ପାକିସ୍ତାନରେ କରୋନା ସଂକ୍ରମିତଙ୍କୁ ବେଡରେ ବାନ୍ଧି ମରିବା ପାଇଁ ଛାଡିଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ, ଭିଡିଓ ଭାଇରାଲ


ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ କିନ୍ତୁ ପାକିସ୍ତାନରେ ଏହାର ସମାନ ବିପରୀତ ଘଟଣା ଦେଖିବାକୁ ମିଳିଛି । ସେଠାରେ ରୋଗୀଙ୍କୁ ହସ୍ପିଟାଲର ବେଡରେ ବାନ୍ଧି ମରିବା ପାଇଁ ଛାଡି ଦିଆଯାଉଛି । ନିକଟ କିଛି ଦିନ ତଳେ ଲାହୋରସ୍ଥିତ ମୟୋ ହସ୍ପିଟାଲରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଭିଡିଓ ଅନୁଯାୟୀ ଜଣେ ୭୩ ବର୍ଷୀୟ ବ୍ୟକ୍ତିଙ୍କ ହାତଗୋଡକୁ ହସ୍ପିଟାଲ ବେଡରେ ବାନ୍ଧି ଦିଆଯାଇଛି । ସେ କଷ୍ଟ, ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ସେଠାରେ ଉପସ୍ଥିତ ଥିବା ଡାକ୍ତର କିମ୍ବା ଅନ୍ୟ କର୍ମଚାରୀମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ । ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଉକ୍ତ ବ୍ୟକ୍ତି ଜଣକ ପ୍ରାଣ ହରାଇଥିବାର ଜାଣିବାକୁ ମିଳିଛି ।
ପ୍ରକାଶ ଥାଉକି, ପାକିସ୍ତାନରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୦୮ ଛୁଇଁଥିବାବେଳେ ଅନ୍ୟପଟେ ଦେଶର ସବୁଠାରୁ ବଡ ରାଜ୍ୟ ପଞ୍ଜାବରେ ଏହାର ସଂଖ୍ୟା ୧,୦୦୦ ପାର କରିସାରିଲାଣି । ପାକିସ୍ତାନରେ ବର୍ତ୍ତମାନ ସୁଧା ଏହି ଭାଇରସର ସଂକ୍ରମଣରେ ୪୦ ଜଣଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ୧୩୦ ଜଣ ସୁସ୍ଥ ହୋଇ ସାରିଲେଣି ।


Share It

Comments are closed.