କପିଲ୍‌ ଦେବଙ୍କ ସମାଲୋଚନାକୁ ନେଇ ଜବାବ ରଖିଲେ ପୂର୍ବତନ କୋଚ୍‌ ରବି ଶାସ୍ତ୍ରି


ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ପ୍ରଦର୍ଶନ ନୈରାଶ୍ୟ ଜନକ ରହିଥିଲା । ବିରାଟ କୋହଲିଙ୍କ ନେତୃତ୍ୱରେ ଦଳ ସୁପର ୧୨ ଷ୍ଟେଜ୍‌ରୁ ଆଗକୁ ବଢ଼ିପାରି ନଥିଲା । ପାକିସ୍ତାନ ଏବଂ ନ୍ୟୁଜ୍‌ଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତର ପ୍ରଦର୍ଶନକୁ ନେଇ ଦେଶରେ କ୍ରିକେଟ୍‌ ପ୍ରେମୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା । ୱାର୍ଲ୍ଡକପ୍‌ରେ ଭାରତର ଯାତ୍ରା ସମାପ୍ତ ହେବା ପରେ ଦଳର ଖରାପ ଖେଳକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଛି । ଆଇପିଏଲ୍‌କୁ ଏଥିପାଇଁ ଦାୟୀ କରିଥିଲେ କ୍ରିକେଟ୍‌ ପ୍ରେମୀ ।

ଏହାକୁ ନେଇ ପୂର୍ବ କ୍ୟାପ୍ଟେନ୍‌ କପିଲ୍‌ ଦେବ ମଧ୍ୟ ସମାଲୋଚନା କରିବାକୁ ପଛାଇ ନଥିଲେ । ସେ ଦଳର ପ୍ରଦର୍ଶନ ଉପରେ ଟିପ୍ପଣୀ ଦେଇ କହିଥିଲେ ଯେ, ଭାରତୀୟ ଖେଳାଳୀ ଦେଶର ଇଜ୍ଜତ ଠାରୁ ଆଇପିଏଲ୍‌କୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଯାହାକୁ ନେଇ ଭାରତର ପୂର୍ବ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ଜବାବ ରଖିଛନ୍ତି ।

ଇଣ୍ଡିଆ ଟୁଡେ ସହ ଆଲୋଚନା ବେଳେ ରବି ଶାସ୍ତ୍ରୀ ଆଇପିଏଲ୍‌ ଆଗେ ନା ଦେଶ ଆଗେ ପ୍ରଶ୍ନର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ, ଏହାକୁ ନେଇ କୌଣସି ପ୍ରଶ୍ନ ଉଠିବା ଅନୁଚିତ୍‌ । ଯଦି ସେପରି ହୋଇଥାନ୍ତା ତେବେ ପୂର୍ବ ୫ ବର୍ଷରେ ଏପରି ପ୍ରଦର୍ଶନ ଭାରତୀୟ ଟିମ୍‌ କରିନଥାନ୍ତା । କୌଣସି ଖେଳାଳୀ ବୋକା ନୁହନ୍ତି ଯେ, ଦେଶ ଅପେକ୍ଷା ଫ୍ରାଞ୍ଚାଇଜ୍‌ ଦଳକୁ ଗୁରୁତ୍ୱ ଦେବେ । ସେମାନେ ଭାରତ ପାଇଁ ଖେଳୁଛନ୍ତି ।

ପୂର୍ବରୁ ରବି ଶାସ୍ତ୍ରୀ ସଙ୍କେତ ଦେଇଛନ୍ତି ଯେ, ବିରାଟ କୋହଲି ଟି-୨୦ ପରି ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ ପଦ ମଧ୍ୟ ଛାଡି ପାରନ୍ତି । ବିରାଟଙ୍କୁ ନେଇ ସେ କହିଛନ୍ତି, ବହୁତ ସଫଳ ଖେଳାଳି ନିଜର ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଅଧିନାୟକ ପଦ ଛାଡିଛନ୍ତି। ଏମିତି କଲେ କ୍ରିକେଟ୍‌ରେ ଅଧିକ ରନ କରିବାର ଭୋକ ଅଧିକ ରହିଥାଏ। ସେମିତିରେ ବି କୋହଲିଙ୍କଠାରେ ରନ କରିବାର ଭୋକ ବହୁତ ଅଧିକ ରହିଛି। ସେ ଦଳରେ କୌଣସି ଖେଳାଳିଙ୍କଠୁ ବି ଅଧିକ ଫିଟ୍। କେଉଁ ଫର୍ମାଟରେ ସେ ଦଳର ନେତୃତ୍ଵ ନେବେ ତାହା କୋହଲିଙ୍କ ଉପରେ ନିର୍ଭର କରେ।


Share It

Comments are closed.