ନ୍ୟୁଜ ଚ୍ୟାନେଲ ପ୍ରସାରଣ ବେଳେ ନେତା, ସାମ୍ବାଦିକ ହାତାହାତି


ଏମିତିବି ବିଶ୍ୱ ଦରବାରରେ ପାକିସ୍ତାନର ଚେହେରା ସମ୍ପର୍କରେ ସମସ୍ତେ ଅବଗତ । ପାକିସ୍ତାନ ସର୍ବଦା ତା’ର ପଡ଼ୋଶୀ ଦେଶ ମାନଙ୍କରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପରିଚିତ ଥିବାବେଳେ ଦିନକୁ ଦିନ ତାର ଦୌରାତ୍ମ୍ୟ ବଢିବାରେ ଲାଗିଛି । କିନ୍ତୁ ପାକିସ୍ତାନର ଆଭ୍ୟନ୍ତରୀଣ ପରିସ୍ତିତିର ଜ୍ୱଳନ୍ତ ଏକ ଉଦାହରଣ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିିଛି । ଯେଉଁଠାରେ ଜନନାୟକମାନେ ଏକ ଗଣମାଧ୍ୟମ ପ୍ରସାରଣରେ ମଧ୍ୟ ହାତାହାତି ହେବାକୁ ପଛାଉ ନାହାଁନ୍ତି, ସେଠାରେ ସାଧାରଣ ଲୋକମାନେବା କିପରି ସୁରକ୍ଷିତ ! ଘଟଣାଟି କିଛି ଏପରି ଘଟିଛି ଯେ, ଏକ ନ୍ୟୁଜ ଚ୍ୟାନଲରେ କୌଣସି ଏକ ବିଷୟବସ୍ତୁକୁ ନେଇ ଆଲୋଚନା ଚକ୍ର ଚାଲିଥିବାବେଳେ ସେଠାରେ ଉପସ୍ଥିତ ଥିବା ଜଣେ ପିଟିଆଇ ନେତା ଏବଂ ବରିଷ୍ଠ ସାମ୍ବାଦିକଙ୍କ ମଧ୍ୟରେ ହାତାହାତୀ ଭଳି ପରିସ୍ଥିତି ଉପୁଜି ଯାଇଥିଲା ।

ମିଳିଥିବା ସୂଚନା ମୁତାବକ, ‘ନ୍ୟୁଜ ଲାଇନ ୱିଥ ଅଫତାଭ ମାଗୁରାଇ’ରେ କୌଣସି ଏକ ବିଷୟବସ୍ତୁକୁ ନେଇ ସେଠାରେ ଉପସ୍ଥିତ ଥିବା ପ୍ୟାନେଲଲିଷ୍ଟଙ୍କ ମଧ୍ୟରେ ଆଲୋଚନା ଚକ୍ର ଚାଲିଥିଲା । ସେମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ପିଟିଆଇ ନେତା ‘ମାସରୁର ଅଲି ସିଆଲ’ ଏବଂ କରାଚୀ ପ୍ରେସ କ୍ଲବର ସଭାପତି ‘ଇମତିଆଜ ଖାନ’ । ଆଲୋଚନା ଚକ୍ରରେ ଲାଇଭ ସୋ’ ଚାଲିଥିବାବେଳେ ଉଭୟଙ୍କ ମଧ୍ୟରେ କଥା କଟାକଟିରୁ ତିକ୍ତତା ଏତେ ମାତ୍ରାରେ ବଢିଯାଇଥିଲା ପିଟିଆଇ ନେତା ଜଣକ ବରିଷ୍ଠ ସାମ୍ବାଦିକଙ୍କୁ ମାରିବା ପାଇଁ ପର୍ଯ୍ୟନ୍ତ ପଛେଇ ନଥିଲେ ।
ପିଟିଆଇ ନେତା ଜଣକ ତାଙ୍କ ସିଟରୁ ଉଠି ବରିଷ୍ଠ ନେତା ଜଣଙ୍କୁ ଧକ୍କା ମାରିବା ସହ ତାଙ୍କୁ ଅତର୍କିତ ଭାବେ ମାରିବାରେ ମଧ୍ୟ ଲାଗିଯାଇଥିଲେ । ପରେ ଉଭୟଙ୍କୁ ସୋ’ରେ ଉପସ୍ଥିତ ଥିବା ଅତିଥି ଏବଂ କ୍ରିୟୁ ତାଙ୍କୁ ଅଲଗା କରିଥିଲେ ।
ପ୍ରକାଶ ଥାଉକି, ପିଟିଆଇର ସର୍ବେସର୍ବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଥିବାବେଳେ ତାଙ୍କ ନେତା ଏଭଳି କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ଅନେକ ସମାଲୋଚନାର ଶୀକରା ହେବାକୁ ମଧ୍ୟ ପଡିଛି । ପିଟିଆଇ ନେତା ଜଣଙ୍କର ଏଭଳି କାର୍ଯ୍ୟକଳାପ ଯୋଗୁଁ ପାକିସ୍ତାନରେ ସାମ୍ବାଦିକ ସଂଗଠନ ପକ୍ଷରେ ଏହାକୁ ଦୃଢ ନିନ୍ଦା କରିବା ଯିବା ସହ ଏହିଭଳି ଅମାନବୀୟ ଘଟଣା ପାଇଁ ପାକିସ୍ତାନ ଆଜି ପୁଣିଥରେ ବିଶ୍ୱସ୍ତରରେ ଲଜ୍ଜିତ ହେବାକୁ ପଡିଛି ।


Share It

Comments are closed.