ଭାରତର ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଗଠନ ହେବ ଟାସ୍କ୍ ଫୋର୍ସ – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, – ଭାରତର ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଟାସ୍କ୍ ଫୋର୍ସ ଗଠନ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୁକ୍ରବାର କତାରର ଉର୍ଜା ମନ୍ତ୍ରୀ ତଥା କତାର ପେଟ୍ରୋଲିୟମ ସଭାପତି ଓ ସିଇଓ ସାଦ୍ ଶେରିଦା ଅଲ-କବିଙ୍କ ସହ ଟୋଲିଫୋନରେ ଆଲୋଚନା କରିବା ପରେ ଶ୍ରୀ ପ୍ରଧାନ ଏହି ସୂଚନା ଦେଇଛନ୍ତି ।
ଭାରତର ସାମଗ୍ରିକ ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ କତାରର ମନ୍ତ୍ରୀ ଅଲ-କବିଙ୍କ ମଧ୍ୟରେ ଟେଲିଫୋନ୍ ମାଧ୍ୟମରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରୁ ଜଣାପଡିଛି ଯେ ଭାରତର ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଏକ ଟାସ୍କ ଫୋର୍ସ ଗଠନ ନେଇ ଇଭୟ ମନ୍ତ୍ରୀ ସମ୍ମତି ପ୍ରକାଶ କରିଛନ୍ତି ।
କାତାର ପେଟ୍ରୋଲିୟମର ଉପସଭାପତି ଓ ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟର ବରିଷ୍ଠ ଅଫିସରମାନେ ଗଠନ ହେବାକୁ ଥିବା ଟାସ୍କ ଫୋର୍ସର ପ୍ରତିନିଧିତ୍ୱ କରିବେ । ଭାରତର ଉର୍ଜା କ୍ଷେତ୍ରରେ ଥିବା କେଉଁ ନିର୍ଦ୍ଦିଷ୍ଟ ପ୍ରକଳ୍ପରେ କତାରର ପୁଞ୍ଜନିବେଶ କରିପାରିବ, ପ୍ରତିନିଧିମାନେ ଉକ୍ତ ପ୍ରକଳ୍ପ ଗୁଡ଼ିକର ଅନ୍ୱେଷଣ କରିବେ ।
ଭାରତକୁ ଏଲଏନଜି ଏବଂ ଏଲପିଜିର ନିରନ୍ତର ଯୋଗାଣରେ କତାରର ଭୂମିକା ଉପରେ ଶ୍ରୀ ପ୍ରଧାନ ଏହି ଆଲୋଚନାରେ ଦୋହରାଇଥିଲେ । ଉର୍ଜା କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତିକୁ ସୁଦୃଢ଼ କରିବା ନେଇ ଉଭୟ ମନ୍ତ୍ରୀ ସମ୍ମତି ପ୍ରକାଶ କରିଥିଲେ । ଏହାସହ କେବଳ କ୍ରୟ ବିକ୍ରୟ ନୁହେଁ ବରଂ ଦ୍ୱିପାକ୍ଷିକ ନିବେଶ ପାଇଁ ଭାରତ ଓ କତାରର ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା ।


Share It

Comments are closed.