ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ୱାରା ଦଶ ଦିନ ଗସ୍ତରେ ୧୩୫୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ


ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଆଜି ଓଡିଶାର ୩ଟି ପ୍ରମୁଖ ଜିଲ୍ଲା ମୟୁରଭଂଜ, ରାୟଗଡା ଏବଂ ବରଗଡ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ଆଜି ସମୁଦାୟ ୧୧ଟି କଲେଜ ଏବଂ ୪ଟି ସ୍କୁଲ ଗସ୍ତ କରି ୨୧୬୫ ଛାତ୍ରଙ୍କ ଠାରୁ ୧୮୩ଟି ଆଇଡିଆ ସଂଗ୍ରହ କରିଛି ।

ଆଜି ଏହି ଯାତ୍ରା ତିନୋଟି ଜିଲ୍ଲା ମୟୁରଭଂଜ, ରାୟଗଡ଼ା ଓ ବରଗଡ଼ ଜିଲ୍ଲା ଗସ୍ତ କରି ବିଭନ୍ନ ଛାତ୍ରଛାତ୍ରୀଙ୍କ ଠାରୁ ଷ୍ଟାର୍ଟଅପ୍ ଆଇଡ଼ିଆ ସଂଗ୍ରହ କରିଛି । ମୟୂରଭଞ୍ଜ ଜିଲ୍ଲାରେ ଏହା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଏମପିସି ଅଟୋନୋମସ କଲେଜ, ଉଦଳା ଅଟୋନୋମସ କଲେଜ, ସୀମାନ୍ତ ଇଂଜନିୟରିଂ କଲେଜ ଏବଂ ବାରିପଦା ଡିଗ୍ରୀ କଲେଜ ଯାଇଥିବାବେଳେ ବରଗଡ଼ ଜିଲ୍ଲାରେ ଏହା ବିକାଶ ଆବାସିକ ବିଦ୍ୟାଳୟ, ବିକାଶ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହସ୍ତତନ୍ତ ଟେକ୍ନୋଲୋଜି ଏବଂ ପିକେଏ କଲେଜ ଅଫ୍ ଇଞ୍ଜିନିୟରିଂ ପରିଦର୍ଶନ କରିଛି । ସେହିପରି ରାୟଗଡ଼ାର ୩ଟି କଲେଜ ରିତମ ରାୟଗଡ଼ା, ମଝିଘରିଆଣୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ ଓ ଜିଆଇଇଟି ଗୁଣୁପୁର ପରିଦର୍ଶନ କରିଛି ।

ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୯୯ଟି କଲେଜ୍ ଏବଂ ୨୯ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୧୩୫୭୦ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୧୩୫୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି ।

ଆସନ୍ତା ବୁଧବାର ରାୟଗଡା ଏବଂ ବରଗଡ ଜିଲ୍ଲାର ଆଇ କିଛି କଲେଜ ସହ ଏହି ଯାତ୍ରା କେନ୍ଦୁଝର ଜିଲ୍ଲା ଗସ୍ତ କରିବ । ଏହା କେନ୍ଦୁଝର ଜିଲ୍ଲାର ୪ଟି କଲେଜ ଏବଂ ଗୋଟିଏ ସ୍କୁଲ ଯଥା ଓଡିଶା ମାଇନିଂ ଇଂଜିନିୟରିଂ ସ୍କୁଲ, କେନ୍ଦୁଝର ସ୍କୁଲ ଅଫ୍ ଇଂଜିନିୟରିଂ, ଧରଣୀଧର ଅଟୋନୋମସ୍ କଲେଜ୍‌, ସରକାରୀ କଲେଜ ଅଫ୍ ଇଂଜିନିୟରିଂ ଏବଂ ଡିଏନ୍ ସ୍କୁଲ କେନ୍ଦୁଝର ଗସ୍ତ କରିବା ସହ ବରଗଡରେ ଜର୍ଜ ହାଇସ୍କୁଲ ଏବଂ ଇମ୍ପୋରିଆଲ କଲେଜ , ରାୟଗଡର ଗାୟତ୍ରୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଣ୍ଣ ଟେକ୍ନୋଲୋଜି, ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ କମ୍ପ୍ୟୁଟର ଏଣ୍ଡ ରିସର୍ଚ ଏବଂ ଗାନ୍ଧୀ ପବ୍ଲିକ ସ୍କୁଲ ଗସ୍ତ କରିବ ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ ।


Share It

Comments are closed.