ଏସିଆ କପ ପାକିସ୍ତାନ ବଦଳରେ ଅନ୍ୟ କୌଣସି ଭେନ୍ୟୁରେ ହେଲେ ବିଶ୍ୱକପରୁ ଓହରି ଯିବାକୁ ଦେଉଛି ଧମକ ପାକିସ୍ତାନ


୨୦୨୩ରେ ହେବାକୁ ଥିବା ଏସିଆ କପକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଲାଣି । ପାକିସ୍ତାନରେ ଏହି ଏସିଆ କପ୍ ଖେଳାଯିବାକୁ ଥିବା ବେଳେ ଭାରତ ବଡ ଝଟକା ଦେଇଛି । ଏସିଆ କପ୍ ଖେଳିବାକୁ ଭାରତ ପାକିସ୍ତାନ ଯିବ ନାହିଁ । ଏସିଆ କପ୍ ଅନ୍ୟ କୌଣସି ଭେନ୍ୟୁରେ କରାଯାଉ ବୋଲି ବିସିସିଆଇ ଦାବି କରୁଛି । ଆଉ ବିସିସିଆଇର ଏଭଳି ଆଭିମୁଖ୍ୟ ଦେଖି ଏବେ ରକ୍ତ ଚାଉଳ ଚୋବାଇବା ଆରମ୍ଭ କରିଛି ପାକିସ୍ତାନ । ଏପରିକି ଆସନ୍ତା ବର୍ଷ ଭାରତରେ ହେବାକୁ ଥିବ ବିଶ୍ୱକପରୁ ଓହରି ଯିବାକୁ ଧମକ ଦେଉଛି ।

ଏସବୁ ଭିତରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ବଦଳରେ ଏସିଆ କପ ଏକ ନିରପେକ୍ଷ ଭେନ୍ୟୁରେ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଆଉ ଏଭଳି ଚର୍ଚ୍ଚା ଭିତରେ ପାକିସ୍ତାନ ବୋର୍ଡର ଅଧ୍ୟକ୍ଷ ରମିଜ ରାଜା ଭାରତକୁ ପୁଣଥରେ ଧମକ ଦେବା ଆରମ୍ଭ କରିଛନ୍ତି । ରମିଜ୍ କହିଛନ୍ତି, ଯଦି ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଆସିବାକୁ ଚାହୁଁନି ତାହା ହେଲେ ଠିକ୍ ଅଛି । କିନ୍ତୁ ଏସିଆ କପ୍ ଯଦି ଅନ୍ୟ କୌଣସି ସ୍ଥାନକୁ ସିଫ୍ଟ କରାଯାଏ ତେବେ ପାକିସ୍ତାନ ନିଜ ନାଁ ଏହି ଟୁର୍ଣ୍ଣାମେଣ୍ଟରୁ ଫେରାଇନେବ । ଯାହା ଦର୍ଶାଉଛି ପାକିସ୍ତାନ ଏସିଆ କପ୍ ଆୟୋଜନକୁ ଏବେ ସବୁଠୁ ଅଧିକ ଗୁରୁତ୍ୱ ଦେଉଛି । କାରଣ ଏହି ବହୁ ଦେଶୀ ଟୁର୍ଣ୍ଣାମେଣ୍ଟ ହେଲେ ପାକିସ୍ତାନ କ୍ରିକେଟ ବୋର୍ଡର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ତେଣୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ଯେକୌଣସି ପରିସ୍ଥିତିରେ କରିବାକୁ ଚାହୁଁଛି ପାକିସ୍ତାନ ।
ରମିଜ କହିଛନ୍ତି, ଏମିତି ନୁହେଁ ଯେ ଆମ ପାଖରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନର ଅଧିକାର ନାହିଁ ଏବଂ ଏଥିପାଇଁ ଆମେ ଅପିଲ କରୁଛୁ । ଆମେ ଏସିଆ କପ୍ ଆୟୋଜନ ପାଇଁ ସମସ୍ତ ଅଧିକାର ପାଇଛୁ । ଯଦି ପାକିସ୍ତାନ ଆସିବାକୁ ଭାରତ ଚାହୁଁନି ତେବେ ନଆସୁ କିନ୍ତୁ ଏସିଆ କପ୍ ଆୟୋଜନ ଅଧିକାର ପାକିସ୍ତାନ ଠାରୁ ଯଦି ଛଡାଇ ନିଆଯାଏ ତେବେ ପାକିସ୍ତାନ ଟିମ୍ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ନିଜ ନାଁ ଫେରାଇନେବ । ଯଦି ଟିମ୍ ଇଣ୍ଡିଆ ଏସିଆ କପ ଖେଳିବାକୁ ଆସିବ ତେବେ ପାକିସ୍ତାନ ବିଶ୍ୱକପ୍ ଖେଳିବାକୁ ଯିବ । କିନ୍ତୁ ଯଦି ଟିମ୍ ଇଣ୍ଡିଆ ଏସିଆ କପ୍ ଖେଳିବାକୁ ନଆସେ ତେବେ ବିଶ୍ୱକପରେ ପାକିସ୍ତାନ ବିନା ଖେଳିବାକୁ ପଡିବ । ଏହାସହ ରମିଜ କହିଛନ୍ତି, ଯଦି ଆସନ୍ତାବର୍ଷ ଭାରତରେ ହେବାକୁ ଥିବା ବିଶ୍ୱକପ ପାକିସ୍ତାନ ଖେଳିବାକୁ ନଯାଏ ତେବେ ଏହାକୁ କିଏ ଦେଖିବ । ପାକିସ୍ତାନ ଟିମ୍ ଏବେ ଭଲ ପ୍ରଦର୍ଶନ କରୁଛି । ଏପରିକି ଟି-୨୦ ବିଶ୍ୱକପର ଫାଇନାଲ ଖେଳିଛି । ସମସ୍ତଙ୍କର ନଜର ପାକିସ୍ତାନ ଉପରେ ରହିଛି । ତେଣୁ ଏସିଆ କପ୍ ଆୟୋଜନରୁ ପାକିସ୍ତାନ ପଛକୁ ହଟିବାର ପ୍ରଶ୍ନ ଉଠୁନି ।

ରାଜନୈତିକ ବିବାଦ ଓ ସୁରକ୍ଷା ସମ୍ବନ୍ଧୀୟ କାରଣରୁ ଭାରତ-ପାକିସ୍ତାନ ମଧ୍ୟରେ ଗତ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ହେବ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଇନାହିଁ । କେବଳ ଆଇସିସି ଟ୍ରୁ୍ଣ୍ଣାମେଣ୍ଟରେ ପରସ୍ପରକୁ ଭେଟିଥାନ୍ତି ଉଭୟ ଦଳ । ଶେଷଥର ପାଇଁ ୨୦୧୨ରେ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ ଖେଳାଯାଇଥିଲା । ସେତେବେଳେ ଭାରତ ଗସ୍ତରେ ଆସିଥିଲା ପାକିସ୍ତାନ । ସେହିଭଳି ଭାରତ ଶେଷଥର ପାଇଁ ୨୦୦୮ରେ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଗସ୍ତ କରିଥିଲା । ଏହାପରଠାରୁ ଦୀର୍ଘ ୧୪ ବର୍ଷ ହେବ ପାକିସ୍ତାନ ଗସ୍ତରେ ଯାଇନାହିଁ ଟିମ୍ ଇଣ୍ଡିଆ ।

 


Share It

Comments are closed.