ହାଥରସ ଯିବା ସମୟରେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି, ତଳେ ଗଳିପଡିଲେ ରାହୁଲ, ଭିଡିଓ ଭାଇରାଲ


ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ କଂଗ୍ରେସର ଆକ୍ରୋଶ ସଡକରେ ଦେଖିବାକୁ ମିଳିଛି । ପୀଡିତାଙ୍କ ପରିବାରକୁ ଭେଟିବାକୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଆଜି ହାଥରସ ଯାଇଛନ୍ତି । ଯମୁନା ଏକ୍ସପ୍ରେସୱେରେ ଯେତେବେଳେ ପୋଲିସ ତାଙ୍କୁ ରୋକିଥିଲା । ପୋଲିସ ରୋକିବା ପରେ ଉଭୟ ରାହୁଲ ଓ ପ୍ରିୟଙ୍କା ନିଜ ନିଜ ଗାଡିରୁ ଓହ୍ଲାଇ ଚାଲି ଚାଲି ହାଥରସ ଯିବାକୁ ବାହାରିଲେ । ଚାଲିଚାଲି ଯାଉଥିବା ସମୟରେ ରାହୁଲ ଗାନ୍ଧୀଙ୍କର ଏକ ଫଟୋ ଭାଇରାଲ ହୋଇଛି । ଚାଲି ଚାଲି ଯାଉଥିବା ସମୟରେ ରାହୁଲ ତଳେ ପଡ଼ିଯାଇଥିବା ଦେଖିବାକୁ ମିଳିଛି । ଏହାପରେ ତାଙ୍କ ସୁରକ୍ଷାରେ ଥିବା ଯବାନ ତାଙ୍କୁ ଉଠାଇ ଥିଲେ ।

ତେବେ ରାହୁଲ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କୁ ଧକ୍କା ଦେଇଥିଲା ଓ ଲାଠିରେ ବାଡ଼େଇଥିଲା । ରାହୁଲ ଗାନ୍ଧୀ ଗଣମାଧ୍ୟମ ସହ କଥାବାର୍ତ୍ତାରେ କହିଛନ୍ତି ଯେ, ପୋଲିସ ତାଙ୍କୁ ଧକ୍କା ମାରିଛି, ଲାଠିରେ ମଧ୍ୟ ମାରିଛି ଓ ତଳେ ପକାଇଦେଇଛି । ଏହାପରେ ସେ ପ୍ରଶ୍ନ କରିଛନ୍ତି ଯେ, ଦେଶରେ କଣ କେବଳ ମୋଦିଜୀଙ୍କର ଚାଲିବାର ଅଧିକାର ଅଛି ? ଆମଭଳି ସାଧାରଣ କଣ ଚାଲି ପରିବେନାହିଁ ? ଆମ ଗାଡିକୁ ରୋକି ଦିଆଯାଇଥିଲା ସେଥିପାଇଁ ଆମେ ଚାଲି ଚାଲି ଯାଉଛୁ ।

ଅପରପକ୍ଷରେ ମାମଲାକୁ ବିଜେପି ଡ୍ରାମା ବୋଲି କହିଛି । ବିଜେପି ପ୍ରବକ୍ତା ଚନ୍ଦ୍ରମୋହନ କହିଛନ୍ତି ‘ଦୁଇ ଭାଇ ଭଉଣୀ ରାଜନୀତି ରୁଟି ସେକିବାକୁ ରାସ୍ତାରେ ଡ୍ରାମା କରୁଛନ୍ତି । ଯେତେବେଳେ ତାଙ୍କୁ ସୂଚନା ଦିଆଯାଇଥିଲା ଯେ ଧାରା ୧୪୪ ଲାଗୁ କରାଯାଇଛି ତାହେଲେ ସେମାନେ କାହିଁକି ନିୟମ ପାଳନ କରୁନାହାନ୍ତି । କେବଳ ରାଜନୀତି ପାଇଁ ଏହି ଡ୍ରାମା ହଉଚି ।’


Share It

Comments are closed.