କରୋନାରେ ଆଖି ବୁଜିଲେ ଇମ୍ରାନ ଖାନଙ୍କ ଦଳୀୟ ନେତ୍ରୀ ‘ସାହିନ ରଜା’


ବିଶ୍ୱ ମହାମାରୀ କରୋନା ଭାଇରସକୁ ନେଇ ସାରା ବିଶ୍ୱ ଜର୍ଜରିତ ହେଉଛି । ଭାରତର ପାରମ୍ପାରିକ ଶତ୍ରୁ ପାକିସ୍ତାନ ମଧ୍ୟ କରୋନା ପ୍ରକୋପରୁ ବଞ୍ଚିପାରି ନାହିଁ । ଅନ୍ୟ ଦେଶମାନଙ୍କ ଭଳି ଏଠାରେ ମଧ୍ୟ କରୋନା ଭାଇରସ ଜନିତ ସଂକ୍ରମିତଙ୍କ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ସେପଟେ ବୁଧବାର ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ‘ପିଟିଆଇ’ର ସଦସ୍ୟ ‘ସାହିନ ରଜା’ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି ।
ସେ ପାକିସ୍ତାନ ପଞ୍ଜାବ ପ୍ରାନ୍ତର ବିଧାନସଭା ସଦସ୍ୟ ଥିଲେ । ଦୁଇ ଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ଥିବାର ଜଣାପଡିବା ପରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ତୁରନ୍ତ ଭର୍ତ୍ତି କରାଯାଇଥିଲା । ପାକିସ୍ତାନରେ କରୋନାରେ ମୃତ୍ୟୁବରଣ କରିଥିବା ‘ସାହିନ’ ହେଉଛନ୍ତି ପ୍ରଥମ ଜନପ୍ରତିନିଧି ।
ମିଳିଥିବା ସୂଚନା ମୁତାବକ ସେ ନିକଟ କିଛି ଦିନ ତଳେ ଏକ ହସ୍ପିଟାଲ ଗସ୍ତ କରିଥିଲେ । ସେହି ଠାରୁ ହିଁ ସାହିନ କରୋନାରେ ସଂକ୍ରମିତ ହୋଇଥିବାର ଆଶଙ୍କା କରାଯାଉଛି । ଏହା ପରେ ସାହିନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ଆରମ୍ଭ ହେବା ହେତୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ତାଙ୍କର କୋଭିଜ- ୧୯ ପରୀକ୍ଷା କରାଯାଇଥିବାବେଳେ ସେ କରୋନାରେ ପୀଡିତ ଥିବାର ଜଣାପଡିଥିଲା ।
ଏହା ଜାଣିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଉସମାନ ବୁଜଦର ଶୋକ ବ୍ୟକ୍ତ କରିଛନ୍ତି ।


Share It

Comments are closed.