ଆନ୍ଦୋଳନରତ ଆଉ ଜଣେ ଚାଷୀଙ୍କର ହେଲା ମୃତ୍ୟୁ, ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ


ସିଂଘୁ ସୀମାରେ ଭୀଷଣ ଥଣ୍ଡାରେ କୃଷକଙ୍କ ଧାରଣା ଜାରି ରହିଛି। ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଧାରଣା ଦେଇଛନ୍ତି। ଧାରଣା ସମୟରେ ଚାଷୀଙ୍କ ମୃତ୍ୟୁ ସିଲସିଲା ମଧ୍ୟ ଜାରି ରହିଛି। ଧାରଣା ସମୟରେ ଅନେକ ଚାଷୀ ଜୀବନ ହାରିଛନ୍ତି। ବୁଧବାର ଦିନ ଆଉ ଜଣେ ଆନ୍ଦୋଳନରତ ଚାଷୀଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଛି। ସେ ୩ ଦିନ ପୂର୍ବରୁ ପଞ୍ଜାବରୁ ଆସିଥିଲେ। ସିଂଘୁ ସୀମାରେ ୫ ଓ ଟୀକରି ସୀମାରେ ୬ ଚାଷୀଙ୍କ ମୃତ୍ୟୁ ହୋଇସାରିଛି।

ଚାଷୀଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, ଭୀଷଣ ଥଣ୍ଡା ଓ ହୃଦଘାତ ଯୋଗୁଁ ଚାଷୀଙ୍କ ମୃତ୍ୟୁ ହୋଇଛି। ପରିବାରଲୋକ ସରକାରଙ୍କୁ ଆର୍ଥିକ ସହାୟତା ଦାବି କରିଛନ୍ତି। ମୃତକଙ୍କ ପରିବାର ଲୋକ କହିଛନ୍ତି ଯେ ଚାଷୀଙ୍କ ପାଖରେ ୨ ଏକର ଜମି ଥିଲା ଓ ତାଙ୍କ ମୁଣ୍ଡରେ ଋଣ ମଧ୍ୟ ଥିଲା। ସରକାର ପୀଡିତ ପରିବାରକୁ ସାହାଯ୍ୟ କରିବା ଉଚିତ।

ସୂଚନାଯୋଗ୍ୟ ଯେ, ପଞ୍ଜାବ ପଟିଆଲାର ସୌହଲି ଗାଁରେ ରହୁଥିବା ପାଲ ସିଂହ ଡିସେମ୍ବର ୧୩ ତାରିଖରେ ସିଂଘୁ ଧାରଣାସ୍ଥଳକୁ ଆସିଥିଲେ। ତାଙ୍କ ସହ ତାଙ୍କର କିଛି ସାଥି ମଧ୍ୟ ଥିଲେ। ମଙ୍ଗଳବାର ରାତିରେ ଖାଇବା ପରେ ସେ ଟ୍ରାକ୍ଟର ଟ୍ରଲିରେ ଯାଇ ଶୋଇପଡିଲେ। କିଛି ପରେ ଯେତେବେଳେ ଅନ୍ୟ ସାଥିମାନେ ଶୋଇବାକୁ ଆସିଥିଲେ ସେତେବେଳେ ତାଙ୍କର ଚେତା ନଥିଲା। ସେମାନେ ତୁରନ୍ତ ଡାକ୍ତରଙ୍କୁ ଡାକିଥିଲେ କିନ୍ତୁ ସେତେବେଳେ ବିଳମ୍ବ ହୋଇଯାଇଥିଲା। ଡାକ୍ତର ଆସିବା ପୂର୍ବରୁ ପାଲ ସିଂହଙ୍କ ଜୀବନ ଚାଲିଯାଇଥିଲା। ଏହାପରେ ସେମାନେ କୁଣ୍ଡଳୀ ଥାନା ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା। ବୁଧବାର ଦିନ ତାଙ୍କର ପୋଷ୍ଟ ମର୍ଟମ୍ କରାଯାଇଥିଲା। ଅପରପକ୍ଷରେ ଧାରଣାସ୍ଥଳୀରେ ଆଉ ଦୁଇଜଣ ଚାଷୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ବିଗିଡି ଯାଇଥିଲା। ସାଥିମାନେ ଏ ସମ୍ପର୍କରେ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇ ଆମ୍ବୁଲାନ୍ସ ଆସି ଅସୁସ୍ଥ ଚାଷୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛି।


Share It

Comments are closed.