‘ବ୍ରହ୍ମାସ୍ତ୍ର’ ପାଇଁ ମାର୍ସାଲ୍ ଆର୍ଟ ଶିଖୁଛନ୍ତି ରଣବୀର


ସିନେ ପରଦାରେ ଆକ୍ସନ୍ ଷ୍ଟାର୍ ଭାବେ ଦେଖିବାକୁ ପାଇବେ ଆପଣ ରଣବୀର କପୁରଙ୍କୁ । ଆଜ୍ଞା ହଁ, କଥାଟି ଅଜବ ଲାଗୁଥିଲେ ମଧ୍ୟ ସତ । ସବୁବେଳେ କମେଡ଼ି ଓ ଲଭ୍ ସିନ୍ କରିଆସୁଥିବା ରଣବୀର ପ୍ରଥମ ଥର ପାଇଁ ଆକ୍ସନ୍ ସିନେମାରେ ନଜରରେ ଆସିବେ । ଆୟନ ମୂଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ରଣବୀର ଲିଡ୍ ହିରୋ ଭାବେ ନଜରରେ ଆସୁଛନ୍ତି । ଏହି ଫିଲ୍ମର ପ୍ରଥମ ଭାଗ ବୁଲଗେରିଆରେ ସୁଟିଂ ହୋଇଛି । ଏହାର ପରବର୍ତ୍ତୀ ସୁଟ୍ ରହିଛି ଲଣ୍ଡନରେ । ସୁଟ୍ ପୂର୍ବରୁ ରଣବୀର ସେଠାରେ ରହି ମାର୍ସଲ୍ ଆର୍ଟ୍ ଶିଖୁଛନ୍ତି, ଯାହାର ଆବଶ୍ୟକତା ଫିଲ୍ମରେ ରହିଛି । ଏହି ଫିଲ୍ମ ପାଇଁ କଲରିପୟତ୍ତୁ ଓ ବର୍ମା କଲୈ ନାମକ ମାର୍ସାଲ୍ ଆର୍ଟର ଦୁଇଟି କଳା ବ୍ୟବହାର କରାଯିବ, ଯାହାକୁ ୧୯୯୬ ମସିହାରେ କମଲ ହାସନ୍ ତାଙ୍କ ଫିଲ୍ମ ହିନ୍ଦୁସ୍ତାନୀରେ ପ୍ରଦର୍ଶନ କରିଥିଲେ । ସେ ତାଙ୍କ ଫିଲ୍ମର ଦ୍ୱିତୀୟ ସୁଟ୍ ପୂର୍ବରୁ ଏହି ଦୁଇଟି କଳାକୁ ଶିଖୁଛନ୍ତି । ‘ବ୍ରହ୍ମାସ୍ତ୍ର’ରେ ତାଙ୍କ ସହିତ ଲିଡିଂ ଆକ୍ଟ୍ରେସ୍ ଭାବେ ନଜରରେ ଆସୁଛନ୍ତି ଆଲିଆ ଭଟ୍ଟ । ରଣବୀରଙ୍କ ଆକ୍ସନ୍ ସିନ୍ ଦେଖିବା ପାଇଁ ତାଙ୍କର ଫ୍ୟାନ୍ମାନେ ଖୁବ୍ ଉତ୍ସାହିତ । ତେବେ ଦେଖାଯାଉ ରଣବୀରଙ୍କୁ ପ୍ରଥମ ଥର ପାଇଁ ମିଳିଥିବା ଏପରି ଭୂମିକାକୁ ସେ କିପରି ଲିଭାଇ ପାରୁଛନ୍ତି ।


Share It

Comments are closed.