ପାକିସ୍ତାନର ନାଟକବାଜୀ, ଏଫଏଟିଏଫ ପଞ୍ଝାରୁ ବଞ୍ଚିବା ପାଇଁ ହାଫିଜ ସଏଦ, ଦାଉଦ ଇବ୍ରାହିମ, ମାସୁଦ ଆଜାର ଏବଂ ତାଲିବାନ ଉପରେ ଲଗାଇଲା ପ୍ରତିବନ୍ଧକ


ପାକିସ୍ତାନ ୮୮ ନିଷିଦ୍ଧ ଆତଙ୍କବାଦ ସଙ୍ଗଠନ ସମେତ ହାଫିଜ ସଇଦ, ଦାଉଦ୍ ଇବ୍ରାହିମ ଓ ମସୁଦ ଅଜହର ସମେତ ସେମାନଙ୍କ ଆକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛି। ଏକ ସୂଚନାରୁ ଶନିବାର ଏହା ଜଣାପଡିଛି। ଇଣ୍ଟରନ୍ୟାସନାଲ ଟେରୋରିଜିମ ଫାଇନାନସିଂ ଉପରେ ନଜର ରଖିଥିବା ଫାଇନାନସିଆଲ ଆକ୍ସନ ଟାସ୍କଫୋର୍ସ (ଏଫଏଟିଏଫ୍)ଙ୍କ ଗ୍ରେ ଲିଷ୍ଟରୁ ବାହାରକୁ ଆସିବା ଲାଗି ଶେଷରେ ପାକିସ୍ତାନ ଏହି କାର୍ଯ୍ୟାନୁଷ୍ଠାନ ଲାଗି ବାଧ୍ୟ ହୋଇଛି।

ମିଳୁଥିବା ସୂଚନା ଅନୁସାରେ ପାକିସ୍ତାନ ସରକାର ଆତଙ୍କବାଦ ଗତିବିଧି ସହ ଜଡିତ ଏହି ସବୁ ଲୋକ ଓ ସଙ୍ଗଠନଙ୍କ ବ୍ୟାଙ୍କ ଖାତା ସିଲ କରିବା ସହ  ସେମାନଙ୍କର ସମ୍ପତ୍ତି ଜବତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ୟାରିସ୍‌ ସ୍ଥିତ ଏଫଏଟିଏଫ ଗତ ୨୦୧୮ମସିହାରେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ପକାଇଥିଲେ ଓ ଇସ୍ଲାମାବାଦକୁ ୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟ ଯୋଜନା ଲାଗୁ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ତେବେ କୋଭିଡ-୧୯ ମହାମାରୀ ଲାଗି ଏହି ସମୟ ସୀମାକୁ ସମ୍ପ୍ରସାରଣ କରାଯାଇଛି। ଏଥିଲାଗି ସରକାର ୧୮ ଅଗଷ୍ଟରେ ଜାରି କରିଥିବା ଅଧିସୂଚନାରେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ରର ମୁଖ୍ୟ ହାଫିଜ ସଇଦ, ଜୈସ-ଏ-ମହମ୍ମଦ ମୁଖିଆ ମାସୁଦ ଅଜହର ଓ ମୁମ୍ବାଇ ଅଣ୍ଡରୱାର୍ଲଡ ଡନ ଦାଉଦ୍ ଇବ୍ରାହିମକୁ ପ୍ରତିବନ୍ଧିତ ଘୋଷଣା କରାଯାଇଥିଲା।  ୧୯୯୩ ମୁମ୍ବାଇ ସିରିଏଲ ବୋମାକାଣ୍ଡ ଲାଗି ଦାଉଦ୍ ଭାରତର ସବୁଠୁ ବାଞ୍ଛିତ ଆତଙ୍କବାଦୀ। ପାକିସ୍ତାନୀ ସମ୍ବାଦପ୍ତର ‘ଦି ନ୍ୟୁଜ୍’ ଅନୁସାରେ ପାକିସ୍ତାନ ସରକାର ନିକଟରେ ଜାତିସଂଘ ସୁରକ୍ଷା ପରିଷଦଙ୍କ ଦ୍ୱାରା ଜାରି ନୂଆ ସୂଚନାକୁ ଲାଗୁ କରିଥିବା ବେଳେ ଆତଙ୍କବାଦୀ ଗୋଷ୍ଠୀଙ୍କ ୮୮ ନେତା ଓ ସଦସ୍ୟଙ୍କୁ ପ୍ରତିବନ୍ଧିତ କରିଛି। ଏହି ପ୍ରତିବନ୍ଧିତ ସୂଚୀରେ ଜମାତ-ଉଦ-ଦାବା, ଜୈସ-ଏ-ମୋହମ୍ମଦ, ତାଲିବାନ, ଦାଏସ୍, ହକ୍କାନୀ ସମୂହ ଓ ଅଲକାଏଦ ସମେତ ଅନ୍ୟ ସଙ୍ଗଠନ ଅଛନ୍ତି। ସରକାର ଏହି ସବୁ ସଙ୍ଗଠନଙ୍କ ଚଳ ଓ ଅଚଳ ସମ୍ପତ୍ତି ଜବତ ଲାଗି ନିର୍ଦ୍ଦେଶ ଜାରି କରିଥିବା ବେଳେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିଛନ୍ତି।


Share It

Comments are closed.