ଆଇପିଏଲ ୨୦୨୦ର ଭବିଷ୍ୟକୁ ନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀ ଦେଲେ କିଛି ଏଭଳି ବୟାନ


କରୋନା ଭାଇରସ କାରଣରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିବା ଆଇପିଏଲ ୧୩ତମ ସଂସ୍କରଣର ଆୟୋଜନକୁ ନେଇ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ, ଏହି ସଂକ୍ରାନ୍ତରେ ନିଷ୍ପତି ବିସିସିଆଇ ନୁହେଁ ବରଂ କେନ୍ଦ୍ର ସରକାର ନିଷ୍ପତି ନେବେ । ଆଇପିଏଲ ୨୦୨୦ର ଆରମ୍ଭ ୨୯ ମାର୍ଚ୍ଚରୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରୁ ହେବାର ଥିବାବେଳେ କରୋନା ଭାଇରସକୁ ନେଇ ଏହାକୁ ସ୍ଥଗିତ କରାଇ ଦିଆଯାଇଛି ।
ରିଜିଜୁ କହିଛନ୍ତି ଯେ, “ଆଇପିଏଲର ଆୟୋଜନ ଉପରେ ନିଷ୍ପତି ଲୋକଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଯିବ” । ଖେଳ ମନ୍ତ୍ରୀ କହିଛନ୍ତି, “ଏ ସଂକ୍ରାନ୍ତରେ ବିସିସିଆଇ ନୁହେଁ ବରଂ କେନ୍ଦ୍ର ସରକାର ନିଷ୍ପତି ନେବେ । କେବଳ ଖେଳ ପ୍ରତିଯୋଗିତା ଆୟୋଜନ ପାଇଁ ଆମେ ନିଜ ଦେଶବାସୀଙ୍କ ସ୍ୱାସ୍ଥ୍ୟକୁ ବିପଦରେ ପକାଇ ପାରିବା ନାହିଁ । କରୋନା ବିରୋଧୀ ଲଢେଇ ହେଉଛି ଆମରୁ ମୁଖ୍ୟ ଉଦ୍ଦେଶ୍ୟ ”
ପ୍ରକାଶ ଥାଉକି, ଯଦି ଚଳିତ ବର୍ଷ ଆଇପିଏଲ ଆୟୋଜିତ ହୋଇନପାରେ ତେବେ ବୋର୍ଡକୁ ୪୦୦୦ କୋଟିରୁ ଉର୍ଦ୍ଧ୍ୱ କ୍ଷତି ସହିବାକୁ ପଡିବ । ତେବେ ପ୍ରସାରଣ ଅଧିକାର ବାବଦକୁ ୩୨୦୦ କୋଟି ହରାଇବ । ୨୦୧୮ରୁ୨୨ ପର୍ଯ୍ୟନ୍ତ ଅର୍ଥାତ ୫ ବର୍ଷ ପାଇଁ ଷ୍ଟାର ଇଣ୍ଡିଆ ଆଇପିଏଲର ଗ୍ଲୋବାଲ ମିଡିଆ ରାଇଟ (ବିଶ୍ୱ ପ୍ରସାରଣ ଅଧିକାର) ଜିତିଛି । ଏଥିପାଇଁ ୧୬,୩୪୭.୫ କୋଟି ଟଙ୍କା ଦେବ ବୋଲି ଚୁକ୍ତି କରିଛି । ଅର୍ଥାତ ବର୍ଷକୁ ୩୨୬୯.୫୦ କୋଟି । ଯଦି ଚଳିତ ବର୍ଷ ଆଇପିଏଲ ବାତିଲ ହୁଏ ତେବେ ଏତିକି ଅର୍ଥ ବିସିସିଆଇକୁ ହରାଇବାକୁ ପଡିବ । ଏହା କେବଳ ପ୍ରସାରଣ ଅଧିକାର ବାବଦକୁ , ଅନ୍ୟାନ୍ୟ ଦିଗ ମଧ୍ୟ ରହିଛି । ତେଣୁ ବିସିସିଆଇ ସଂସ୍କରଣକୁ ବାତିଲ ନକରି ଚଳିତ ବର୍ଷ ଆୟୋଜନ କରିବାର ଯୋଜନା କରୁଛି ।


Share It

Comments are closed.