ଜୁନ ୧ରୁ ଲକ୍‌ଡାଉନ ୫.୦? ମୋଦି ଏବଂ ଶାହଙ୍କ ମଧ୍ୟରେ ମାନସ ମନ୍ଥନ ଜାରି


କରୋନା ଭାଇରସ ପ୍ରସାରକୁ ରୋକିବା ପାଇଁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଜାରି ରହିଛି | ଚତୁର୍ଥ ପର୍ଯ୍ୟାୟ ଲକଡାଉନ ମେ ୩୧ ତାରିଖରେ ଶେଷ ହେବ | ଲକଡାଉନ ପୁଣି ବଢିବ ନା ନାହିଁ ସେ ସମ୍ପର୍କରେ ସ୍ପଷ୍ଟ ହୋଇନାହିଁ | ତେବେ ତମାମ ଉପୟ ସତ୍ତ୍ୱେ କରୋନା ସଂକ୍ରମଣ ମାମଲା କମ ହେବାର ନାଁ ନେଉନାହିଁ | ଦେଶରେ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି | ସେଥିପାଇଁ ଲକଡାଉନ ଅବଧି ମେ ୩୧ ତାରିଖ ପରେ ବୃଦ୍ଧି କରାଯାଇପାରେ ବୋଲି ଆଶଙ୍କା କରାଯାଉଛି | ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ମନ୍ଥନ ଜାରି ରହିଛି | ଯଦି ଲକଡାଉନ ଅବଧି ବୃଦ୍ଧି କରାଯାଏ ତାହେଲେ କେଉଁ ନିୟମ କଡାକଡି କରାଯିବ ଏବଂ କେଉଁ ନିୟମ କୋହଳ କରାଯିବ ସେନେଇ ମୋଦି ଓ ଅମିତ ଶାହଙ୍କ ମଧ୍ୟରେ ଆଲୋଚନା ହେଉଛି |

ଏହା ପୂର୍ବରୁ ଅମିତ ଶାହ ଗୁରୁବାର ଦିନ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ଏବଂ ରାଷ୍ଟ୍ରବ୍ୟାପୀ ଲକଡାଉନକୁ ୩୧ ତାରିଖ ପରେ ବଢାଇବା ଉପରେ ମୁଖ୍ୟମନ୍ତ୍ରୀମାନଙ୍କ ବିଚାର ସମ୍ପର୍କରେ ପଚାରି ବୁଝିଛନ୍ତି | ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଅବଧି ଶେଷ ହେବାର ୩ ଦିନ ପୂର୍ବରୁ ଗୃହମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି | ପ୍ରଥମ ପର୍ଯ୍ୟାୟ ଲକଡାଉନ ମରର୍ଚ୍ଚ ୨୫ ତାରିଖରେ ଲାଗୁ ହୋଇଥିଲା | ଏହାପରେ ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ୩ଥର ଲକଡାଉନ ଅବଧି ବୃଦ୍ଧି କରାଯାଇଛି |

ରାଜ୍ୟର କେଉଁ କେଉଁ ଅଞ୍ଚଳରେ ଚିନ୍ତାଜନକ ସ୍ଥିତି ରହିଛି ଏବଂ କେଉଁ କେଉଁ ଅଞ୍ଚଳରେ କଣ କଣ ଖୋଲାଯିବା ଆବଶ୍ୟକ ସେନେଇ ମୁଖ୍ୟମନ୍ତ୍ରୀମାନଙ୍କ ରାୟ ନେଇଛନ୍ତି ଗୃହମନ୍ତ୍ରୀ | ଏହା ପୂର୍ବରୁ ଯେତେଥର ଲକଡାଉନ ଅବଧି ବୃଦ୍ଧି କରାଯାଇଛି, ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରି ନିଷ୍ପତ୍ତି ନେଉଥିଲେ | କିନ୍ତୁ ପ୍ରଥମଥର ପାଇଁ ଅମିତ ଶାହ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି |

ତେବେ ମୁଖ୍ୟମନ୍ତ୍ରୀମାନଙ୍କ ନିଷ୍ପତ୍ତି କଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | କିନ୍ତୁ ଅଧିକାଂଶ ମୁଖ୍ୟମନ୍ତ୍ରୀ ସେମାନଙ୍କ ରାଜ୍ୟରେ ଲକଡାଉନ ଅବଧି ବଢାଇବା ସପକ୍ଷରେ ଅଛନ୍ତି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି | ଏହାସହ ଆର୍ଥିକ ଗତିବିଧି ବଢାଇବା ଏବଂ ଜନଜୀବନକୁ ସାମାନ୍ୟ କରିବା ସପକ୍ଷରେ ମଧ୍ୟ ଅଛନ୍ତି | ତେବେ ୩ ଦିନ ମଧ୍ୟରେ କେନ୍ଦ୍ର ସରକାର ଲକଡାଉନ ସମ୍ପର୍କିତ ନିଷ୍ପତ୍ତି ନେଇ ଘୋଷଣା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି |


Share It

Comments are closed.