ବର୍ତ୍ତମାନ ଘରେ ନେଇପାରିବେ ଷ୍ଟ୍ରିଟ୍ ଫୁଡର ମଜା: Swiggy, Zomato ସହିତ ହାତ ମିଳାଇଲେ ସରକାର


ରାସ୍ତା କଡ଼ରେ ଥିବା ଖାଦ୍ୟ ବିକ୍ରେତାଙ୍କୁ ସାହାଯ୍ୟ କରିବା ପାଇଁ ମୋଦୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ସ୍ବୟଂ ନିର୍ଭରଶୀଳ ପାଣ୍ଠି (PM SVANidhi ସ୍କିମ୍) ଅଧୀନରେ ନଗର ଉନ୍ନୟନ ମନ୍ତ୍ରଣାଳୟ ଜୋମାଟୋ ନାମକ ଏକ ଅନଲାଇନ୍ ଫୁଡ ଅର୍ଡର ଏବଂ ହୋମ ଡେଲିଭରୀ କମ୍ପାନୀ ସହିତ ସହବନ୍ଧିତ ହୋଇଛନ୍ତି। ଫୁଡ୍ ଏଗ୍ରିଗେଟର୍ ଜୋମାଟୋ ଗୁରୁବାର ଏହି ଯୋଜନାରେ ଏକାଠି କାମ କରିବାକୁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି | ପ୍ରକାଶଥାଉ ଯେ ସରକାର ସ୍ବିଗି ସହିତ ଏକ ଚୁକ୍ତିନାମା କରିସାରିଛନ୍ତି।

କେନ୍ଦ୍ର ସରକାର ଓ Swiggy, Zomato ମଧ୍ୟରେ ହୋଇଥିବା ଚୁକ୍ତି ପରେ ଷ୍ଟ୍ରିଟ ଭେଣ୍ଡର୍ସ ଖାଦ୍ୟପେୟ ସାମଗ୍ରୀର ଅନଲାଇନ ଅର୍ଡର ନେବା ପରେ ହୋମ ଡେଲିଭରୀ କରିପାରିବେ। ଫଳରେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଏହି ସେକ୍ଟରକୁ କାମ ମିଳିବ। ଏହାସହ ଷ୍ଟ୍ରିଟ ଫୁଡ ଖାଇବାକୁ ଭଲ ପାଉଥିବା ଲୋକେ ଘରେ ବସି ଷ୍ଟ୍ରିଟ ଫୁଡର ମଜା ନେଇପାରିବେ।

କରୋନା ସଙ୍କଟ ଯୋଗୁଁ ଲକ୍ଷ ଲକ୍ଷ ଷ୍ଟ୍ରିଟ ଭେଣ୍ଡର୍ସ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ରୋଜଗାର ମାନ୍ଦାବସ୍ଥା ଦେଇ ଗତି କରୁଛି। ଜୋମାଟୋ କହିଛି ଯେ ସେ ୬ଟି ସହରରେ ୩୦୦ ଫୁଡ ଭେଣ୍ଡର୍ସଙ୍କୁ ଟ୍ରେନିଂ ଦେବାସହ ଏହି ଯୋଜନା ଆରମ୍ଭ କରିବ। ଯୋଜନା ଆରମ୍ଭ ହେବାପରେ ଅନେକ ଲୋକଙ୍କୁ ରୋଜଗାର ମଧ୍ୟ ମିଳିବ। ଏହି ୬ଟି ସହର ହେଲା ଭୋପାଲ, ନାଗପୁର, ପାଟନା, ନାଗପୁର, ଲୁଧିଆନା ଓ ବଡୋଦରା। ପ୍ରଥମ ପର୍ଯ୍ୟାୟ ସଫଳ ହେବାପରେ ଜୋମାଟୋ ଏହି ଯୋଜନା ଆଉ ୧୨୫ ସହରରେ ଆରମ୍ଭ କରିବ ଏବଂ ଦେଶ ସାରା ଷ୍ଟ୍ରିଟ ଭେଣ୍ଡର୍ସଙ୍କୁ ପ୍ରଶିକ୍ଷଣ ଦେବ।

ଜୋମାଟୋ ଏହି ଷ୍ଟ୍ରିଟ ଭେଣ୍ଡର୍ସଙ୍କୁ ଫୁଡ ସେଫଟି ଓ ହାଇଜିନ ସମ୍ବନ୍ଧରେ ପ୍ରଶିକ୍ଷିତ କରିବ ଏବଂ ସେମାନଙ୍କ ପାନ କାର୍ଡ, ଏଫଏସଏସଏଆଇ ରେଜିଷ୍ଟ୍ରେସନ, ଫୁଡ ମେନ୍ୟୁ ଡ଼ିଜିଟାଲିକରଣ ଏବଂ ଫୁଡ ପ୍ରାଇସ ଫିକ୍ସ କରିବାରେ ଅଧ୍ୟା ସାହାଯ୍ୟ କରିବ।

ପିଏମ ସ୍ୱନିଧି ସ୍କିମ ଯୋଜନା ଅନୁସାରେ ଭେଣ୍ଡର୍ସ ୧୦ ହଜାର ଟଙ୍କା ୱର୍କିଙ୍ଗ କ୍ୟାପିଟାଲ ଋଣ ଭାବେ ନେଇପାରିବେ। ଏହାକୁ ମାସିକ କିସ୍ତି ହିସାବରେ ବର୍ଷେରେ ସୁଝିବାକୁ ପଡିବ। ସମୟରେ ଋଣ ଶୁଝିଦେଲେ ଭେଣ୍ଡର୍ସଙ୍କ ବ୍ୟାଙ୍କ ଖାତାରେ ବାର୍ଷିକ ୭ ପ୍ରତିଶତ ସବସିଡି ଆଧାରରେ ଜମା କରାଯିବ।

ଏହି ଯୋଜନାରେ ଠେଲା ଦୋକାନୀ, ଛୋଟ ସେଲୁନ, ମୋଚି, ପାନ ଦୋକାନ, ଲଣ୍ଡ୍ରି ସେବା ଆଦି ସାମିଲ। ଏଥିରେ ଠେଲାରେ ପନିପରିବା, ଫଳ, ଚା’, ପକୁଡି, ବ୍ରେଡ, ଅଣ୍ଡା, କପଡା, ବହି ଆଦି ବିକ୍ରି କରୁଥିବା ଦୋକାନୀ ସାମିଲ।


Share It

Comments are closed.