ପ୍ରତିକୂଳ ପରିସ୍ଥିତିରେ ପ୍ରଧାନ ସେବକର ପରିଚୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ- ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, – କରୋନା ଭଳି ପ୍ରତିକୂଳ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମଜିକେଏୱାଇ)ର ସମୟ ସୀମାକୁ ବାରମ୍ବାର ବୃଦ୍ଧି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ସେବକର ପରିଚୟ ଦେଇଛନ୍ତି ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମୟ ସୀମାକୁ ଆଉ ଥରେ ୪ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବା ଭଳି ଜନକଲ୍ୟାଣକାରୀ ନିଷ୍ପତିକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର ଦେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ଦ୍ୱାରା ଓଡ଼ିଶା ସମେତ ଦେଶର ୮୦ କୋଟି ନାଗରିକ ପୁଣି ଡିସେମ୍ବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମାଗଣାରେ ଚାଉଳ, ଗହମ ଓ ଡ଼ାଲି ପାଇପାରିବେ । କରୋନାର ପ୍ରାରମ୍ଭରୁ ବର୍ତମାନ ପର୍ଯ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଗରିବ ଲୋକମାନଙ୍କ କଷ୍ଟକୁ ଅନୁଭବ କରି ପ୍ରଧାନମନ୍ତ୍ରୀ ପ୍ରଧାନ ସେବକର ପରିଚୟ ଦେଇଛନ୍ତି । ଖାଦ୍ୟଶସ୍ୟର ଅଭାବ ଯୋଗୁଁ କେହି ଭୋକରେ ରହିବେ ନାହିଁ, ଏହାକୁ ପ୍ରଧାନମନ୍ତ୍ରୀ ସୁନିଶ୍ଚିତ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ର ଟ୍ୱିଟ୍ କରିଛନ୍ତି ।
ସେହିପରି ନୂତନ ଯୁଗର ଶିଳ୍ପ କ୍ଷେତ୍ରରେ ଦକ୍ଷ ମାନବସମ୍ବଳ ପ୍ରସ୍ତୁତ କରିବା ଦିଗରେ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଆପ୍ରେଂଟ୍ରିସିପକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ୍ ଜାତୀୟ ଆପ୍ରେଂଟ୍ରିସିପ ପ୍ରଶିକ୍ଷଣ ଯୋଜନା(ଏନଏଟିଏସ) ଅନ୍ତର୍ଗତ ଆଗାମୀ ୫ ବର୍ଷ ପାଇଁ ୩ ହଜାର ୫୪ କୋଟିର ସହାୟତା ଅର୍ଥକୁ ମଞ୍ଜୁର କରାଯାଇଛି । ଯାହା ଗତ ୫ ବର୍ଷ ମଧ୍ୟରେ ଏନଏଟିଏସ ଯୋଜନାରେ ଖର୍ଚ୍ଚ କରାଯାଇଥିବା ଟଙ୍କାର ସାଢ଼େ ୪ ଗୁଣା ଅଧିକ ।
ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ଭାରତ ସରକାରଙ୍କ ପ୍ରତିବଦ୍ଧତା ରହିଛି । ଏହି ଦିଗରେ ଜାତୀୟ ଆପ୍ରେନଟ୍ସିପ୍ ପ୍ରଶିକ୍ଷଣ ଯୋଜନାକୁ ଇଞ୍ଜିନିୟରିଂ ବିଭାଗର ଛାତ୍ରଛାତ୍ରୀଙ୍କ ବ୍ୟତିତ ମାନବ, ବିଜ୍ଞାନ, ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି । ଏହା ଦ୍ୱାରା ଆଗାମୀ ୫ ବର୍ଷରେ ୭ ଲକ୍ଷରୁ ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କୁ ରୋଜଗାର ଯୋଗାଇବ । ପ୍ରଧାନମନ୍ତ୍ରୀ ରୋଜଗାରକୁ ବୃଦ୍ଧି କରିବା ଓ ଯୁବକଯୁବତୀଙ୍କୁ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ କୁଶଳୀ କରିବା ଓ ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦେବା ଦିଗରେ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।


Share It

Comments are closed.