କୁଇନ୍‌ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ଭାରତରେ ରାଷ୍ଟ୍ରୀୟ ଶୋକ, ଜାତୀୟ ପତାକା ଅର୍ଦ୍ଧନମିତ


କୁଇନ୍‌ ଏଲିଜାବେଥ (ଦ୍ୱିତୀୟ)ଙ୍କ ପରଲୋକରେ ସାରା ବିଶ୍ୱ ଏବେ ଶୋକରେ ଡୁବିରହିଛି । ବ୍ରିଟେନରେ ୧୦ ଦିନିଆ ଶୋକ ପାଳନ କରାଯାଉଥିବା ବେଳେ ଭାରତରେ ମଧ୍ୟ ରବିବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ବ୍ରିଟେନ ମହାରାଣୀଙ୍କ ପରଲୋକରେ ତାଙ୍କୁ ଶେଷ ସମ୍ମାନ ଜଣାଇ ଆଜି ଭାରତର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଅର୍ଦ୍ଧନମିତ କରାଯାଇଛି । ରାଷ୍ଟ୍ରପତି ଭବନ ସମେତ ଲାଲ କିଲ୍ଲାରେ ଭାରତର ଜାତୀୟ ପତାକା ତ୍ରିରଙ୍ଗାକୁ ଅର୍ଦ୍ଧନମିତ କରାଯାଇଛି ।

ଗତ ସେପ୍ଟେମ୍ବର ୮ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ରାଣୀ ଏଲିଜାବେଥ୍‌ (ଦ୍ୱିତୀୟ) । ରାଣୀଙ୍କ ବିୟୋଗରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଥିଲେ । ତେଣୁ କୁଇନ୍‌ ଏଲିଜାବେଥଙ୍କ ସମ୍ମାନରେ ବିଶ୍ୱର ଅନେକ ଦେଶରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଥିଲା । ଭାରତରେ ସେପ୍ଟେମ୍ବର ୧୧, ରବିବାର ଦିନ ରାଷ୍ଟ୍ରୀୟ ଶୋକ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା ।

ଅନ୍ୟପଟେ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେପ୍ଟେମ୍ବର ୧୯ରେ ଓ୍ଵେଷ୍ଟମିନଷ୍ଟର ଏବେରେ କରାଯିବ। ଅନ୍ତିମ ସଂସ୍କାର ପୂର୍ବରୁ ମହାରାଣୀଙ୍କ ପାର୍ଥିବ ଶରୀର ଚାରି ଦିନ ପାଇଁ ଓ୍ଵେଷ୍ଟମିନଷ୍ଟର ହଲ୍‌ରେ ରଖାଯିବ, ଯଦ୍ଵାରା ସାଧାରଣ ଲୋକେ ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଦେଇ ପାରିବେ।


Share It

Comments are closed.