କପିଲଙ୍କ ପରେ ଏବେ RLD ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ରାଜ୍ୟସଭା ପଠାଇବ ସମାଜବାଦୀ ପାର୍ଟି


ସମାଜବାଦୀ ପାର୍ଟି ପକ୍ଷରୁ ବଡ ଘୋଷଣା କରାଯାଇଛି । ପ୍ରଥମେ କପିଲ ଶିବଲଙ୍କୁ ରାଜ୍ୟସଭା ଟିକେଟ ଦେଇ ମାଷ୍ଟର କାର୍ଡ ଖେଳିଥିବା ସପା ଏବେ ରାଷ୍ଟ୍ରୀୟ ଲୋକଦଳ ଅଧ୍ୟକ୍ଷ ଜୟନ୍ତ ଚୌଧୁରୀଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି । ଟ୍ୱିଟ କରି ଏ ନେଇ ସୂଚନା ଦେଇଛି ସମାଜବାଦୀ ପାର୍ଟି । ସାମଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକଦଳ ପକ୍ଷରୁ ସଂଯୁକ୍ତ ପ୍ରାର୍ଥୀ ହୋଇଛନ୍ତି ଜୟନ୍ତ ଚୌଧୁରୀ ।

ଜୟନ୍ତ ଚୌଧୁରୀଙ୍କ ପୂର୍ବରୁ ବୁଧବାର କପିଲ ଶିବଲ ଏବଂ ଜାଭେଦ ଅଲ୍ଲୀ ଖାନ ରାଜ୍ୟସଭା ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୨୦୧୪ ମସିହାରୁ ୨୦୨୦ ଯାଏଁ ସପା ପକ୍ଷରୁ ରାଜ୍ୟସଭା ସାଂସଦ ରହସାରିଥିବା ୫୯ ବର୍ଷୀୟ ଜାଭେଦ ଖାନ ବରିଷ୍ଠ ନେତା ରାମଗୋପାଳ ଯାଦବ ଏବଂ ଅମ୍ବିକା ଚୌଧୁରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ।

ଉତ୍ତରପ୍ରଦେଶର ମୋଟ ୪୦୩ ବିଧାନସଭା ଆସନ ମଧ୍ୟରୁ ବିଜେପିର ୨୫୫ ଏବଂ ସହଯୋଗୀ ଦଳ ମିଶାଇ ମୋଟ ୨୭୩ ଜଣ ବିଧାୟକ ରହିଛନ୍ତି । ସେହି ହିସାବରେ ଦଳ ମୋଟ ୧୧ଟି ରାଜ୍ୟସଭା ସିଟ୍‌ ମଧ୍ୟରୁ ୮ଜଣଙ୍କୁ ସହଜରେ ବିଜୟୀ କରାଇପାରିବ । ଅନ୍ୟପଟେ ସମାଜବାଦୀ ପାର୍ଟି ଏବଂ ତାହାର ସହଯୋଗୀ ଦଳଙ୍କ ନିକଟରେ ମୋଟ ୧୨୫ ଜଣ ବିଧାୟକ ରହିଛନ୍ତି । ତେଣୁ ସପା ପକ୍ଷରୁ ୩ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜୟୀ କରାଇବାର କ୍ଷମତା ରହିଛି ।

 


Share It

Comments are closed.