ରାଜକୀୟ ସମ୍ମାନ ସହ ହେବ ଦିବଂଗତ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର


ଆଜି ଦିବଂଗତ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହ କରାଯିବ। ପାଟନା ଦିଘା ସ୍ଥିତ ଜନାର୍ଦନ ଘାଟରେ ରାମବିଳାସ ପାଶୱାନଙ୍କୁ ଅନ୍ତିମ ବିଦାୟ ଦିଆଯିବ। ସ୍ୱର୍ଗୀୟ ମନ୍ତ୍ରୀଙ୍କ ପୁତ୍ର ଚିରାଗ ପାଶୱାନ ମୁଖାଗ୍ନି ଦେବେ। ସକାଳ ୮ଟା ରେ ସ୍ୱର୍ଗୀୟ ପାଶୱାନଙ୍କ ପାର୍ଥିବ ଶରୀର ଅନ୍ତିମ ଦର୍ଶନ ପାଇଁ ବୋରିଂ ରୋଡ଼ ଏସକେ ପୁରୀ ସ୍ଥିତ ବାସଭବନରେ ରଖାଯାଇଥିଲା। ଶବ ଯାତ୍ରା ସକାଳ ୧୧ଟା ରୁ ଆରମ୍ଭ ହୋଇଛି। ରାଜକୀୟ ସମ୍ମାନ ସହ ଅପରାହ୍ନ ସାଢେ ଗୋଟେ ସମୟରେ ଅନ୍ତିମ ସଂସ୍କାର କରାଯିବ। ଏହା ପୂର୍ବରୁ ଶୁକ୍ରବାର ଦିନ ସନ୍ଧ୍ୟା ୭ଟା ପରେ ସ୍ୱର୍ଗୀୟ ରାମବିଳାସ ପାଶୱାନଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀରୁ ପାଟନା ଅଣାଯାଇଥିଲା। ପାଟନା ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ଅନେକ ନେତା ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସେଠାରୁ ତାଙ୍କ ପାର୍ଥିବ ଶରୀରକୁ ବିଧାନସଭାକୁ ନିଆଯାଇଥିଲା। ଏହାପରେ ତାଙ୍କ ପାର୍ଥିବ ଶରୀରକୁ ପାଟନା ଦଳ କାର୍ଯ୍ୟାଳୟକୁ ନିଆଯାଇଥିଲା। ଦଳ କାର୍ଯ୍ୟାଳୟରେ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଚିରାଗ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ। ତାଙ୍କ ସହ ସେଠାରେ ଉପସ୍ଥିତ ଅନ୍ୟ ନେତାମାନେ ମଧ୍ୟ କାନ୍ଦି ପକାଇଥିଲେ।
ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ନିଧନ ହୋଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥା କିଛି ଦିନ ହେଲା ଲଗାତାର ବିଗିଡ଼ିବାରେ ଲାଗିଥିଲା। ଅକ୍ଟୋବର ୩ ତାରିଖରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅପରେସନ ମଧ୍ୟ ହୋଇଥିଲା। ଅଗଷ୍ଟ ୨୪ ତାରିଖରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା। ଗତ କିଛି ସପ୍ତାହ ହେଲା ସେ ହସ୍ପିଟାଲରେ ଭର୍ତ୍ତି ଥିଲେ।


Share It

Comments are closed.