ପୁଣି ମହଙ୍ଗା ହେବ ତେଲ, ଡିଜେଲ ଏବଂ ସୁନା ଦର


୨୦୧୯-୨୦ ବଜେଟରେ କେନ୍ଦ୍ର ସରକାର ଯେଉଁ ବ୍ୟବସ୍ଥା ରଖିଛନ୍ତି ତାହା ଦେଶର ସାଧାରଣ ତଥା ମଧ୍ୟବିତ୍ତ ବର୍ଗ ପାଇଁ ସେଭଳି ଉତ୍ସାହଜନକ ହୋଇନାହିଁ। ଏଥିସହ ବଜେଟରେ ସେଭଳି କିଛି ନୂତନତ୍ୱ ନ ଥିବା ବେଳେ ବରଂ ଆହୁରି ଅଧିକ ବୋଝ ପଡ଼ିଛି । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁସାରେ ପେଟ୍ରୋଲ ଓ ଡିଜେଲ ଦର ବଢିବାକୁ ଥିବା ବେଳେ ସୁନା ଦର ଆହୁରି ମହଙ୍ଗା ହେବ ।
ଅର୍ଥମନ୍ତ୍ରୀ ବଜେଟରେ ସୁନା ଉପରେ ଶୁଳ୍କ ବଢାଇଥିବା ବେଳେ ପେଟ୍ରୋଲ ଓ ଡିଜେଲ ଉପରେ ସେସ ଲଗାଇଛନ୍ତି । ସୁନା ଉପରେ ଶୁଳ୍କ ଅଢ଼େଇ ପ୍ରତିଶତ ବୃଦ୍ଧି ପାଇଛି । ୧୦ ପ୍ରତିଶତ ଶୁଳ୍କରୁ ୧୨.୫ ପ୍ରତିଶତକୁ ବଢାଇଛନ୍ତି ଅର୍ଥମନ୍ତ୍ରୀ । ସେହିଭଳି ପେଟ୍ରୋଲ ଓ ଡିଜେଲ ଉପରେ ୧-୧ ଟଙ୍କାର ଅତିରିକ୍ତ ସେସ୍ ଲାଗୁ କରିଛନ୍ତି । ଅର୍ଥାତ ପେଟ୍ରୋଲ ଓ ଡିଜେଲ ଦର ଆଗାମୀ ଦିନରେ ଆହୁରି ମହଙ୍ଗା ହେବ ।
ଖାଲି ଏତିକି ନୁହେଁ, ନିଶାଦ୍ରବ୍ୟ ଉପରେ ମଧ୍ୟ ଶୁଳ୍କ ବୃଦ୍ଧି କରିଛନ୍ତି ସରକାର । ଫଳରେ ଆଗାମୀ ଦିନରେ ତମାଖୁ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇବ। ସେହିଭଳି ରୂପା ସାମଗ୍ରୀର ଦର ମଧ୍ୟ ମହଙ୍ଗା ହେବ ବୋଲି ବଜେଟରୁ ସ୍ପଷ୍ଟ ହୋଇଛି ।


Share It

Comments are closed.