ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ପ୍ରଥମ ସଂସ୍କରଣ ଉଦ୍‌ଘାଟିତ


କଟକ: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା (କେଆଇୟୁଜି) ପ୍ରଥମ ସଂସ୍କରଣ ଆଜି ଏଠାରେ ଏକ ଆକର୍ଷଣୀୟ ସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଙ୍ଗ୍ ମାଧ୍ୟମରେ କେଆଇୟୁଜିର ଉଦ୍‌ଘାଟନ କରିଛନ୍ତି ଓ ନିଜର ଭର୍ଚୁୁଆଲ ଉପସ୍ଥିତି ସହ ଏହି ଉଦ୍‌ଘାଟନୀ ସମାରୋହର ଶୋଭା ବଢାଇଛନ୍ତି । ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି କ୍ରୀଡାର ଶୁଭାରମ୍ଭ ଘୋଷଣା କରିଥିଲେ ଓ ଖେଳାଳିମାନଙ୍କୁ ନିଜର ସର୍ବୋତମ ପ୍ରଦର୍ଶନ ଦେବାକୁ ଉତ୍ସାହିତ କରିଥିଲେ । ସେ କହିଥିଲେ, ଏହା ଭାରତୀୟ କ୍ରୀଡା ପାଇଁ ଏକ ଐତିହାସିକ ମୁହୂର୍ତ । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଉନ୍ମୋଚନ ସହ ଭାରତ ଉକ୍ତ ଦେଶଗୁଡିକର ଲିଗ୍‌ରେ ପ୍ରବେଶ କରିଛି ଯେଉଁଠାରେ ବିଶ୍ୱବିଦ୍ୟାଳୟ କ୍ରୀଡା ଏହିଭଳି ସ୍ତରରେ ଆୟୋଜିତ ହୋଇଥାଏ । ମୁଁ ଏହି ଆକର୍ଷଣୀୟ ଇଭେଂଟ୍‌ର ଆୟୋଜନ କରିଥିବା ଓଡିଶାର ଆୟୋଜକମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ଏବଂ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପାଇଁ ଦେଶର କୋଣ ଅନୁକୋଣରୁ ଆସିଥିବା ୩୦୦୦ରୁ ଅଧିକ ଯୁବ ଆଥ୍‌ଲେଟମାନଙ୍କୁ ଭଲ ପ୍ରଦର୍ଶନ କରିବା ପାଇଁ ଶୁଭକାମନା ଦେଉଛି । ଆଗାମୀ କିଛି ଦିନରେ ତୁମ ମାନଙ୍କର ଲକ୍ଷ୍ୟ ମେଡାଲ ଜିତିବା ଉପରେ ରହିବ କିନ୍ତୁ ଭବିଷ୍ୟତ ପାଇଁ ଏହି ଲକ୍ଷ୍ୟ ନିଜର ପ୍ରଦର୍ଶନକୁ ଉନ୍ନତ କରିବା ଉପରେ ରହିବା ଉଚିତ । ଏଠାରେ ତୁମର କଠିନ ପରିଶ୍ରମ ତୁମକୁ ତଥା ତୁମ ପରିବାର ଓ ଦେଶର ସ୍ୱପ୍ନକୁ ଆଗକୁ ନେବ । ଏଠାରେ ତୁମକୁ ପ୍ରେରିତ କରିବା ପାଇଁ ଦୂତି ଚାନ୍ଦଙ୍କ ଭଳି ମହାନ ଖେଳାଳି ଅଛନ୍ତି ଏହା ଭାରତରେ ଏକ ନୂତନ କ୍ରୀଡା କ୍ରାନ୍ତିର ଆରମ୍ଭ ।

୪୫ ମିନିଟ୍‌ର ଏକ ରଙ୍ଗାରଙ୍ଗ ସାଂସ୍କୃତିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ସହ ଉଦଘାଟନୀ ସମାରୋହ ଆରମ୍ଭ ହୋଇଥିଲା । ସମାରୋହରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଓ ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ କିରେନ୍ ରିଜିଜୁଙ୍କ ଭଳି ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରାୟ ୪୦୦୦ ଦର୍ଶକ ଷ୍ଟାଡିୟମ ଭିତରେ ଏହି ସମାରୋହର ଆନନ୍ଦ ଉଠାଇଥିବା ବେଳେ ଷ୍ଟାଡିୟମ ବାହାରେ ମଧ୍ୟ ବହୁସଂଖ୍ୟକ ଦର୍ଶକ ଏଲ୍‌ଇଡି ସ୍କ୍ରିନ୍‌ରେ ଏହାକୁ ଦେଖିବାର ସୁଯୋଗ ପାଇଥିଲେ । ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ଅଦ୍ଭୁତ ସଫଳତା ପରେ ଭାରତ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଆୟୋଜନ କରିବାକୁ ନିଷ୍ପତି ନେଇଥିଲେ । ଓଡିଶା ସରକାର ଆଗକୁ ଆସି ମାତ୍ର ଏକ ମାସରୁ କମ୍ ସମୟ ମଧ୍ୟରେ ଏଥିପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । କେଆଇୟୁଜି ଔପଚାରିକ ଭାବେ ଗତକାଲି (ଶୁକ୍ରବାର) ତୀରନ୍ଦାଜ, ଫେନ୍ସିଙ୍ଗ୍‌, ଫୁଟ୍‌ବଲ, ବାସ୍କେଟ୍‌ବଲ ଓ ଭଲିବଲ ଭଳି ପ୍ରତିଯୋଗିତା ସହ ଆରମ୍ଭ ହୋଇଥିଲା । ଏହି ଟୁର୍ଣ୍ଣାମେଂଟର ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଭାଷଣରେ କହିଥିଲେ, ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ପ୍ରଥମ ସଂସ୍କରଣକୁ ଓଡିଶାରେ ଭାରତ ସରକାର ଓ କିଟ୍ ୟୁନିଭର୍ସିଟିର ସହଭାଗିତାରେ ଆୟୋଜନ କରି ଆମେ ଖୁବ୍ ଗର୍ବିତ ଅନୁଭବ କରୁଛୁ । କେଆଇୟୁଜି ଜାତୀୟ ସ୍ତରରେ କ୍ରୀଡା ପ୍ରତିଭାର ପ୍ରଦର୍ଶନ କରିବା ପାଇଁ ଏକ ବିଶାଳ ମଂଚ ପ୍ରଦାନ କରିବ । ପ୍ରତିଯୋଗିତାରୁ କିଛି ଖେଳାଳି ମେଡାଲ ଓ ଆଉ କିଛି ଅଭିଜ୍ଞତା ଏବଂ ସମସ୍ତ ଖେଳାଳି ଏକ ମହାନ ସ୍ମୃତି ସାଥିରେ ନେଇ ଫେରିବେ । ଓଡିଶା ସରକାର ଓ ରାଜ୍ୟବାସୀଙ୍କ ତରଫରୁ ମୁଁ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଉଛି । ସେହିପରି କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ଆମେ ଏହି ଟୁର୍ଣ୍ଣାମେଂଟରୁ ଅଧିକ ଅଲିମ୍ପିଆନ୍ ଓ ପ୍ରତିଭାମାନଙ୍କୁ ପାଇପାରିବୁ ବୋଲି ମୁଁ ନିଶ୍ଚିତ । ଏହା ସର୍ବୋଚ୍ଚ ସ୍ତରରେ ଆଥ୍‌ଲେଟ୍‌ମାନଙ୍କୁ ନିଜ ପ୍ରତିଭାର ପ୍ରଦର୍ଶନ କରିବାକୁ ଏକ ମଂଚ ପ୍ରଦାନ କରୁଛି କେଆଇୱାଇଜି ଓ କେଆଇୟୁଜି ଭଳି ଅଭିଯାନ ସହ ଭାରତ ଭବିଷ୍ୟତରେ ଆହୁରି ଅଧିକ ଷ୍ଟାରଙ୍କୁ ପାଇବ ବୋଲି ମୋର ଦୃଢ ବିଶ୍ୱାସ ରହିଛି । ଏହି ଉଦ୍ଘାଟନୀ ସମାରୋହରେ ପ୍ରାୟ ୩୯୦ ଛାତ୍ରଛାତ୍ରୀ ଓଡିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିଥିଲେ ।

ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଦ୍ୱାରା କୋରିଓଗ୍ରାଫ କରାଯାଇଥିବା ଓଡିଶୀ ଓ ସମ୍ବଲପୁରୀ ଭଳି ନୃତ୍ୟ କଳା ପ୍ରଦର୍ଶିତ ହୋଇଥିଲା । ଭାରତୀୟ ଆର୍ଚର ମୁସ୍କାନ କିରାର୍ ଟୁର୍ଣ୍ଣାମେଂଟ୍‌ର ଆରମ୍ଭ କରିଥିବା ମଶାଲ ରିଲେର ନେତୃତ୍ୱ ନେଇଥିଲେ ଓ ସେ ଏହାକୁ ସ୍ୱିମର୍ ଏସ୍ ପି ଲିକିଥ୍‌ଙ୍କୁ ହସ୍ତାନ୍ତର କରିଥିଲେ । ପରେ ଲିକିଥି ତାହାକୁ ପୂର୍ବତନ ଇଣ୍ଡିଆ ହକି ପ୍ଲେୟର ଦିଲୀପ ତିର୍କୀଙ୍କୁ ମଶାଲ ହସ୍ତାନ୍ତର କରିଥିଲେ ଏବଂ ସେ କଲ୍‌ଡ୍ରୋନରେ ଅଗ୍ନି ସଂଯୋଗ କରିଥିଲେ । ସେହିପରି ଆଥ୍‌ଲେଟ୍‌ଙ୍କ ପାଇଁ ଶପଥ ଗ୍ରହଣ ଉତ୍ସବର ନେତୃତ୍ୱ ନେଇଥବଲେ ସ୍ପ୍ରିଂଟର୍ ଦୂତି ଚାନ୍ଦ ଯିଏକି ଏହି ବିଶ୍ୱବିଦ୍ୟାଳୟ କ୍ରୀଡାରେ ଅଂଶଗ୍ରହଣ କରିଛନ୍ତି । କମ୍ପୋଜର ରାମ୍ ସମ୍ପଥ୍ ଓ ଭାରତୀୟ ଗାୟିକା ସୋନା ମହାପାତ୍ର ସମାରୋହରେ ଏକ ସଙ୍ଗୀତ ପରିବେଶଣ କରିଥିଲେ । ଗୀତିକାର ନକାସ ଅଜିଜ୍ ନନିଜ ଗୀତ ‘ଖେଲୋ ଖେଲୋ’ ମାଧ୍ୟମରେ ଆଥ୍‌ଲେଟ୍‌ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । କେଆଇୟୁଜି-୨୦୨୦ ଓଡିଶାରେ ୧୫୯ଟି ବିଶ୍ୱବିଦ୍ୟାଳୟର ୩୩୪୩ ଜଣ ଆଥ୍‌ଲେଟ୍ ଓ ବହୁସଂଖ୍ୟକ ଟେକ୍ନିକାଲ ତଥା ସପୋର୍ଟ କର୍ମଚାରୀ ଯୋଗ ଦେଇଛନ୍ତି ।

 

 

ଏହି ଖେଳାଳିମାନେ ତୀରନ୍ଦାଜ, ଆଥ୍‌ଲେଟିକ୍ସ, ବକ୍ସିଙ୍ଗ୍‌, ଫେନ୍ସିଙ୍ଗ୍‌, ଜୁଡୋ, ସ୍ୱିମିଙ୍ଗ୍‌, ଭାରୋତଳନ, କୁସ୍ତି, ବ୍ୟାଡମିଂଟନ, ବାସ୍କେଟବଲ, ଫୁଟବଲ, ହକି, ଟେବୁଲ ଟେନିସ୍‌, ଟେନିସ୍‌, ଭଲିବଲ, ରଗ୍‌ବି ଓ କବାଡି ଆଦି ୧୭ଟି ବିଭାଗରେ ପ୍ରତିଯୋଗିତା କରିବେ । ଏହି ଟୁର୍ଣ୍ଣାମେଂଟ୍ କଟକ ଓ ଭୁବନେଶ୍ୱରର ୧୦ଟି ସ୍ଥାନରେ ଅନୁଷ୍ଠିତ ହେବ । କିଟ୍ ବିଶ୍ୱବିଦ୍ୟାଳ୍ର ଏହାର ମୁଖ୍ୟ କେନ୍ଦ୍ର ହେବ । ଏହି କ୍ରୀଡା ପାଇଁ ମୋଟ ୨୦୬ଟି ଗୋଲ୍ଡ, ୨୦୬ଟି ସିଲ୍‌ଭର ଓ ୨୮୬ଟି ବ୍ରୋଞ୍ଜ ପଦକ ରହିଛି । କେଆଇୟୁଜି ଷ୍ଟାର ସ୍ପୋର୍ଟସ୍‌, ହଟ୍‌ଷ୍ଟାର ଓ ଦୂରଦର୍ଶନରେ ଲାଇଭ୍ ଟେଲିକାଷ୍ଟ ହେବ । କେଆଇୟୁଜି-୨୦୨୦କୁ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଭାବେ ୧୭ ଜଣ ପ୍ରତିଯୋଗିତା ପରିଚାଳକ, ୭୪୦ ଆନ୍ତର୍ଜାତୀୟ ଓ ଜାତୀୟ ଟେକ୍ନିକାଲ ଅଧିକାରୀ ଓ ୩୫୫ ସ୍ପୋର୍ଟ-ସ୍ପେସିଫିକ୍ ଭଲେଂଟିଅର୍ସଙ୍କ ଦ୍ୱାରା ପରିଚାଳନା କରାଯିବ । ଚଣ୍ଡୀଗଡର ପଞ୍ଜାବ ୟୁନିଭର୍ସିଟି, ଅମୃତସରର ଗୁରୁ ନାନକ ଦେବ ୟୁନିଭର୍ସିଟିଳ ରୋହତକର ମହର୍ଷୀ ଦୟାନନ୍ଦ ୟୁନିଭର୍ସିଟି, ପଟିଆଲାର ପଞ୍ଜାବୀ ୟୁନିଭର୍ସିଟି ଓ ଦିଲ୍ଲୀ ୟୁନିଭର୍ସିଟି ସ୍ପୋର୍ଟସ୍ କାଉନ୍ସିଲ ଆଦି ଶୀର୍ଷ ୟୁନିଭର୍ସିଟିଗୁଡିକ ଏହି ଟୁର୍ଣ୍ଣାଂମେଂଟରେ ପ୍ରତିଯୋଗିତା କରିବେ ।


Share It

Comments are closed.