ସାମାଜିକ ଦୂରତା ବଜାୟୀ ରଖିବା ପାଇଁ ନିବେଦନ କଲେ ପ୍ରଧାନମନ୍ତ୍ରୀ


ସମ୍ପ୍ରତି ଦେଶରେ କରୋନା ଭୁତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡିକ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ଏ ସମ୍ପର୍କରେ ଦେଶବାସୀଙ୍କ ସମ୍ବୋଧିତ କରି ସଂକଳ୍ପ ଓ ସଂଯମତା ରକ୍ଷା ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୨ରେ ଦେଶବାସୀଙ୍କ ଦ୍ୱାରା ଜନତା କର୍ଫ୍ୟୁ ପାଳନରେ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଆଜି ରାତି ୧୨ଟା ଠାରୁ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ସମ୍ପର୍ଣ୍ଣ ଲକ ଡାଉନ ପରିସ୍ଥିତିରେ ସହଯୋଗ କରିବାକୁ କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଦେଶ ଉପରକୁ ସଙ୍କଟ ପରିସ୍ଥିତି ଆସେ ସେତେବେଳେ ଭାରତୀୟମାନେ ସେମାନଙ୍କ ଏକତା ପ୍ରଦର୍ଶନ କରିଥାନ୍ତି। ମୋଦୀ ଦେଶବାସୀଙ୍କୁ ଅବଗତ କରାଇବାକୁ କହିଛନ୍ତି ଯେ ଯଦିଓ ସମସ୍ତେ କରୋନା ଭୁତାଣୁ ସଂକ୍ରମଣ ବିଷୟରେ ଗଣମାଧ୍ୟମରୁ ଜାଣିବାକୁ ପାଉଛନ୍ତି ଏବଂ ଏ କଥା ମଧ୍ୟ ଜାଣୁଛନ୍ତି ଯେ ଏହି ସଂକ୍ରମଣ ଅନେକ ସମର୍ଥ ଦେଶକୁ ଏବେ ବିବଶ କରିଦେଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରାୟ ଏକ ମାସ ଧରି ମିଳିଥିବା ଏ ସମ୍ପର୍କିତ ତଥ୍ୟରୁ ଜଣାପଡିଛି ଏବଂ ବିଶେଷଜ୍ଞମାନେ କହିଛନ୍ତି ଏହି ଭୁତାଣୁ ସଂକ୍ରମଣର ମୁକାବିଲା ପାଇଁ କୌଣସି ଔଷଧ ନାହିଁ, ଏଥିରୁ ରକ୍ଷା ପାଇବାକୁ ହେଲେ ଆମକୁ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପଡିବ। କରୋନା ସଂକ୍ରମଣକୁ ରୋକିବାକୁ ହେଲେ ଏହାର ଶୃଙ୍ଖଳାକୁ ଭାଙ୍ଗିବାକୁ ପଡିବ। କିଛି ଲୋକ ଭାବନ୍ତି ଯେ ସାମାଜିକ ଦୂରତ୍ୱ କେବଳ ରୋଗ ଗ୍ରସ୍ତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ କିନ୍ତୁ ଏହା ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ପରିବାର, ପରିବାରର ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ। ଏହା ପାଳନ ନ କଲେ ଆମ ଦେଶକୁ ବହୁତ ବଡ କ୍ଷତି ସହିବାକୁ ପଡିପାରେ ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ୨ ଦିନ ହେବ ଦେଶର ଅନେକ ଭାଗରେ ଲକ ଡାଉନ କରାଯାଇଛି। ରାଜ୍ୟ ସରକାର ଏହି ଲକ ଡାଉନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଯେପରି ପାଳନ ହୁଏ ସେ ନେଇ ପଦକ୍ଷେପ ନେବାକୁ ସେ କହିଛନ୍ତି। ମୋଦୀ ଆଜି ମଧ୍ୟରାତ୍ରୀରୁରୁ ସାରା ଦେଶ ସମ୍ପୂର୍ଣ୍ଣ ଲକ ଡାଉନ ହେବ ନେଇ ଘୋଷଣା କରିବା ସହ ଏକଥା ମଧ୍ୟ କହିଛନ୍ତି ଯେ ହିନ୍ଦୁସ୍ଥାନକୁ ସୁରକ୍ଷିତ ରଖିବା ପାଇଁ ଆଜି ରାତି ୧୨ରୁ ଘରୁ ବାହାରକୁ ବାହାରିବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଗଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଂଚଳ, ସବୁ ଗାଁ ଓ ସହରକୁ ଲକ ଡାଉନ କରାଗଲା। ସେ କହିଛନ୍ତି ଯେ ଏହି ଲକ ଡାଉନ ଫଳରେ ଦେଶ ପାଇଁ ନିଶ୍ଚିତ ଆର୍ଥିକ ସମସ୍ୟା ସୃଷ୍ଟି ହେବ କିନ୍ତୁ ସେ ତୁଳନାରେ ପ୍ରତ୍ୟେକ ଭାରତୀୟଙ୍କ ଜୀବନ ସୁରକ୍ଷିତ ରଖିବା ଜରୁରୀ ଅଟେ।

ବର୍ତ୍ତମାନର ପରିସ୍ଥିତିକୁ ଦେଖି ୨୧ ଦିନ ପାଇଁ ଲକ ଡାଉନ କରାଯାଉଥିବା ମୋଦୀ କହିବା ସହ ସମସ୍ତେ କେବଳ ଘରେ ରହିବା ବ୍ୟତୀତ ଆଉ କିଛି କରିବେ ନାହିଁ। ଏହି ଭୁତାଣୁ ସଂକ୍ରମଣ ରୋକିବା ଦିଗରେ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ ତେଣୁ ଆମକୁ ଏହି ରାସ୍ତା ଆପଣେଇବାକୁ ପଡିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଏକ ବିଶ୍ଳେଷଣ ଉପସ୍ଥାପନ କରି କହିଛନ୍ତି ଯେ ୧ ଲକ୍ଷ ଲୋକ ସଂକ୍ରମିତ ହେବ ପାଇଁ ପ୍ରଥମେ ୬୭ ଦିନ ଲାଗିଥିବା ବେଳେ ପରବର୍ତୀ ସମୟରେ ମାତ୍ର ୧୧ ଦିନରେ ୨ଲକ୍ଷ ଲୋକଙ୍କୁ ସଂକ୍ରମିତ କଲା ଓ ୪ ଦିନ ଭିତରେ ଏହି ସଂକ୍ରମଣ ଅନ୍ୟ ୧ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କଲା।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଧୈର୍ଯ୍ୟ ଏବଂ ଅନୁଶାସନର ସମୟ। ଯେ ପର୍ଯ୍ୟନ୍ତ ଦେଶରେ ଲକ ଡାଉନ ପରିସ୍ଥିତି ରହିବା, ଆମକୁ ଆମର ସଂକଳ୍ପ ରକ୍ଷା କରିବାକୁ ପଡିବ ଓ ଆମର ପ୍ରତିଶ୍ରୁତି ପାଳନ କରିବାକୁ ପଡିବ। ଏହି ମହାମାରୀରୁ ଗୋଟିଏ ଜୀବନ ରକ୍ଷା କରିବାକୁ ଡାକ୍ତରଖାନାରେ ଦିନରାତି କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, ପାରା-ମେଡିକାଲ କର୍ମଚାରୀ, ପାଥୋଲୋଜିଷ୍ଟଙ୍କ ବିଷୟରେ ଭାବିବାକୁ ମୋଦୀ କହିଛନ୍ତି। ସେ କହିଛନ୍ତି, ତୁମେ ସେହି ଲୋକମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ, ଯେଉଁମାନେ ତୁମର ସମାଜ, ତୁମର ପଡ଼ୋଶୀ, ତୁମର ସଡକ, ସର୍ବସାଧାରଣ ସ୍ଥାନ ପରିମଳ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଯାହା ଫଳରେ ଏହି ଭୁତାଣୁର ତିଳେ ମାତ୍ର ଚିହ୍ନ ରହିବ ନାହିଁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା କରିବା ପାଇଁ କେନ୍ଦ୍ର ତଥା ଦେଶର ରାଜ୍ୟ ସରକାର ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି। ଦୈନନ୍ଦିନ ଜୀବନରେ ଲୋକଙ୍କ ପାଇଁ ଯେପରି କୌଣସି ଅସୁବିଧା ନ ହୁଏ ସେ ନେଇ ନିରନ୍ତର ଚେଷ୍ଟା ଚାଲିଥିବା ସେ କହିଛନ୍ତି।ବର୍ତ୍ତମାନ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ପାଇଁ କେନ୍ଦ୍ର ସରକାର ୧୫ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ମୋଦୀ କହିଛନ୍ତି। ଏହା କରୋନା ସମ୍ବନ୍ଧୀୟ ପରୀକ୍ଷଣ ସୁବିଧା, ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ, ଅଲଗା ଶଯ୍ୟା, ଆଇସିୟୁ ବେଡ୍, ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣଗୁଡ଼ିକର ସଂଖ୍ୟାକୁ ଶୀଘ୍ର ବୃଦ୍ଧି କରିବାରେ ସହାୟକ ହେବ। ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି, ଯେ ବର୍ତ୍ତମାନ ସମୟରେ ପ୍ରଥମ ପ୍ରାଥମିକତା କେବଳ ସ୍ୱାସ୍ଥ୍ୟ ସେବା ହେବା ଉଚିତ ଏବଂ ସ୍ୱାସ୍ଥ୍ୟସେବା ପ୍ରାଥମିକତା ହେବା ଉଚିତ୍।


Share It

Comments are closed.