ଏସବିଆଇ ଫୋନପେ ଜାଲିଆତି ମାମଲାରେ କୌଣସି କର୍ମଚାରୀଙ୍କ ସଂପୃକ୍ତି ନଥିବା ସ୍ପଷ୍ଟ କରିଛି ଫୋନପେ


ଭୁବନେଶ୍ୱର: ଅଗ୍ରଣୀ ଡିଜିଟାଲ୍ ପେମେଂଟ ଏବଂ ଆର୍ôଥକ ସେବା କମ୍ପାନୀ ଫୋନପେ\’ର ଅଧିକାରୀ ରୂପେ ପରିଚୟ ଦେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ରୁ ୧୬.୭୧ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପକ୍ଷରୁ ଜଣେ ମହିଳାଙ୍କ ସମେତ ୬ ଜଣକୁ ଗିରଫ କରାଯାଇଛି । ଯାଂଚ ସମୟରେ ବ୍ୟାଙ୍କ ଅଧିକାରୀଙ୍କୁ ଠକିବା ପାଇଁ ସେମାନେ ଫୋନପେର ଏକ ସମ୍ପୂର୍ଣ୍ଣ ନକଲି କାର୍ଯ୍ୟାଳୟ ସ୍ଥାପନ କରିଥିଲେ ଏବଂ ସେମାନଙ୍କ ଋଣ ଆବେଦନକୁ ଅନୁମୋଦନ କରାଇବା ପାଇଁ ଉଚ୍ଚ ବେତନ ସ୍କେଲ ଦେଖାଇ ନକଲି ଦରମା ସ୍ଲିପ୍ ଦାଖଲ କରିଥିବା ଅଭିଯୋଗ ହୋଇଛି । କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ବୁଧବାର ମୁଖ୍ୟ ଅଭିଯୁକ୍ତ ଅନିର୍ବାଣ ପଟ୍ଟନାୟକ ଓ ତାଙ୍କ ପତ୍ନୀ ଅନୁପମା ଦାଶଙ୍କୁ ଭୁବନେଶ୍ୱର, ତୋଫାନ ରାଉତ ଓ ସତ୍ୟବାନ ରାଉତଙ୍କୁ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା, ଟୁକୁନା ମଲ୍ଲିକଙ୍କୁ କଟକ ବଡ଼ମ୍ବା, ଓ ପୁରୀ ଜିଲ୍ଲା କାକଟପୁରରୁ ଫିରୋଜ ଖାନଙ୍କୁ ଗିରଫ କରିଛି । ଏସବିଆଇ, ଭୁବନେଶ୍ୱର (ଆଂଚଳିକ ବ୍ୟବସାୟ କାର୍ଯ୍ୟାଳୟ)ର ମ୍ୟାନେଜର ଶିବ ସୁନ୍ଦର ସାହୁଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲୁ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ।

ନିକଟରେ ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଫୋନପେ ପ୍ରାଇଭେଟ ଲିମିଟେଡ (“ଫୋନପେ”) ପକ୍ଷରୁ ଏକ ବିବୃତି ଜାରି କରାଯାଇଛି, ଯେଉଁଥିରେ କମ୍ପାନୀ ସ୍ପଷ୍ଟ ଭାବରେ ଜଣାଇଛି ଯେ ଓଡ଼ିଶା ପୋଲିସଙ୍କ ଆର୍ଥିକ ଅପରାଧ ବିଭାଗ(ଇକୋନୋମିକ୍ସ ଅଫେନ୍ସ ୱିଙ୍ଗ) ଦ୍ୱାରା ଗିରଫ ହୋଇଥିବା ଉକ୍ତ ବ୍ୟକ୍ତିମାନେ କୌଣସି ସମୟରେ ଫୋନପେ କିମ୍ବା ଏହାର କର୍ମଚାରୀ ସହିତ କୌଣସି ପ୍ରକାରରେ ଜଡ଼ିତ ନାହାଁନ୍ତି । ସେମାନେ କେବେବି ଏହି କମ୍ପାନୀରେ କର୍ମଚାରୀ ରହିନାହାଁନ୍ତି ଏବଂ ସେମାନଙ୍କ ଦ୍ୱାରା ବ୍ୟବହାର ହୋଇଥିବା ଫୋନପେ ସମ୍ବନ୍ଧୀୟ ଯେକୌଣସି ଡକ୍ୟୁମେଂଟ ସମ୍ପୂର୍ଣ୍ଣ ରୂପେ ଜାଲିଆତି ଅଟେ । ଫୋନପେ ଏକ ଆଇନପାଳନକାରୀ ସଂଗଠନ ଏବଂ ଏହି ମାମଲାର ତଦନ୍ତରେ ଓଡ଼ିଶା ପୋଲିସଙ୍କ ଆର୍ଥିକ ଅପରାଧ ବିଭାଗ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହିତ ସମସ୍ତ ପ୍ରକାର ସହଯୋଗ କରାଯାଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କହିବା ବାହୁଲ୍ୟ ଯେ ଫୋନପେର ବ୍ରାଣ୍ଡ୍ ଏବଂ ସଦ୍ଭାବନାର ଅନଧିକୃତ ଏବଂ ବେଆଇନ ବ୍ୟବହାର ପାଇଁ ଏଭଳି ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ଫୋନ୍‌ପେ କଡ଼ା ନିନ୍ଦା କରୁଛି ।


Share It

Comments are closed.