ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୨୦ତମ ଦିବସରେ ୬୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ


ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଶନିବାର ଯାତ୍ରାର ୨୦ତମ ଦିବସରେ ୬୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି । ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୪ଟି ପ୍ରମୁଖ ଜିଲ୍ଲା କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା ଏବଂ କେନ୍ଦୁଝର ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୫ଟି କଲେଜ ଏବଂ ଗୋଟିଏ ସ୍କୁଲ ଗସ୍ତ କରି ୪୧୨ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୬୪ଟି ଆଇଡିଆ ସଂଗ୍ରହ କରିଛି ।

ଆଜି ଏହି ଷ୍ଟାର୍ଟଅପ୍ ଯାତ୍ରା କନ୍ଧମାଳ ଜିଲ୍ଲାର ପ୍ରମିଳା ଦେବୀ ଡିଗ୍ରୀ କଲେଜ ପରିଦର୍ଶନ କରିଛି। ଭ୍ୟାନଟି ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ ଇଞ୍ଜିନିୟରିଂ ସ୍କୁଲ, ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଡିଗ୍ରୀ କଲେଜ ଓ ଲକ୍ଷ୍ମୀ ନାରାୟଣ କଲେଜ ପରିଦର୍ଶନ କରିଥିବା ବେଳେ କେନ୍ଦୁଝର ଜିଲ୍ଲାର ସରକାରୀ ମହିଳା ମହାବିଦ୍ୟାଳୟ ଓ ଲକ୍ଷ୍ମୀ ନାରାୟଣ (ଜୁନିୟର) କଲେଜ ପରିଦର୍ଶନ କରିଥିଲା।

ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୭୩ଟି କଲେଜ୍ ଏବଂ ୬୧ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୨୩,୪୫୫ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୨୩୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି ।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଏହାର ଯାତ୍ରାକୁ ଆଗକୁ ବଢ଼ାଇ ଆସନ୍ତା ୧୧ ତାରିଖ (ବୁଧବାର) ସୁନ୍ଦରଗଡ଼ ଏବଂ ଗଞ୍ଜାମ ଜିଲ୍ଲା ଗସ୍ତ କରିବ।

ବୁଧବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ମହିଳା ମହାବିଦ୍ୟାଳୟ, ସରକାରୀ ଡିଗ୍ରୀ କଲେଜ ଓ ପଞ୍ଚାୟତ ସମିତି ଡିଗ୍ରୀ କଲେଜ ପରିଦର୍ଶନ କରିବ। ଯେଵେକି ଗଞ୍ଜାମ ଜିଲ୍ଲାର ଜିଲ୍ଲାର ଗାନ୍ଧୀ ଏକାଡେମୀ ଅଫ୍ ଟେକ୍ନୋଲୋଜି ଆଣ୍ଡ ଇଞ୍ଜିନିୟରିଂ, ରୟାଲ କଲେଜ ଅଫ୍ ଫାର୍ମାସି ଆଣ୍ଡ ହେଲ୍ଥ ସାଇନ୍ସ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ ।


Share It

Comments are closed.