ଶେଷରେ ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ମୋଦି ସରକାର, ୩ ନୂଆ କୃଷି ଆଇନ ପ୍ରତ୍ୟାହାର


କୃଷକଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲେ ମୋଦି ସରକାର। ୩ ନୂଆ କୃଷି ଆଇନ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ଶୀତ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ। ଆନ୍ଦୋଳନରତ କୃଷକମାନେ ନିଜ ଘରକୁ ଫେରିଯାଆନ୍ତୁ ବୋଲି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, କୃଷିରେ ସୁଧାର ଏବଂ କୃଷକଙ୍କ କଲ୍ୟାଣ ପାଇଁ ଏହି ୩ ନୂଆ କୃଷି ଆଇନ ଅଣାଯାଇଥିଲା। କ୍ଷୁଦ୍ର ଚାଷୀମାନଙ୍କ ହିତକୁ ଦୃଷ୍ଟିରେ ରଖି ଏହି ଆଇନ ଅଣାଯାଇଥିଲା। ବର୍ଷ ବର୍ଷ ଧରି ଦେଶର କୃଷକ, ବିଶେଷଜ୍ଞ, ଓ ଅର୍ଥଶାସ୍ତ୍ରୀମାନେ ଏହି ଆଇନ ଆଣିବାକୁ ଦାବି କରିଆସୁଥିଲେ। ସରକାର ଦେଶର କୃଷକ ଜଗତ ହିତ ପାଇଁ, ଗ୍ରାମରେ ଥିବା ଗରିବଙ୍କ ହିତ ପାଇଁ ପୂର୍ଣ୍ଣ ସମର୍ଥନ ଭାବରେ ଏହି ଆଇନ ଆଣିଥିଲେ। ହେଲେ ବୁଝାଇବା ସତ୍ତ୍ଵେ ଆମେ କିଛି ଗୋଷ୍ଠୀକୁ ବୁଝାଇବାରେ ବିଫଳ ହେଲୁ। ତେଣୁ କୃଷକଙ୍କ ବିରୋଧକୁ ଦୃଷ୍ଟିରେ ରଖି ନୂଆ କୃଷି ଆଇନ ପ୍ରତ୍ୟାହାର କରାଗଲା। ଯାହାବି କରୁଛି ଦେଶର କଲ୍ୟାଣ ପାଇଁ କରୁଛି। ତେବେ ଆନ୍ଦୋଳନରତ କୃଷକମାନେ ନିଜ ନିଜ ଘରକୁ ଫେରିଯାଆନ୍ତୁ ବୋଲି ମୋଦି ଅପିଲ କରିଛନ୍ତି। କୃଷକମାନେ ନିଜ ନିଜ କ୍ଷେତକୁ ଫେରି ଆଉ ଏକ ନୂତନ ଶୁଭାରମ୍ଭ କରନ୍ତୁ ବୋଲି ମୋଦି କହିଛନ୍ତି।

ଗୁରୁ ନାନକ ଦେବଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପ୍ରକାଶପର୍ବର ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ ଦୀର୍ଘ ଦେଢ ବର୍ଷ ପରେ କରତାରପୁର କରିଡର ଏବେ ପୁଣି ଥରେ ଖୋଲିଥିବାରୁ ଏହା ଦେଶବାସୀଙ୍କ ପାଇଁ ଖୁସିର ବିଷୟ ବୋଲି ମୋଦି କହିଛନ୍ତି।


Share It

Comments are closed.