ଇଣ୍ଡିଆ ମାଇନିଂ କନକ୍ଲେଭ୍ ୨୦୧୯ ଉଦଯାପିତ

ଭୁବନେଶ୍ୱର: ଖଣି ନିଲାମ ପ୍ରକ୍ରିୟାରେ ମଂଜୁରି ହସ୍ତାନ୍ତର ବିଷୟକୁ ସାମିଲ କରିବା ପାଇଁ ଖଣି ଶିଳ୍ପ ଦାବି କରିଛି । ନିଲାମ ହେବାକୁ ଯାଉଥିବା ଖଣିଗୁଡ଼ିକ ପାଖରେ ଥିବା ଜଙ୍ଗଲ ମଂଜୁରି ଓ ପରିବେଶ ମଂଜୁରି ଯେଭଳି ସୁବିଧାରେ ନୂତନ କଂପାନି ପାଖକୁ ହସ୍ତାନ୍ତର ହୋଇପାରିବ ସେଥିପାଇଁ ବ୍ୟବସ୍ଥା କରିବାକୁ ଖଣି ଶିଳ୍ପ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି ।
ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ ହୋଟେଲ୍ ମେ’ଫେୟାର କନ୍ଭେନ୍ସନ୍ରେ ଆୟୋଜନ କରାଯାଇଥିବା ଦୁଇଦିନିଆ ଇଣ୍ଡିଆନ ମାଇନିଂ କନ୍କ୍ଲେଭ ୨୦୧୯ର ଉଦ୍ଯାପନୀ ଉତ୍ସବରେ ଯୋଗ ଦେଇ ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ଇସ୍ପାତ ଓ ଖଣି କମିଟିର ସଂଯୋଜକ ମନିଷ ଖରବନ୍ଦା କହିଛନ୍ତି ଯେ, ନିଲାମ ବେଳେ ସୁବିଧାରେ ଯେଭଳି ସବୁ ପ୍ରକାର ମଂଜୁରି ନୂତନ ଖଣି ଲିଜ୍ଧାରୀଙ୍କ ପାଖରେ ପହଂଚିବ ସେହି ବ୍ୟବସ୍ଥା କରିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଉ ।
ସେ କହିଲେ, “ନିଲାମ ପ୍ରକ୍ରିୟାରେ ଜଙ୍ଗଲ ଓ ପରିବେଶ ମଂଜୁରି ସାମିଲ କରାଯିବା ଦରକାର । ଏହା ହେଲେ ନୂତନ ଭାବେ ଯେଉଁ ସଂସ୍ଥା ଖଣି ପାଇବ ତାହା ସଙ୍ଗେ ସଙ୍ଗେ ଉତ୍ପାଦନ ଆରମ୍ଭ କରିପାରିବ । ଅନ୍ୟଥା ଏହି ସବୁ ମଂଜୁରି ହାସଲ କରିବା ଲାଗି ନୂଆ କଂପାନିକୁ ୩-୫ ବର୍ଷ ସମୟ ଲାଗିଯିବ । ବର୍ତମାନର ଯେଉଁ ନିୟମ ରହିଛି ସେହି ଅନୁସାରେ ଖଣି ଲିଜ୍ ମିଳିବାର ପ୍ରଥମ ଦୁଇ ବର୍ଷ ଉତ୍ପାଦନ ଶୂନ ରହିବ । ସେଭଳି ହେଲେ ଏକ ନୂତନ ଖଣିକୁ କାର୍ଯ୍ୟକ୍ଷମ କରିବା ଲାଗି ୫-୬ ବର୍ଷରୁ ଅଧିକ ସମୟ ଲାଗିଯିବ । ଓଡ଼ିଶାରେ କାର୍ଯ୍ୟକ୍ଷମ ଥିବା ୨୧ଟି ଖଣିର ଲିଜ୍ ଅବଧି ୨୦୨୦ ମାର୍ଚ୍ଚର୍ ୩୧ରେ ଶେଷ ହେବାକୁ ଯାଉଛି । ଏହି ସବୁ ଖଣିରେ ବର୍ଷକୁ ୬୦ ନିୟୁତ ଟନ୍ ଖଣିଜ ଉତ୍ପାଦନ କରାଯାଉଛି । ଯଦି ଜଙ୍ଗଲ ଓ ପରିବେଶ ମଂଜୁରି ଠିକ୍ ସମୟରେ ହସ୍ତାନ୍ତର ହୋଇନପାରିବ ତେବେ ଏହି ସବୁ ଖଣିରେ ଉତ୍ପାଦନ ବନ୍ଦ ହୋଇଯିବ ଯାହା ରାଜ୍ୟରେ ଥିବା ଧାତୁ ଖଣିଜ କଂପାନି ଲାଗି କଂଚାମାଲ ସମସ୍ୟା ସୃଷ୍ଟି କରିବ ।’’
କୋଇଲା ଖଣି ନିଲାମରେ ଯେଉଁ ପ୍ରକ୍ରିୟା ଅବଲମ୍ବନ କରାଯାଉଛି ଯେହି ନିୟମକୁ ଅଣ କୋଇଲା ଖଣି ନିଲାମ ବେଳେ ଲାଗୁ କରିବାକୁ ସେ ଦାବି କରିଛନ୍ତି । କୋଇଲା ଖଣି ନିଲାମରେ କଂପାନିର କାରବାର ପରିମାଣକୁ ବିଚାରକୁ ନେଇ ଖଣି ଦିଆଯାଉଛି । ମାତ୍ର ଅଣ କୋଇଲା ଖଣିରେ ସେହି ବ୍ୟବସ୍ଥା ନାହିଁ । ଏକ୍ଷେତ୍ରରେ କମ୍ କାରବାର କରୁଥିବା ଏକ କଂପାନି ବାରମ୍ବାର ଖଣି ନିଲାମରେ ଭାଗ ନେଇ ଅଧିକ ଖଣି ପାଇବାର ସୁଯୋଗ ରହିଛି । ଯେହେତୁ ଉକ୍ତ କଂପାନିର କାରବାର ପରିମାଣ କମ୍ ଥିବ ତେଣୁ ତାହା ପାଇଥିବା ଖଣିକୁ ଠିକ୍ ସମୟରେ ବିକଶିତ କରିପାରିବ ନାହିଁ । ଦରକାର ପଡ଼ିଲେ ଉକ୍ତ କଂପାନି ଦେବାଳିଆ ହୋଇଯାଇପାରେ ବୋଲି ସେ କହିଛନ୍ତି ।
ଉତୋଳନ ବିଷୟରେ ମଧ୍ୟ ସେ ଆଲୋଚନା କରି କହିଛନ୍ତି ଯେ, ଦେଶରେ ଗଚ୍ଛିତ ଥିବା ମାତ୍ର ୧୦% ଖଣିଜ ପଦାର୍ଥର ଉତୋଳନ ହେଉଛି । ଏହି ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବା ଦରକାର । ନିମ୍ନ ମାନର ଖଣିଜ ପଦାର୍ଥରେ ମୂଲ୍ୟ ଯୋଗ କରିବା (ବେନିଫିକେସନ) ଉପରେ ମଧ୍ୟ ଖଣିଜ ଶିଳ୍ପ ଅଧିକ ଗୁରୁତ୍ୱ ପ୍ରଦାନ କରିବା ଉଚିତ ବୋଲି ସେ କହିଛନ୍ତି ।
ସେ କହିଲେ, ଭାରତରେ ୧୫୦ ନିୟୁତ ଟନ୍ ନିମ୍ନ ମାନର ଖଣିଜ ପଦାର୍ଥ ଉତ୍ପାଦନ ହେଉଥିବା ବେଳେ ସେଥିରୁ ୮୦ ନିୟୁତ ଟନ୍ ଓଡ଼ିଶାରେ ଉତ୍ପାଦିତ ହେଉଛି । ଯଦି ସେହି ସବୁ ଖଣିଜ ପଦାର୍ଥରେ ମୂଲ୍ୟଯୋଗ କରାଯାଇପାରିବ ତେବେ କିଛି ବର୍ଷ ଭିତରେ ଦେଶରୁ ଲୁହା ପଥର ଅଭାବ ଦୂର ହୋଇପାରିବ । ହେମାଟାଇଟ୍ ଓ ମ୍ୟାଗ୍ନେଟାଇଟ୍ର ବେନିଫିକେସନ୍ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
ଖଣିଜ ପଦାର୍ଥ ପରିବହନ ସମସ୍ୟାକୁ ଦୂର କରିବା ଉପରେ ଧ୍ୟାନ ଦେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଓଡ଼ିଶାରେ ଖଣିଜ ପଦାର୍ଥ ପରିବହନ କରିବାର ଖର୍ଚ ୨୪-୨୫% ରହିଛି । ଇସ୍ପାତ ଓ ସେ ସମ୍ପର୍କିତ ଉତ୍ପାଦର ପରିବହନ ଉପରୁ ଟାରିଫ୍ କମ କରିବା ଲାଗି ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ବନ୍ଦରଗୁଡ଼ିକରେ ଅଧିକ ଭିଡ଼ ରହୁଛି । ତାହାକୁ କମ୍ କରିବା ଲାଗି ବନ୍ଦର ଆଖପାଖର ୫-୧୦ କିମି ଭିତରେ କନଟେନର ଡିପୋ ସ୍ଥାପନ କରିବା ଲାଗି କଂପାନିଗୁଡ଼ିକୁ ଅନୁମତି ଦେବାକୁ ସେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହା ବ୍ୟତୀତ ସ୍ଲରି ପାଇପ୍ଲାଇନ୍ ବିଛାଇବା ଏବଂ ଜଳପଥରେ ଖଣିଜ ପଦାର୍ଥ ପରିବହନ ଲାଗି ବ୍ୟବସ୍ଥା କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଖଣି କାର୍ଯ୍ୟରେ ଡ୍ରୋନ୍ ଓ ଟେଲିମେଟ୍ରି ପ୍ରଯୁକ୍ତିର ବ୍ୟବହାର କରିବା ଉପରେ ମଧ୍ୟ ସେ ଜୋର ଦେଇଛନ୍ତି ।
ଏହି ଅବସରରେ ଆଇସିସି ଓଡ଼ିଶା ଶାଖା ପରିଷଦର ଅଧ୍ୟକ୍ଷ ଏମ୍ ସି ଥୋମାସ ଓ ସହ-ଅଧ୍ୟକ୍ଷ ଜେ ବି ପାଣି ଉପସ୍ଥିତ ଥିଲେ ।

Comments are closed.