ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଦଳର ସଂଗଠନକୁ ମଜଭୂତ୍ କରିବାରେ ବିଷ୍ଣୁ ଭାଇଙ୍କ ଭୂମିକା ଅତୁଳନୀୟ - ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, ସେପ୍ଟେମ୍ବର ୧୯ – ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା, ବିଜେପିର ବରିଷ୍ଠ ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ବଡ଼ ଭାଇ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ବିଷ୍ଣୁ ଭାଇଙ୍କ ସହ ମୋର ପାରିବାରିକ ସମ୍ପର୍କ ଥିଲା । ଜଣେ ବଡ଼ ଭାଇ ଭାବରେ ସେ ମୋତେ ସ୍ନେହ ଆଦର କରନ୍ତି । ଜଣେ ସ୍ନେହୀ, ଅମାୟିକ ବ୍ୟକ୍ତିତ୍ୱ ଭାବେ ବିଷ୍ଣୁ ଭାଇ ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ପାରିଥିଲେ । ବିଧାନସଭାରେ ଶାଣିତ ସ୍ୱରରେ ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନ କରିବାରେ ତାଙ୍କର ଶୈଳି ଥିଲା ନିଆରା । ଜଣେ ଲେଖକ ଓ ସୁବକ୍ତା ଭାବେ ସେ ନିଜର ଅନ୍ୟ ଏକ ପରିଚୟ ତିଆରି କରିଥିଲେ । ଦକ୍ଷ ସଂଗଠକ ଭାବରେ ଆମ ଦଳର ସଂଗଠନକୁ ମଜଭୂତ୍ କରିବାରେ ତାଙ୍କର ଭୂମିକା ଅତୁଳନୀୟ । ତାଙ୍କ ବିୟୋଗ କେବଳ ଆମ ଦଳ ପାଇଁ ନୁହେଁ ବରଂ ରାଜ୍ୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁଣ୍ୟ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ଏହି କଠିନ ସମୟରେ ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

 


Share It

Comments are closed.