ଆରପାରିରେ କ୍ରିକେଟ ଜଗତର ଦ୍ରୋଣାଚାର୍ଯ୍ୟ


କ୍ରିକେଟ ଜଗତର ଦ୍ରୋଣାଚାର୍ଯ୍ୟ ‘ରମାକାନ୍ତ ଆଚରେକର’ ଆଉ ନାହାନ୍ତି । ୮୭ ବର୍ଷ ବୟସ୍କ ଏହି ଖ୍ୟାତିନାମା ଗୁରୁ ଗତ କାଲି ନିଜ ମୁମ୍ବାଇସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମ ଯେତେବେଳେ ଆସେ ତେବେ ଆଚରେକରଙ୍କ ନାମ ଆପେ ଆପେ ଯୋଡି ହୋଇଯାଏ । ସଚିନଙ୍କର ଖ୍ୟାତି ଏବଂ ଯଶ ଅର୍ଜନର ପାର୍ଶ୍ଚାତରେ ଆଚରେକରଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ।
ବୟସାଧିକ ଯୋଗୁଁ କିଛି ବର୍ଷ ଧରି ଆଚରେକର ଅସୁସ୍ଥ ଥିଲେ । ଠିକ ସେ ବି ଚଲାବୁଲା ମଧ୍ୟ କରିପାରୁନଥିଲେ । ସେଥିପାଇଁ ସେ ହ୍ୱିଲ ଚେୟାରର ସାହାରା ନେଉଥିଲେ ।
ସଚିନଙ୍କ କ୍ୟାରିୟର ଗଢିବାରେ ଆଚରେକରଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ପରେ ସଚିନଙ୍କ ସଫଳତା ହିଁ ତାଙ୍କ ପାଇଁ ଶ୍ରେଷ୍ଠ ଗୁରୁ ଦକ୍ଷିଣା ଥିଲା । ସେବେଠୁ ସଚିନ-ଆଚରେକରଙ୍କ ଗୁରୁ-ଶିଷ୍ୟ ସଂପର୍କ ବିଶ୍ୱରେ ବେଶ ଚର୍ଚ୍ଚାରେ ରହିଥିଲା । ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସବୁବେଳେ ସଚିନ ଆଚରେକରଙ୍କ ଆର୍ଶୀବାଦ ନେଇଥାନ୍ତି ।
ଗୁରୁ ଆଚରେକରଙ୍କ କ୍ୟାରିୟରରେ ବହୁ ଆନ୍ତର୍ଜାତିକ କ୍ରିକେଟର ବାହାରି ଥିଲେ । ସେମାନଙ୍କ ମଧ୍ୟରେ ରହିଛନ୍ତି ସଚିନ ତେନ୍ଦୁଲକର, ବିନୋଦ କାମ୍ବଲୀ, ଅଜିତ ଅଗରକର, ଚନ୍ଦ୍ରକାନ୍ତ ପଣ୍ଡିତ, ପରବିନ ଆମରେ । କ୍ରିକେଟ ଏବଂ କୋଚିଂ ପ୍ରତି ଆଚରେକର ତାଙ୍କ ଜୀବନକୁ ସଂପୂର୍ଣ୍ଣ ଭାବେ ଉର୍ତ୍ସଗୀକୃତ କରିଥିଲେ । ସେ ୧୯୩୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୪୩ରୁ କ୍ଲବ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ଏବଂ ୧୯୪୬ରେ ସେ ଏକମାତ୍ର ଗୋଟିଏ ପ୍ରଥମ ଶ୍ରେଣୀ କ୍ରିକେଟ ହାଇଦ୍ରାବାଦ ବିପକ୍ଷରେ ଖେଳିଥିଲେ । ୧୯୯୦ରେ ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ୨୦୧୦ରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ସେ ବର୍ଷ ତାଙ୍କୁ ଲାଇଭ ଟାଇମ ଆଚିଭେମଣ୍ଟ ଆୱାର୍ଡ ମଧ୍ୟ ମିଳିଥିଲା । ତାଙ୍କ ଜୀବନକୁ ନେଇ ପ୍ରାମାଣିକ ଚଳଚିତ୍ର ଏବଂ ପୁସ୍ତକ ମଧ୍ୟ ରଚିତ ହୋଇଥିଲା ।


Share It

Comments are closed.