ପିଏମ୍ ସୂର୍ଯ୍ୟଘର ଯୋଜନା ଏକ ସବୁଜ ଭବିଷ୍ୟତର ପଥ ପ୍ରଶସ୍ତ କରୁଛି
ଭୁବନେଶ୍ୱର: ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରି ଅକ୍ଷୟ ଶକ୍ତିକୁ ସୁଲଭ ମୂଲ୍ୟରେ ଲୋକମାନଙ୍କ ପାଖରେ ପହଂଚାଇବା ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା। ଏହି ପଦକ୍ଷେପ ଘରୋଇ ଛାତ ଉପରେ ସୌର ଶକ୍ତି ସ୍ଥାପନ ପ୍ରକ୍ରିୟାକୁ ସରଳ କରିଛି। ସମଗ୍ର ରାଜ୍ୟ ଓ ଦେଶରେ ଦ୍ରୁତ ବେଗରେ ରୁଫ୍ଟପ୍ ସୋଲାର ସ୍ଥାପନକୁୁ ସୁଗମ କରିଥିବା ଏହି ଯୋଜନାର ଲକ୍ଷ୍ୟ ହେଉଛି ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା।
ଏହି ଯୋଜନାର ଏକ ପ୍ରମୁଖ ବିଶେଷତ୍ୱ ହେଉଛି ସବସିଡି ବ୍ୟବସ୍ଥା। ଗ୍ରାହକମାନେ ୩ କିଲୋୱାଟ୍ ପର୍ଯ୍ୟନ୍ତ ସ୍ଥାପନା ପାଇଁ କେନ୍ଦ୍ର ସରକାରଙ୍କଠାରୁ ୭୮,୦୦୦ ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇପାରିବେ। ଏଥିପାଇଁ ଓଡ଼ିଶା ସରକାର ମଧ୍ୟ ୬୦,୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ସବସିଡି ପ୍ରଦାନ କରୁଛନ୍ତି। ଆର୍ଥିକ ବୋଝକୁ ଆହୁରି କମ୍ କରିବା ପାଇଁ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକଠାରୁ ୭% ସୁଧ ହାରରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଲଭ ଋଣ ଉପଲବ୍ଧ ହେଉଛି। ଏହି ଯୋଜନାର ପ୍ରାରମ୍ଭିକ ଗ୍ରହଣକାରୀମାନଙ୍କ ମାସିକ ବିଦ୍ୟୁତ୍ ବିଲ୍ରେ ଯଥେଷ୍ଟ ହ୍ରାସ ଘଟିଛି ଯାହା ଏହି ପଦକ୍ଷେପର ଅର୍ଥନୈତିକ ଏବଂ ପରିବେଶଗତ ଲାଭକୁ ସୁଦୃଢ଼ କରିଛି।
୨୦୨୭ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ରୁଫ୍ ଟପ୍ ସୋଲାର ପ୍ୟାନେଲ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି ଯାହା ସବୁଜ ଶକ୍ତି ଆଡ଼କୁ ପରିବର୍ତନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବା ପାଇଁ ରହିଥିବା ଭାରତର ଜାତୀୟ ଲକ୍ଷ୍ୟ ସହିତ ଏହି ପଦକ୍ଷେପ ସମନ୍ୱିତ ରହିଛି। ପରିବେଶ ଲାଭ ବ୍ୟତୀତ ଏହି ଯୋଜନା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ କାର୍ବନ ଫୁଟପ୍ରିଂଟ୍କୁ ହ୍ରାସ କରି ଦେଶର ସ୍ଥାୟୀତ୍ୱ ପ୍ରୟାସକୁ ଆହୁରି ସୁଦୃଢ଼ କରିବ।
ଏହି ଯୋଜନାର ପ୍ରଭାବଶାଳୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ୨୦୨୫ ଜାନୁଆରୀ ୨୨ ତାରିଖରେ ଆରଇସି ଲିମିଟେଡର ଭୁବନେଶ୍ୱର ଆଂଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ଭେଣ୍ଡର ମିଟ୍ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୌରଶକ୍ତି ବିକ୍ରେତା ଏବଂ ଏସ୍ଏଲ୍ବିସି ଏବଂ ବ୍ୟାଙ୍କିଙ୍ଗ୍ ସହଯୋଗୀମାନେ ଉତ୍ସାହଜନକ ଅଂଶଗ୍ରହଣ କରିଥିଲେ। ଏଥିରେ ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ ଓ ଓରେଡାର ସିଇଓ ସାଇଦତ୍ତ ବିପ୍ଲବ କେଶରୀ ପ୍ରଧାନଙ୍କ ସମେତ ଭୁବନେଶ୍ୱର ଆରଇସିର ସିପିଏମ୍ ଉପସ୍ଥିତ ଥିଲେ। ଏହି ବୈଠକ ପ୍ରମୁଖ ଅଂଶୀଦାରମାନଙ୍କ ପାଇଁ ଯୋଜନାର କାର୍ଯ୍ୟକାରିତାରେ ଥିବା ପ୍ରତିବନ୍ଧକଗୁଡ଼ିକୁ ସମାଧାନ କରିବା ଏବଂ ସମ୍ଭାବ୍ୟ ସମାଧାନ ଅନ୍ୱେଷଣ କରି ଗଠନମୂଳକ ଆଲୋଚନାରେ ନିୟୋଜିତ ହେବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥିଲା।
ଆଗାମୀ ପିଢ଼ି ପାଇଁ ଏକ ଦୀର୍ଘସ୍ଥାୟୀ ଭବିଷ୍ୟତକୁ ସୁନିଶ୍ଚିତ କରି ଭାରତର ଶକ୍ତି କ୍ଷେତ୍ରରେ ପରିବର୍ତନ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାକୁ ପ୍ରସ୍ତୁତ କରାଯାଇଛି ।
Comments are closed.