ପୃଥିବୀ ଆଡକୁ ମାଡିଆସୁଛି ଶକ୍ତିଶାଳୀ ସୌର ଝଡ; ଟେଲିଫୋନ ଓ ଜିପିଏସ ସଙ୍କେତ ପ୍ରେରଣ ହୋଇପାରେ ବ୍ୟାହତ


ଏକ ଶକ୍ତିଶାଳୀ ସୌର ଝଡ ପୃଥିବୀ ଆଡକୁ ମାଡିଆସୁଛି। ଘଣ୍ଟାକୁ ୧.୬ ନିୟୁତ କିଲୋମିଟର ବେଗରେ ଆସୁଥିବା ଏହି ଝଡ ଆଜି ଅର୍ଥାତ ସୋମବାର ପୃଥିବୀ ପୃଷ୍ଠ ଉପରେ ପ୍ରଭାବ ପକାଇବାକୁ ଯାଉଛି। ଏହାର ପ୍ରଭାବରେ ମୋବାଇଲ ଟେଲିଫୋନ ଏବଂ ଜିପିଏସ ସଙ୍କେତ ପ୍ରେରଣ ପ୍ରଭାବିତ ହେବାକୁ ଯାଉଛି। ବୈଜ୍ଞାନିକମାନେ କହିଛନ୍ତି ଯେ ସୂର‌୍ୟ୍ୟର ପରିବେଶରୁ ଏହି ଝଡ ସୃଷ୍ଟି ହୋଇଛି ଏବଂ ଏହାର ପ୍ରଭାବରେ ଅତ୍ୟୁଚ୍ଚ ଅରୋରା ସୃଷ୍ଟି ହେବ। ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ପ୍ରଭାବିତ କରିବ।

ଆମେରିକାର ମହାକାଶ ପାଣିପାଗ ପୂର୍ବାନୁମାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଏହି ସୌର ଝଡ ସୂର‌୍ୟ୍ୟକିରଣ ପଡୁଥିବା ପୃଥିବୀ ପୃଷ୍ଠରେ ଏକ ଉପ ସୌର ସ୍ଥଳରେ କେନ୍ଦ୍ରୀଭୂତ ହେବ। ଏଥିରୁ ହେଉଥିବା ଶକ୍ତିଶାଳୀ ବିକିରଣ ଦ୍ୱାରା ବେତାର ତରଙ୍ଗରେ ଗୁରୁତର ବ୍ୟାଘାତ ସୃଷ୍ଟିହେବ। ନାସା ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଏହି ସୌର ଝଡ ପ୍ରଭାବରେ ପୃଥିବୀ ପୃଷ୍ଠରେ ବେତାର ଯୋଗାଯୋଗ ବ୍ୟାହତ ହେବା ସହିତ ପୃଥିବୀ ବାୟୁମଣ୍ଡଳ ଉପରେ ଥିବା କୃତ୍ରିମ ଉପଗ୍ରହଗୁଡିକ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି। ବିଶେଷଜ୍ଞମାନେ କହିଛନ୍ତି, ଏହା ପ୍ରଭାବରେ ମୋବାଇଲ ଫୋନ ସଙ୍କେତ, ସାଟେଲାଇଟ ଟେଲିଭିଜନ, ଜିପିଏସ ସଙ୍କେତ ଆଦି ବ୍ୟାହତ ହେବ ଏବଂ ଅଧିକ ବିଦ୍ୟୁତ ସ୍ରୋତ ପ୍ରବାହିତ ହେଉଥିବା ଟ୍ରାନ୍ସଫର୍ମରଗୁଡିକ ଫାଟିଯିବା ଆଶଙ୍କା ରହିଛି।


Share It

Comments are closed.