ଆଜି ପଦ୍ମପୁର ଉପନିର୍ବାଚନ, ଆରମ୍ଭ ହେଲା ମତଦାନ


ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ପଦ୍ମପୁର ପରୀକ୍ଷା ଆରମ୍ଭ ହୋଇଛି । ବହୁଚର୍ଚ୍ଚିତ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଛି। ନିର୍ବାଚନରେ ବିଜେଡିରୁ ବର୍ଷାରାଣୀ ସିଂ ବରିହା, ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କ ସମେତ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଆଜି ଇଭିଏମ୍‌ରେ ସବୁ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହେବାକୁ ଯାଉଛି । ୮ ତାରିଖରେ ହିଁ ସ୍ପଷ୍ଟ ହେବ କାହାର ପ୍ରତିଶ୍ରୁତି ଓ ଘୋଷଣା କାଟୁ କରିଛି ।

ପଦ୍ମପୁର ଉପନିର୍ବାଚନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ଅପରାହ୍ନ ୪ଟାରେ ଚାଲିବ। ଏହି ନିର୍ବାଚନମଣ୍ଡଳୀର କିଛି ଅଞ୍ଚଳ ମାଓବାଦୀପ୍ରବଣ ହୋଇଥିବାରୁ ମତଦାନ ସମୟ ୧ ଘଣ୍ଟା ହ୍ରାସ କରାଯାଇଛି । ୩୧୯ କେନ୍ଦ୍ରରେ ଭୋଟ୍‌ ଗ୍ରହଣ ହେବ । ମତଦାନ ପରିଚାଳନା ପାଇଁ ୧୨୭୬ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ପ୍ରତି ବୁଥ୍‌ରେ ୪ଜଣ ଅଧିକାରୀ ରହିବା ସହ ୧୨୮ଜଣ ଅଧିକାରୀଙ୍କୁ ସଂରକ୍ଷିତ ରଖାଯାଇଛି ।

୩୧୯ ବୁଥ୍‌ରେ ୨ ଲକ୍ଷ ୫୭ ହଜାର ୪୭୪ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୧ ଲକ୍ଷ ୨୯ ହଜାର ୪୯୭ ପୁରୁଷ ଓ ୧ ଲକ୍ଷ ୨୭ ହଜାର ୯୬୫ ମହିଳା ଭୋଟର ଅଛନ୍ତି । ଶାନ୍ତିଶୃଙ୍ଖଳାର ସହ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ୭୯ଟି ସମ୍ୱେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି । ସେହିପରି ୧୨୦ଟି ବୁଥରେ ୱେବ୍‌କାଷ୍ଟିଂ ବ୍ୟବସ୍ଥା ସାଙ୍ଗକୁ ୬୬ଟି ବୁଥ୍‌ ସିସିଟିଭି ସର୍ଭେଲାନ୍ସରେ ରହିଛିି । ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ୨୦୬ ପୁଲିସ୍‌ ଅଫିସର, ୨୧ ପ୍ଲାଟୁନ୍‌ ସଶସ୍ତ୍ର ବାହିନୀ, ୪୪୫ ହାବିଲଦାର/କନଷ୍ଟେବଳ, ୧୩୨ ଗୃହରକ୍ଷୀଙ୍କୁ ମିଶାଇ ମୋଟ୍‌ ୧୪୧୩ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମଧ୍ୟ ନିୟୋଜିତ ହୋଇଛନ୍ତି । କୌଣସି ବୁଥରେ ଇଭିଏମ୍‌ ଜନିତ ତ୍ରୁଟି ପରିଲକ୍ଷିତ ହେଲେ ଅଧଘଣ୍ଟା ଭିତରେ କିଭଳି ତାହା ପରିବର୍ତ୍ତନ ହୋଇପାରିବ, ସେ ବ୍ୟବସ୍ଥା ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।


Share It

Comments are closed.