କଳିଙ୍ଗ ହସପିଟାଲରେ ପ୍ରୋଷ୍ଟେଟ୍ କ୍ୟାନସର କ୍ଲିନିକର ଶୁଭାରମ୍ଭ


ଭାରତର ପୁରୁଷଙ୍କ ମଧ୍ୟରେ ବଢୁଥିବା ପ୍ରୋଷ୍ଟେଟ୍ କ୍ୟାନସର ବାବଦରେ ସଚେତନତା ସୃଷ୍ଟି ଓ ସଠିକ ସମୟରେ ଚିକିତ୍ସା ପାଇଁ ବିଆର ଲାଇଫ୍ କଳିଙ୍ଗ ସୁପର ସ୍ପେଶିଆଲିଟି ହସପିଟାଲ ତରଫରୁ ପ୍ରୋଷ୍ଟେଟ କ୍ୟାନସର କ୍ଲିନିକର ଶୁଭାରମ୍ଭ କରାଯାଇଛି  । ଏହି ଅବସରରେ ହସପିଟାଲ ତରଫରୁ ବରିଷ୍ଠ ନାଗରିକଙ୍କୁ ନେଇ ଏକ ୱାକାଥନର ଆୟୋଜନ ହୋଇଥିଲା । ଯେଉଁଥିରେ ଦେଢଶହରୁ ଅଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ  । ପ୍ରୋଷ୍ଟେଟ୍ କ୍ୟାନସରକୁ ନେଇ ହୋଇଥିବା ଗବେଷଣା ଅନୁସାରେ ୨୦୧୦ ଓ ୨୦୧୫ରେ ଭାରତରେ ଯଥାକ୍ରମେ ପ୍ରୋଷ୍ଟେଟ୍ କ୍ୟାନସର ରୋଗୀଙ୍କ ସଂଖ୍ୟା ଯଥାକ୍ରମେ ୨୬ ହଜାର ଓ ୨୮ ହଜାର  ଥିଲା । ୨୦୨୦ ସୁଧା ଏହି ସଂଖ୍ୟା ଦ୍ୱିଗୁଣ ହେବ ବୋଲି ଅନୁମାନ କରାଯାଉଛି ।
ଏହି ଶୁଭାରମ୍ଭ ଅବସରରେ ପ୍ରୋଷ୍ଟେଟ୍ କ୍ୟାନସରର ଆଗୁଆ ଚିକିତ୍ସା ଉପରେ ଗୁରୁତ୍ୱ ଦେଇ ବିଆର ଲାଇଫ୍ କଳିଙ୍ଗ ହସପିଟାଲର ବରିଷ୍ଠ ୟୁରୋଲୋଜିଷ୍ଟ୍ ଡ. ବିଶ୍ୱଜିତ୍ ନନ୍ଦ କହିଛନ୍ତିଯେ, “ପ୍ରୋଷ୍ଟେଟ୍ କ୍ୟାନସର ଧିମା କ୍ୟାନସର  । ସାଧାରଣତଃ ଏହି ରୋଗ ଶେଷ ସ୍ତରରେ ନପହଞ୍ଚିବା ପର୍ଯ୍ୟନ୍ତ ରୋଗୀ ଆରମ୍ଭରୁ ଏହାର କୌଣସି ବିଶେଷ ଲକ୍ଷଣ ଅନୁଭବ କରିନଥାଏ । ଆମେ ଏଭଳି ଅନେକ ରୋଗୀଙ୍କୁ ଦେଖିଛୁ ଯେଉଁମାନେ ପ୍ରୋଷ୍ଟେଟ୍ କ୍ୟାନସର ଦ୍ୱାରା ପୀଡିତ ବୋଲି ଜାଣିନଥାନ୍ତି । ଥରେ ପ୍ରୋଷ୍ଟେଟ୍ କ୍ୟାନସର ଦୃତଗତିରେ ବଢିବା ଆରମ୍ଭ କରିବା କିମ୍ବା ପ୍ରୋଷ୍ଟେଟ୍ ବାହାରକୁ ବ୍ୟାପିବା ବିପଜ୍ଜନକ ହୋଇଥାଏ । ଯେହେତୁ ପ୍ରାରମ୍ଭିକ ସ୍ତରରେ ଲକ୍ଷଣ ଚିହ୍ନଟ ହୋଇପାରିନଥାଏ, ତେଣୁ ୫୦ ବର୍ଷ ବୟସରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ପ୍ରତିବର୍ଷ ପ୍ରୋଷ୍ଟେଟ୍ କ୍ୟାନସର ଜାଞ୍ଚ ଜରୁରୀ ।”
ଏହି ଅବସରରେ ପ୍ରୋଷ୍ଟେଟ୍ କ୍ୟାନସର କ୍ଲିନିକ୍ର ଆବଶ୍ୟକତା ସମ୍ପର୍କରେ ବିଆର ଲାଇଫ୍ କଳିଙ୍ଗ ହସପିଟାଲ ୟୁନିଟ୍ ହେଡ୍, ଶ୍ରୀ ଭର୍ଗିସ ପି ଜନ୍ ସୂଚନା ଦେଇଥିଲେ । ସେ କହିଥିଲେ ଯେ, “ପ୍ରୋଷ୍ଟେଟ୍ କ୍ୟାନସର ଓ ପ୍ରୋଷ୍ଟେଟ୍ ଗ୍ରନ୍ଥି ରୋଗର ଆଧୁନିକ ତଥା ଗୁଣବତ୍ତା ଚିକିତ୍ସା ଉପରେ ବିଆର ଲାଇଫ୍ କଳିଙ୍ଗ ହସ୍ପିଟାଲର ପ୍ରୋଷ୍ଟେଟ୍ କ୍ୟାନସର କ୍ଲିନିକ୍ ଗୁରୁତ୍ୱ ଦେବ । ପ୍ରୋଷ୍ଟେଟ୍ କ୍ୟାନସରକୁ ନେଇ ଆଗୁଆ ଲକ୍ଷଣ, ବିପଦ ତଥା ଚିହ୍ନଟ ବାବଦରେ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି । ପ୍ରୋଷ୍ଟେଟ୍ କ୍ୟାନସର ଚିକିତ୍ସା କରାଇଥିବା ରୋଗୀଙ୍କ ବଞ୍ଚିବା ହାର ଅଧିକ ଥିବା ଆମେ ଦେଖିଛୁ । ପ୍ରୋଷ୍ଟେଟ୍ କ୍ୟାନସର କ୍ଲିନିକ୍ ଏଭଳି ଏକ ମେଡିକାଲ ୟୁନିଟ୍ ଯାହା ବିଶ୍ୱସ୍ତରୀୟ ଚିକିତ୍ସା ସହ ଅସ୍ତ୍ରୋପଚାରର ସୁବିଧା ଯୋଗାଇଦେବାରେ ଗୁରୁତ୍ୱ ଦେଉଛି । ଏହା ମେଡିକାଲ ଯାଞ୍ଚ ସହ ପ୍ରୋଷ୍ଟେଟ୍ କ୍ୟାନସରର ପ୍ରବନ୍ଧନ ସୁବିଧା ଯୋଗାଇଦେବ । ରୋଗୀଙ୍କ ଆବଶ୍ୟକତା ଅନୁସାରେ ଆଣ୍ଡ୍ରୋଜେନ୍ ଡିପ୍ରାଇଭେସନ ଥେରାପି କିମ୍ବା ସର୍ଜରୀ ରେଡିକାଲ ପ୍ରୋଷ୍ଟେଟକ୍ଟୋମି ଭଳି ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।”
କର୍କଟ ରୋଗ ମଧ୍ୟରେ ପ୍ରୋଷ୍ଟେଟ୍ କ୍ୟାନସର ଏଭଳି ଧରଣର କ୍ୟାନସର ଯାହା ଭାରତୀୟଙ୍କ ମଧ୍ୟରେ ଅଧିକ ଦେଖାଯାଇଥାଏ । ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏହାଦ୍ୱାରା ପୀଡିତ ହେବାର ଆଶଙ୍କା ଅଧିକ ଥାଏ । ଅନ୍ୟପକ୍ଷରେ ୫୦ ବର୍ଷରୁ କମ୍ ବୟସ ଲୋକଙ୍କ ମଧ୍ୟରେ ଥିବା ଏକ ପ୍ରତିଶତଙ୍କଠାରେ ଏହି କ୍ୟାନସର ପରିଲକ୍ଷିତ ହୋଇଥାଏ । ପ୍ରୋଷ୍ଟେଟ କ୍ୟାନସରର ବଂଶାନୁକ୍ରମିକ ଥିଲେ ଜଣେ ଏହାଦ୍ୱାରା ପୀଡିତ ହେବାର ଆଶଙ୍କା ଅଧିକ ହୋଇଯାଇଥାଏ । ବାର୍ଦ୍ଧକ୍ୟ, ମେଦବହୁଳତା, ଅନୁଚିତ ଆହାର ଏବଂ ଆନୁବଂଶିକ ପରିବର୍ତ୍ତନ ପ୍ରୋଷ୍ଟେଟ୍ କ୍ୟାନସରର ମୁଖ୍ୟ କାରଣ । ପ୍ରୋଷ୍ଟେଟ୍ କ୍ୟାନସର ଶେଷ ପର୍ଯ୍ୟାୟରେ ଥିଲେ ପୀଡିତ ପରିସ୍ରା କରିବାରେ କଷ୍ଟ ଅନୁଭବ କରିଥାନ୍ତି କିମ୍ବା ବାରମ୍ବାର ପରିସ୍ରା ଅନୁଭବ କରିଥାନ୍ତି । ଆଗୁଆ ରୋଗ ନିରୁପଣ ଦ୍ୱାରା ତଥା ସଠିକ ଚିକିତ୍ସା ମାଧ୍ୟମରେ ରୋଗୀଙ୍କ ଜୀବନ ବଞ୍ଚିବା ସହ ଜୀବନ ଧାରଣ ବର୍ଷ ବୃଦ୍ଧି ପାଇଥାଏ ।

Share It

Comments are closed.