ଅଯୋଧ୍ୟାରେ ମହାପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଅଭିଯାନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, – ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଜନ୍ମଭୂମିରେ ଏକ ବିଶ୍ୱସ୍ତରୀୟ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାର ଭକ୍ତ ମାନଙ୍କର ସହଯୋଗ ପ୍ରାପ୍ତି ନିମନ୍ତେ ଓଡ଼ିଶା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ପକ୍ଷରୁ ମକର ସଂକ୍ରାନ୍ତିର ପବିତ୍ର ଦିନରୁ ଆରମ୍ଭ ହୋଇଥିବା ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ଅଭିଯାନରେ ସାମିଲ ହେବା ଆନନ୍ଦର ବିଷୟ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିବା ସହ ଧନ୍ୟବାଦ ଜଣାଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭରତବର୍ଷରେ ବିଭିନ୍ନ ସମିତି ପକ୍ଷରୁ ଆର୍ôଥକ ସହଯୋଗ ପ୍ରାପ୍ତି ନିମନ୍ତେ ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ରାଜ୍ୟରେ ମଧ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ପକ୍ଷରୁ ଏହି ଅଭିଯାନର ନେତୃତ୍ୱ ନେଇଛି । ଓଡ଼ିଶାରେ ୩୦ ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ସମସ୍ତେ ସହଭାଗୀ ହେବା ଦରକାର । ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାବାସୀଙ୍କୁ ସହଯୋଗ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।
ସୂଚନାଯୋଗ୍ୟ, ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରମୁଖ ସନ୍ଥମାନଙ୍କୁ ନେଇ ଗଠିତ ମାର୍ଗ-ଦର୍ଶକ ମଣ୍ଡଳୀଙ୍କ ଦ୍ୱାରା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ଗଠନ କରାଯାଇଛି । ଆଜି ଭୁବନେଶ୍ୱର ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଏହି ସମିତିର ସଦସ୍ୟଗଣ ତଥା ଆରଏସଏସ ଓଡ଼ିଶା ପୂର୍ବପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି, ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି, ଓଡ଼ିଶାର ସଭାପତି ପ୍ରଫୁଲ୍ଲ କୁମାର ମିଶ୍ର, ସମ୍ପାଦକ ଶ୍ରୀ ଗୋପାଳପ୍ରସାଦ ମହାପାତ୍ର, ଉପାଧ୍ୟକ୍ଷ ଶ୍ରୀ ମନସୁଖଲାଲା ସେଠିଆ ପ୍ରମୁଖ ଉପସ୍ଥିତ ରହିଥିଲେ ।


Share It

Comments are closed.