ରାଜେନ୍ଦ୍ର ମହାବିଦ୍ୟାଳୟକୁ ୟୁଜିସିର ବିଶ୍ୱବିଦ୍ୟାଳୟ ମାନ୍ୟତା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ – ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର – ପଶ୍ଚିମ ଓଡ଼ିଶାର ପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ମହାବିଦ୍ୟାଳୟକୁ ୟୁଜିସି ଅଧିନିୟମ ୧୯୫୬, ଧାରା ୨(ଏଫ୍) ଅନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ଆଜି ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଏହା ନିଶ୍ଚିତ ଭାବରେ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନୂଆ ଶିକ୍ଷା ନୀତିରେ ଉଲ୍ଲେଖ ଥିବା ଗୁଣାତ୍ମକ ଶିକ୍ଷା ଉପଲବ୍ଧି କରିବ ବୋଲି ଆଶା କରୁଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆବଶ୍ୟକୀୟ ତଥ୍ୟ ପ୍ରଦାନ କଲେ ୟୁଜିସି ଅଧିନିୟମ ୧୯୫୬ ର ଧାରା ୧୨(ବି)ରେ ଖୁବ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ । ଏହା ବିଶ୍ୱବିଦ୍ୟାଳୟର ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ସହାୟକ ହେବ ।
ବିଶ୍ୱବିଦ୍ୟାଳୟ ମାନ୍ୟତାକୁ ନେଇ ଗଣମାଧ୍ୟମରୁ ଜାଣିବା ସହ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ରାଜ୍ୟସଭା ସାଂସଦ ସୁବାସ ଚନ୍ଦ୍ର ସିଂହ, ମୁଜିବୁଲା ଖାନ, ମମତା ମହାନ୍ତ ଏବଂ ପୂର୍ବତନ ସାଂସଦ କଳିକେଶ ସିଂହଦେଓ ଏ ନେଇ ଅବଗତ କରାଇଥିଲେ । ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ୟୁଜିସି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।


Share It

Comments are closed.