କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂଘଗୁଡ଼ିକୁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି; ରେଟ୍ କଂଟ୍ରାକ୍ଟ ବ୍ୟବସ୍ଥା ରାଜ୍ୟରେ ଜାରି ରହିବ


ଭୁବନେଶ୍ୱର: ରାଜ୍ୟରେ ଡିଇପିଏମ୍ ରେଟ୍ କଂଟ୍ରାକ୍ଟ ବ୍ୟବସ୍ଥା ଜାରି ରହିବ । ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁଙ୍କ ଆବାହକତ୍ୱରେ ଚଳିତ ମାସ ୧୮ ତାରିଖ ଦିନ ୧ଟାରେ ଆୟୋଜନ କରାଯାଇଥିବା ଏକ ଭର୍ଚୁଆଲ୍ ବୈଠକରେ ଏହି ସୂଚନା ପ୍ରଦାନ କରାଯାଇଛି । ବୈଠକରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ଡିଇପିଏମ୍ ରେଟ୍ କଂଟ୍ରାକ୍ଟ ରାଜ୍ୟରେ ପ୍ରଚଳନରେ ରହିଛି । ରାଜ୍ୟର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସଏମଇ)ଗୁଡ଼ିକ ଏହି ବ୍ୟବସ୍ଥା ଜରିଆରେ ସରକାରଙ୍କ ସହ କାରବାର କରିଥାନ୍ତି । ରେଟ୍ କଂଟ୍ରାକ୍ଟ ବଦଳରେ ଗଭର୍ଣ୍ଣମେଂଟ୍ ଇ-ମାର୍କେଟ୍ ପ୍ଲେସ୍ (ଜିଇଏମ୍‌) ବ୍ୟବସ୍ଥା ଲାଗୁ କରିବା ଲାଗି ବିଚାର କରାଯାଉଥିବା ବେଳେ ରାଜ୍ୟର ପ୍ରମୁଖ ଶିଳ୍ପ ସଂଘଗୁଡ଼ିକ ତାହାକୁ ବିରୋଧ କରିଥିଲେ । ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ଚିନ୍ତା ବିଚାରକୁ ନେଇ ରେଟ୍ କଂଟ୍ରାକ୍ଟ ବ୍ୟବସ୍ଥା ଜାରି ରଖିବାକୁ ସରକାର ନିଷ୍ପତି ନେଇଛନ୍ତି । ସେଇପାଇଁ ଓସିଆର ସଭାପତି ଶ୍ରୀଯୁକ୍ତ ସମରଜିତ ମହାନ୍ତି, ଓୱାଇଇଏର ସଭାପତି ଶ୍ରୀଯୁକ୍ତ ମିହିର କାନୁନଗୋ, ଓମସିର ସାଧାରଣ ସଂପାଦକ ଶ୍ରୀଯୁକ୍ତ ସାତ୍ୱିକ ସ୍ୱାଇଁ, ଓଆଇଏର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅବନି କାନୁନଗୋ, ଏବଂ ୟୁପିଏମଏର ସଭାପତି ଶ୍ରୀଯୁକ୍ତ ଭାଗିରଥୀ ନନ୍ଦ ରାଜ୍ୟର ଶିଳ୍ପ ବର୍ଗ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥି ସହିତ ଚଳିତ ମାସ ୨୧ରେ ହେବାକୁ ଥିବା ପ୍ରସ୍ତାବିତ ଆମରଣ ଅନଶନକୁ ସ୍ଥଗିତ ରଖିବାକୁ ସଂଘଗୁଡ଼ିକ ନିଷ୍ପତି ନେଇଛନ୍ତି ।
ଜଏଂଟ୍ ଆକ୍ସନ କମିଟି ଅଫ୍ ଇଣ୍ଡଷ୍ଟ୍ରିଜ୍ ଆସୋସିଏସନ୍ସ ତରଫରୁ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ, ମାନ୍ୟବର ଏମ୍‌ଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ସେମାନଙ୍କ ନିରନ୍ତର ସହାୟତା ପାଇଁ ଧନ୍ୟବାଦ ପ୍ରଦାନ କରାଯାଇଛି । ସେହିପରି ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ କୁମାର ତ୍ରିପାଠୀ, ଏମ୍‌ଏସଏମଇ ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ, ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ଅଶୋକ ମିନାଙ୍କୁ ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଏବଂ ଉଦ୍ୟମ କରିଥିବାରୁ ଶିଳ୍ପ ସଂଘଗୁଡ଼ିକ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି ।


Share It

Comments are closed.