛି ଏକ ମାନସିକ ବିଶ୍ରାମ ।”
ସେ ଏହା ମଧ୍ୟ କହିଛନ୍ତି ଯେ, “ଇଂଲଣ୍ଡ ବିପକ୍ଷରେ ଭାରତର ଦୀର୍ଘ ୨ମାସରୁ ଉର୍ଦ୍ଧ ଗସ୍ତ ଯୋଗୁଁ ବିରାଟଙ୍କୁ ଏହି ମାନସିକ ବିଶ୍ରାମ ନିହାତି ଆବଶ୍ୟକ ଥିଲା । ଏହି ବିଶ୍ରାମ ସମସ୍ତ ଖେଳାଳୀ ଉପରେ ମଧ୍ୟ ଲାଗୁ କରାଯାଇଥାଏ କାରଣ ଏହି ବିଶ୍ରାମ ପରେ ଯେତେବେଳେ ଖେଳାଳୀ ପୁଣି ଥରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ତେବେ ସେମାନେ ପୁରା ଅଲଗା ଅନ୍ଦାଜରେ ଫେରିଥାନ୍ତି ।”
ପ୍ରକାଶ ଥାଉକି, ଇଂଲଣ୍ଡ ବିପକ୍ଷରେ ଭାରତ ୧-୪ରେ ପରାସ୍ତ ହୋଇଥିଲା,  ଯାହା ଫଳରେ ବିରାଟଙ୍କୁ ଚଳିତ ଏସିଆ କପରେ ବିଶ୍ରାମ ଦିଆଯାଇ ରୋହିତ ଶର୍ମା ଅଧିନାୟକତ୍ୱକୁ ହସ୍ତାନ୍ତର କରାଯାଇଥିଲା । କାଲି ଠାରୁ ଭାରତ ୱେଷ୍ଟେଣ୍ଡିଜ ସହ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ଏଥିପାଇଁ ଚୟନ ହୋଇଥିବା ୧୫ ଜଣ ଖେଳାଳୀଙ୍କ ନାମ ଘୋଷଣା ମଧ୍ୟ ସରିଛି । ଏହି ସିରିଜରେ ରୋହିତ ଶର୍ମା, ଶିଖର ଧାୱାନ, ଭୁବନେଶ୍ୱର କୁମାର ଏବଂ ବୁମରାହଙ୍କୁ ବିଶ୍ରାମ ଦିଆଯାଇଛି ।


Share It

Comments are closed.