ମମତାଙ୍କ ପାଇଁ ବିଜେପି ସଙ୍କଟ, ୫୦ରୁ ଉର୍ଦ୍ଧ ଟିଏମସି ନେତା ବିଜେପିରେ


ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିର ପତିଆରା ବଢିଥିବା ବେଳେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ନିତ୍ୟ ସମସ୍ୟା ବଢି ବଢି ଚାଲିଛି । ଗୋଟିଏ ପଟେ ମମତାଙ୍କ ବିଶ୍ୱସ୍ତ ଅଫିସର ତଥା କୋଲକାତାର ପୂର୍ବତନ ପୁଲିସ ମୁଖ୍ୟ ରାଜୀବ କୁମାରଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଛି ସିବିଆଇ । ଅନ୍ୟପଟେ ଟିଏମସିର ୨ ବିଧାୟକ ଏବଂ ୫୦ରୁ ଉର୍ଦ୍ଧ କାଉନସିଲର ଦିଲ୍ଲୀରେ ଆସି ବିଜେପିରେ ମିଶିଛନ୍ତି । ଏହାବାଦ ତୃଣମୂଳ କଂଗ୍ରେସରେ ଅନ୍ତଃ କଳହ ବଢ଼ିବାରେ ଲାଗିଛି ।

ସୂଚନା ମୁତାବକ ମୁକୁଲ ରୟ’ଙ୍କ ପୁତ୍ର ତଥା ଟିଏମସିର ଦୁଇଥର ବିଧାୟକ ଥିବା ଶୁଭ୍ରାଂଶୁ, ତୀସହାରକାନ୍ତି ଭାଟାଚାର୍ଯ୍ୟ ଏବଂ ସିପିଏମ ବିଧାୟକ ଦେବେନ୍ଦ୍ର ନାଥ ରୟ ବିଜେପିରେ ମିଶିଛନ୍ତି । ଏହାସହ ସମୁଦାୟ ୩ଜଣ ବିଧାୟକ ଏବଂ ୫୦ରୁ ଉର୍ଦ୍ଧ କାଉନସିଲର ବିଜେପିରେ ମିଶିଛନ୍ତି। ପଶ୍ଚିମବଙ୍ଗ ବିଜେପିର ଜାତୀୟ ସଚିବ, ଶ୍ରୀ କୈଳାଶ ବିଜୟବର୍ଗିୟ କହିଛନ୍ତି, “ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ପ୍ରଚାର ସମୟରେ କହିଥିଲେ ୪୦ରୁ ଉର୍ଦ୍ଧ ବିଧାୟକ ବିଜେପି ସମ୍ପର୍କରେ ଅଛନ୍ତି । ଆଜିର ଏହି ମିଶ୍ରଣ ତାହାର ଏକ ଅଂଶ । ଆଗକୁ ଆହୁରି ୭ଟି ପର୍ଯ୍ୟାୟ ରେ ଅନେକ ଟିଏମସି ନେତା ବିଜେପିରେ ଯୋଗ ଦେବେ ।”

ପୂର୍ବରୁ ପଶ୍ଚିମବଙ୍ଗ ବିଜେପିର, ଶ୍ରୀ ଦିଲ୍ଲୀପ ଘୋଷ, “ଆମେ କୋଲକାତା ମୁନିସପାଲ କର୍ପୋରେସନ ଜିତିବା ପାଇଁ ଏବେ ଲକ୍ଷ ରଖିଥିବା ବେଳେ, ଆଗକୁ ୨୦୨୧ରେ ହେବାକୁ ଥିବା ବିଧାନସଭା ପାଇଁ ଲକ୍ଷ ରଖିଛୁ ।”

ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନରୁ ବିଜେପି ୧୮ଟିରେ ଜିତିଥିବା ବେଳେ ଟିଏମସି ୨୨ଟିରେ ଜିତିଥିଲା । ଯେବେକି  ୨୦୧୪ରେ ବିଜେପି ଏଠାରେ ମାତ୍ର ୨ଟି ଆସନ ଜିତିଥିଲା ।

ଅନ୍ୟପଟେ ମମତାଙ୍କ ବିଶ୍ୱସ୍ତ କୁହାଯାଉଥିବା ରାଜୀବ କୁମାରଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଛି ସିବିଆଇ । ତାଙ୍କ ବିରୁଦ୍ଧରେ ଶାରଦା ଓ ରୋଜଭ୍ୟାଲି ଚିଟଫଣ୍ଡ ଯାଞ୍ଚକୁ ଠିକ୍‌ ଭାବେ କରିନଥିବା ନେଇ ଅଭିଯୋଗ ରହିଛି । ଏପରିକି ଚିଟଫଣ୍ଡ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ପ୍ରମାଣ ନଷ୍ଟ କରିଥିବାର ଅଭିଯୋଗ ହୋଇଥିଲା । ଯାହା ପାଇଁ ନିର୍ବାଚନ ପରେ ଏହି ମାମଲାରେ ପଚରାଉଚରା କରିବା ପାଇଁ ସିବିଆଇ ରାଜୀବଙ୍କୁ ଗିରଫ କରିବାକୁ ଚାହୁଁଛି ।


Share It

Comments are closed.