ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହେଲେ ଟାଟା ଷ୍ଟିଲ୍ ମାଇନିଂ ଏମ୍‌ଡି ପଙ୍କଜ ସତିଜା


ଭୁବନେଶ୍ୱର: ଟାଟା ଷ୍ଟିଲ୍ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜାଙ୍କୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସମ୍ମାନଜନକ ଜାତୀୟ ଭୂବିଜ୍ଞାନ ପୁରସ୍କାର (ନ୍ୟାସନାଲ ଜିଓସାଇନ୍ସ ଆୱାର୍ଡ-୨୦୨୨) ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଏକ ସମାରୋହରେ ସତିଜାଙ୍କୁ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
ମିନେରାଲ ବେନିଫିସିଏସନ ଆଣ୍ଡ୍ ସଷ୍ଟେନେବଲ୍ ମିନେରାଲ୍ ଡେଭେଲପ୍‌ମେଂଟ୍ କ୍ଷେତ୍ରରେ ତାଙ୍କର ନିରନ୍ତର କାର୍ଯ୍ୟ
ପାଇଁ ସତିଜାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ବିତରଣ ସମାରୋହରେ ମାନ୍ୟବର କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ମାନ୍ୟବର ଖଣି, କୋଇଲା ଓ ରେଳ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ୍ ଦାନ୍‌ବେ, ଖଣି ମନ୍ତ୍ରଣାଳୟ ସଚିବ ବିବେକ ଭରଦ୍ୱାଜ ଓ ଭାରତ ସରକାରଙ୍କ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।
ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଏହି ପୁରସ୍କାରର ଲକ୍ଷ୍ୟ ହେଉଛି ଭୂବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ସଫଳତା ହାସଲ ଓ ଉଲ୍ଲେଖନୀୟ ଯୋଗଦାନ କରିଥିବା ବ୍ୟକ୍ତିବିଶେଷ ଓ ଟିମ୍‌ଙ୍କୁ ସମ୍ମାନିତ କରିବା । ଏହି ସମ୍ମାନ ହେଉଛି ଭୂବିଜ୍ଞାନ ଓ ଖଣି କ୍ଷେତ୍ରରେ ସତିଜାଙ୍କ ଉଲ୍ଲେଖନୀୟ ଯୋଗଦାନ ଓ ଦୃଷ୍ଟାନ୍ତମୂଳକ ନେତୃତ୍ୱର ପ୍ରତିଫଳନ ।
ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବା ଅବସରରେ ଖୁସି ବ୍ୟକ୍ତ କରି ପଙ୍କଜ ସତିଜା କହିଛନ୍ତି ଯେ, “ସମ୍ମାନଜନକ ଜାତୀୟ ଭୂବିଜ୍ଞାନ ପୁରସ୍କାର ଗ୍ରହଣ କରି ମୁଁ କୃତଜ୍ଞ ଓ ଗର୍ବିତ ମନେ କରୁଛି । ଏଥିପାଇଁ ମୁଁ ଖଣି ମନ୍ତ୍ରଣାଳୟକୁ କୃତଜ୍ଞତା ଜଣାଉଛି । ଦୀର୍ଘସ୍ଥାୟୀ ଖଣି ଅଭ୍ୟାସରେ ଉତ୍କର୍ଷ ହାସଲ କରିବା ପାଇଁ ଆଗକୁ ମଧ୍ୟ ମୁଁ ମୋ ଉଦ୍ୟମ ଜାରି ରଖିବି ।’’
ପଙ୍କଜ ସତିଜାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଅନେକ ନୂତନ ମାଇଲଖୁଂଟ ସ୍ଥାପନ ହୋଇଛି । ତାଙ୍କ ଦ୍ୱାରା ଭାରତୀୟ ଖଣି କ୍ଷେତ୍ରରେ ପ୍ରଥମ ଥର ପାଇଁ ଯୋଡ଼ା ଇଷ୍ଟ୍ ଲୁହାପଥର ଖଣିରେ ଭେଟିଭର ଚାରା ରୋପଣ ଓ ସୁକିନ୍ଦା କ୍ରୋମାଇଟ ଖଣିରେ ପ୍ରଥମ ଥର ପାଇଁ ‘ସଷ୍ଟେନେବଲ୍ ଡେଭେଲପ୍‌ମେଂଟ୍ ଫ୍ରେମ୍‌ୱର୍କ (ଏସ୍‌ଡିଏଫ୍‌)’ର ଶୁଭାରମ୍ଭ ଖଣି ପାଇଁ ଷ୍ଟାର୍ ରେଟିଂର ପଥ ପ୍ରଦର୍ଶନ କରିଥିଲା ଏବଂ ନୂଆମୁଣ୍ଡିରେ ଖଣି ନିରୀକ୍ଷଣ ପାଇଁ ପ୍ରଥମ ଥର ଡ୍ରୋନ୍ ପ୍ରୟୋଗ ଭାରତର ଖଣି କ୍ଷେତ୍ରରେ ଡ୍ରୋନ୍ ବ୍ୟବହାର ପାଇଁ ବାଟ ଦେଖାଇଥିଲା ।


Share It

Comments are closed.