୧୩ ଦିନିଆ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ୍ ୨୦୨୨ ଉଦ୍‌ଘାଟିତ


ଭୁବନେଶ୍ୱର: ଷ୍ଟାର୍ଟଅପ୍ ଅଭିଯାନକୁ ପରବର୍ତୀ ସ୍ତର ପର୍ଯ୍ୟନ୍ତ ପହଂଚାଇବା ଲାଗି ଆଗେଇ ଆସିବାକୁ ଯୁବପିଢ଼ିଙ୍କୁ ଓଇଆର୍‌ସିର ପୂର୍ବତନ ଅଧ୍ୟକ୍ଷ, ଉପେନ୍ଦ୍ର ନାଥ ବେହେରା ଆହ୍ୱାନ ଦେଇଛନ୍ତି । ଏଆଇସି-ନାଳନ୍ଦା, ଷ୍ଟାର୍ଟଅପ୍ ଓଡ଼ିଶା, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ୟୁସିସିଆଇଏଲ୍‌) ଓ ଫ୍ଲୁଇଡ୍ ଭେଂଚର୍ସ ସହଯୋଗିତାରେ ୟୁସିସିଆଇଏଲ୍ ଭୁବନେଶ୍ୱରରେ ଓଡ଼ିଶା ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ୨୦୨୨ର ଉଦଘାଟନ କରାଯାଇଛି । ଉକ୍ତ ସମାରୋହକୁ ସମ୍ବୋଧିତ କରି ଶ୍ରୀଯୁକ୍ତ ବେହେରା କହିଛନ୍ତି ଯେ, ଷ୍ଟାର୍ଟଅପ୍‌ଙ୍କୁ ସାହାଯ୍ୟ କରିବା ଲାଗି ଓଡ଼ିଶାର ଥିବା ସହାୟତା ବ୍ୟବସ୍ଥା ବେଶ ଦୃଢ଼ ଯାହା ରାଜ୍ୟର ବ୍ୟବସାୟ ବାତାବରଣକୁ ଆହୁରି ସହଜ କରିପାରିଛି । ବହୁ ମଂଜୁରି ଏବେ ନିରବଚ୍ଛିନ୍ନ ଭାବେ ମିଳୁଛି ଏବଂ ସେଥିପାଇଁ ଦରକାର ହେଉଥିବା ସମୟ ମଧ୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ବର୍ତମାନ ହେଉଛି ରିସ୍କ ଗ୍ରହଣ କରି ଆଗକୁ ବଢ଼ିବାର ଉପଯୁକ୍ତ ସମୟ ସେଥିପାଇଁ ଅନୁକୂଳ ପରିବେଶ ରହିଛି । ସଫଳତା ପାଇଁ ନବସୃଜନ ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବେଦାନ୍ତର ସଭାପତି, ଡକ୍ଟର ତପନ କୁମାର ଚାନ୍ଦ କହିଥିଲେ ଯେ ନିଜ ବ୍ୟବସାୟକୁ ବ୍ୟାପକ କରିବା ଲାଗି ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ ପ୍ରଯୁକ୍ତିର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଷ୍ଟାର୍ଟଅପ୍‌ଗୁଡ଼ିକ ସେଭଳି ଚିନ୍ତାଧାରା ଉପରେ କାମ କରିବା ଦରକାର ଯାହା ସାଧାରଣ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ସହ ସେମାନଙ୍କୁ ଲାଭ ପ୍ରଦାନ କରିବ । ଦେଶରେ ଥିବା ବିପୁଳ ସଂଖ୍ୟକ ଯୁବପିଢ଼ି ଉପଲବ୍ଧତାର ଲାଭ ଉଠାଇ ସେମାନେ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିବା ଦରକାର । ସଠିକ୍ ସମୟରେ ପାଣ୍ଠି ଓ ବଜାର ହାସଲ ମଧ୍ୟ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଯାହା ଧ୍ୟାନ ଦରକାର କରୁଛି । ନିଜ ଉତ୍ପାଦକୁ ବିଭିନ୍ନ ସ୍ଥାନରେ ପହଂଚାଇବା ଲାଗି ସେମାନଙ୍କୁ ନେଟ୍‌ୱର୍କିଂ ଉପରେ କାମ କରିବାକୁ ପଡ଼ିବ ।
ସ୍ୱାଗତ ଭାଷଣ ପ୍ରଦାନ କରି ୟୁସିସିଆଇଏଲ୍‌ର ସଭାପତି, ଅଶୋକ କୁମାର ସାରଦା କହିଛନ୍ତିଯ, “ଗତ ୬ ବର୍ଷ ଭିତରେ ଷ୍ଟାର୍ଟଅପ୍ ଅଭିଯାନ ସାରା ଦେଶରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି କରିବାରେ ସଫଳ ହୋଇଛି । ଓଡ଼ିଶା ସମେତ ବହୁ ରାଜ୍ୟ ନିଜସ୍ୱ ଷ୍ଟାର୍ଟଅପ୍ ନୀତି ଘୋଷଣା କରିଛନ୍ତି ଯାହା ଆଗକୁ ବଢ଼ିବା ଲାଗି ଷ୍ଟାର୍ଟଅପ୍‌ଗୁଡ଼ିକୁ ଅନୁକୂଳ ପରିବେଶ ପ୍ରଦାନ କରିଛି । ଓଡ଼ିଶା ଷ୍ଟାର୍ଟଅପ୍ ନୀତିର ଏକ ସ୍ୱତନ୍ତ୍ର ଦିଗ ହେଉଛି ଭୁବନେଶ୍ୱରର ଇନଫୋସିଟିରେ ସ୍ଥାପନ କରାଯାଇଥିବା ଓ-ହବ୍ । ଏହି ଅଭିଯାନରେ ସାମିଲ ହେବା ଲାଗି ରାଜ୍ୟ ସରକାର ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି । ଦେଶର ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଲାଗି ଷ୍ଟାର୍ଟଅପ୍ ହେଉଛି ଏକ କ୍ଷେତ୍ର ଯାହା ଦେଶ ଏବେ ଆବଶ୍ୟକ କରୁଛି ।
ଏସାର ମିନ୍‌ମେଟ୍‌ର ଲିମିଟେଡ୍‌ର ନିର୍ଦେଶକ ସଂଜୟ ପଟ୍ଟନାୟକ କହିଛନ୍ତି ଯେ, “ଷ୍ଟାର୍ଟଅପ୍‌କୁ ନେଇ ରାଜ୍ୟଗୁଡ଼ିକର ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶା ଟପ୍ ପରଫରମର୍ ବର୍ଗରେ ସ୍ଥାନ ପାଇବା ଅତ୍ୟନ୍ତ ଖୁସିର ବିଷୟ । କେବଳ ଯୁବପିଢ଼ି ନୁହେଁ ଅଭିଜ୍ଞ ପେସାଦାରମାନେ ମଧ୍ୟ ଷ୍ଟାର୍ଟଅପ୍ ବ୍ୟବସ୍ଥା ପ୍ରତି ଆକର୍ଷିତ ହୋଇଛନ୍ତି । ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ସନ୍ଦର୍ଭରେ ଆମେ ବାଙ୍ଗାଲୋର ଭଳି ସହରରେ ନିବେଶକ ସମ୍ମିଳନୀ ଆୟୋଜନ ବେଳେ ଓଡ଼ିଶାର ସଫଳ ଷ୍ଟାର୍ଟଅପ୍ କାହାଣୀଗୁଡ଼ିକ ବିଷୟରେ ବର୍ଣ୍ଣନା କରିଥିଲୁ । ଆଗାମୀ ଦିନରେ ଓଡ଼ିଶାରୁ ଓୟୋର ରିତେଶ ଅଗ୍ରୱାଲଙ୍କ ଭଳି ରାଜ୍ୟରୁ ବହୁ ସଫଳ ଷ୍ଟାର୍ଟଅପ୍ ଉଦ୍ୟୋଗୀ ବାହାରିବେ । ଉତ୍କର୍ଷ ହାସଲ ଲାଗି ଓଡ଼ିଶାର ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ ଏହି କନ୍‌କ୍ଲେଭ୍ ବିଶେଷ ସହାୟକ ହେବ ବୋଲି ମୁଁ ଆଶା କରୁଛି ।’’
ଲୁମିନସ୍ ଇନଫୋୱେଜ୍‌ର ପ୍ରେସିିଡେଂଟ, ଜୟଶ୍ରୀ ମହାନ୍ତି ନିବେଶକମାନଙ୍କ ସାମ୍ନାରେ ପିଚିଂର ମହତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଛନ୍ତି ଯେ ଓଡ଼ିଶାରେ ୪୫୦ରୁ ଅଧିକ ଷ୍ଟାର୍ଟଅପ୍ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଉଦ୍ୟୋଗୀଙ୍କ ନେତୃତ୍ୱରେ ପରିଚାଳିତ ହେଉଛି ।
ଓଡ଼ିଶା ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ହେଉଛି ଏକ ଦୁଇ ସପ୍ତାହବ୍ୟାପୀ ଲମ୍ବା କାର୍ଯ୍ୟକ୍ରମ ଯାହା ୨୦୨୨ ଜୁଲାଇ ୪ରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ହେଉଛି ଷ୍ଟାର୍ଟଅପ୍‌, ମେଂଟର, ନିବେଶକମାନଙ୍କ ପାଇଁ ରାଜ୍ୟର ସର୍ବବୃହତ ସମାବେଶ ଯାହା ସେମାନଙ୍କୁ ପରସ୍ପରକୁ ଭେଟିବା, ଯୋଡ଼ିହେବା, ନିବେଶ ବିଷୟରେ ଆଲୋଚନା କରିବାର ସୁଯୋଗ ପ୍ରଦାନ କରିବ । ଏଥିରେ ଦେଶର ବିଭିନ୍ନ କ୍ଷେତ୍ରର ନିବେଶକମାନେ ଯୋଡ଼ି ହୋଇଛନ୍ତି । କାର୍ଯ୍ୟକ୍ରମର ଅଂଶସ୍ୱରୂପ ମେଂଟରିଂ, ନିବେଶ ପାଇଁ ପ୍ରସ୍ତୁତ ରହିବା ଓ ପିଚିଂ ଉପରେ ତିନିଟି ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯିବ ।
ସରକାର ଓ ଶିଳ୍ପ ସଂସ୍ଥାର ବହୁ ଅଂଶୀଦାର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଏହି କନ୍‌କ୍ଲେଭ୍ ଜୁଲାଇ ୧୬, ୨୦୦୨ରେ ଏକ ଷ୍ଟାର୍ଟଅପ୍‌-ନିବେଶକ ସମ୍ମିଳନୀ ଓ ଭୁବନେଶ୍ୱରର ଓ-ହବ୍‌ଠାରେ ଏକ ଉଦଯାପନୀ ସମାରୋହ ଆୟୋଜନ ସହ ଶେଷ ହେବ । ଏଥିରେ ବହୁ ସଂଖ୍ୟକ ଷ୍ଟାର୍ଟଅପ୍ ସଂସ୍ଥା ଯୋଡ଼ି ହୋଇଛନ୍ତି ଓ ଷ୍ଟାର୍ଟଅପ୍ ପ୍ରିଭିଲେଜ୍ କ୍ଲବ୍ ପଇଁ ୫୦ ଷ୍ଟାର୍ଟଅପ୍‌ଙ୍କ ନାମ ଘୋଷଣା କରାଯାଇଛି । କନ୍‌କ୍ଲେଭ୍‌ରେ ଭାଗ ନେବା ଲାଗି ଷ୍ଟାର୍ଟଅପ୍‌ଗୁଡ଼ିକ ପଞ୍ଜୀକରଣ କରିଥିଲେ ଯେଉଁ ସୁବିଧା ୨୦୨୨ ଜୁଲାଇ ୩ ପର୍ଯ୍ୟନ୍ତ ଉପଲବ୍ଧ ରହିଥିଲା ।


Share It

Comments are closed.