କଳ୍ପନା ଜଳ୍ପନାର ଘଟିଲା ଅନ୍ତ, ଭାରତୀୟ ଦଳର ମୁଖ୍ୟ କୋଚ ହେବେ ଦ୍ରାବିଡ


ରାହୁଲ ଦ୍ରାବିଡ଼ ହେବେ ଟିମ୍ ଇଣ୍ଡିଆର ହେଡ୍ କୋଚ୍। ଭାରତୀୟ ସିନିୟର ଟିମ୍‌ର କୋଚ୍ ହେବା ପାଇଁ ରାହୁଲ ଦ୍ରାବିଡ଼ ସହମତ ହୋଇଛନ୍ତି। କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ)ର ସୂତ୍ରରୁ ଏହି ସୂଚନା ମିଳିଛି । ଶୁକ୍ରବାର ଆଇପିଏଲ୍ ଫାଇନାଲ୍ ସମୟରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହ, ଦ୍ରାବିଡଙ୍କ ସହ ଏସମ୍ପର୍କରେ ଆଲୋଚନା କରିଥିଲେ। ୟୁଏଇରେ ଟି-୨୦ ବିଶ୍ଵ କପ୍ ସରିବା ପରେ ଭାରତୀୟ କ୍ରିକେଟ୍ ଟିମ୍‌ର କୋଚ୍ ହେବା ପାଇଁ ରାହୁଲ ଦ୍ରାବିଡ ରାଜି ହୋଇଛନ୍ତି। ଏହି କ୍ରମରେ ରବି ଶାସ୍ତ୍ରୀଙ୍କ ଯୁଗର ଅବସାନ ଘଟିବାକୁ ଯାଉଛି।

ରାହୁଲ ଦ୍ରାବିଡ଼ ୨୦୨୩ ଯାଏଁ ଏହି ଚୁକ୍ତି କରିବେ। ଅପର ପକ୍ଷରେ ପାରସ, ମହାମ୍ଵ୍ରେଙ୍କୁ ବୋଲିଂ କୋଚ୍ ଭାବରେ ମନୋନୀତ କରାଯାଇଛି। ଦ୍ରାବିଡ ବର୍ତ୍ତମାନ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ୍ ଏକାଡେମୀର ଅଧ୍ୟକ୍ଷ ଅଛନ୍ତି। ତେବେ ରାହୁଲ ଦ୍ରାବିଡ଼ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ହେବା ନେଇ ବିସିସିଆଇ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ। ଏସମ୍ପର୍କରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ଟପ୍ ଅଧିକାରୀ ଶୁକ୍ରବାର ରାତିରେ ଆଇପିଏଲ୍ ଫାଇନାଲ୍ ମ୍ୟାଚ୍ ସମୟରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ରାହୁଲ ଦ୍ରାବିଡ଼ ଖୁବ୍ ଶୀଘ୍ର ଭାରତୀୟ ଟିମ୍‌ର ହେଡ୍ କୋଚ୍ ହେବେ, ସେ ଖୁବ୍ ଶୀଘ୍ର ଏନସିଏ ଚିଫ୍ ପଦବୀରୁ ଇସ୍ତଫା ଦେବେ।

ଅପର ପକ୍ଷରେ ପାରସ ମହାମ୍ଵ୍ରେଙ୍କୁ ବୋଲିଂ କୋଚ୍ ଭାବରେ ନିଯୁକ୍ତ କରାଯାଇଛି। ସେ ଭରତଙ୍କୁ ରିପ୍ଲେସ୍ କରିବେ। ଫିଲ୍ଡିଂ କୋଚ୍ ଆର. ଶ୍ରୀଧରଙ୍କୁ ରିପ୍ଲେସମେଣ୍ଟ କରିବା ବିଷୟରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସେହିପରି ବିକ୍ରମ ରାଠୌର ବ୍ୟାଟିଂ କୋଚ୍ ରହିବେ।

ବାସ୍ତବରେ, ବର୍ତ୍ତମାନର କୋଚ୍ ରବି ଶାସ୍ତ୍ରୀ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ କାର୍ଯ୍ୟକାଳ ଟି -୨୦ ବିଶ୍ୱକପ ପରେ ଶେଷ ହେବ । ଏଥି ସହିତ ବିରାଟ କୋହଲି ମଧ୍ୟ ଟି -୨୦ ର ଅଧିନାୟକତ୍ୱ ଛାଡିବେ। ଏଭଳି ପରିସ୍ଥିତିରେ ବିଶ୍ୱକପ ପରେ ନ୍ୟୁଜିଲ୍ୟାଣ୍ଡ ସହ ଘରୋଇ ସିରିଜରେ ଦଳର ନେତୃତ୍ୱକୁ ନେଇ ସଙ୍କଟ ବୃଦ୍ଧି ପାଇଛି । ଏହାକୁ ଧ୍ୟାନରେ ରଖି ଭାରତୀୟ ବୋର୍ଡ ନୂତନ ବିକଳ୍ପ ଖୋଜୁଥିଲା।


Share It

Comments are closed.