ପୂଜା ପରେ ପୁଣି ବଢିଲା ଆକ୍ରାନ୍ତଙ୍କ ସଂଖ୍ୟା, ରାଜ୍ୟରେ ୧୫୪୭ ନୂଆ ସଂକ୍ରମିତ ଚିହ୍ନଟ


ସାବଧାନ ହୋଇ ଯାଆନ୍ତୁ, ବିଶେଷଜ୍ଞଙ୍କ ଆଶଙ୍କା ସତ ହେଉଛି । ପୂଜା ପରେ କରୋନା ପୁଣି ବଢୁଛି। ପୂଜାର ୫ ଦିନ ପୂର୍ବରୁ ସବୁଦିନ ୧୫୦୦ରୁ କମ୍‌ ସଂକ୍ରମିତ ହେଉଥିବା ବେଳେ ଏବେ ଲଗାତାର ୨ ଦିନ ହେଲା ସଂକ୍ରମଣ ବଢୁଛି । କରୋନା ସଂକ୍ରମଣ କମିଛି ସତ ମୃତ୍ୟୁରେ ବ୍ରେକ୍‌ ଲାଗୁନି । ୨୪ ଘଣ୍ଟା ରାଜ୍ୟରେ ୩୦ ଟି ଜିଲ୍ଲାରୁ ୧୫୪୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮୯୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬୫୬ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ୬୪୬ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ ଲକ୍ଷ ୮୮ ହଜାର ୬୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୫ ହଜାର ୨୪୭ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଲକ୍ଷ ୭୨ ହଜାର ୦୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୨୯୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୪୫ ଲକ୍ଷ ୦୮ ହଜାର ୦୬୫ ସାମ୍ପୁଲ ଟେଷ୍ଟ୍ ହୋଇଛି।


Share It

Comments are closed.