ସବସିଡି ବାବଦକୁ ପ୍ରାପ୍ୟ ୬୦୩୯ କୋଟି ଟଙ୍କା ତୁରନ୍ତ ପ୍ରଦାନ ପାଇଁ କେନ୍ଦ୍ରକୁ ପତ୍ର ଲେଖିଲେ ଖାଦ୍ୟଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ


କେନ୍ଦ୍ର ସରକାରଙ୍କଠାରୁ ଧାନସଂଗ୍ରହ ବାବଦକୁ ରାଜ୍ୟ ପ୍ରୋଭିଜନାଲ ଓ ଅଗ୍ରୀମ ସବସିଡି ବାବଦକୁ ପାଇବାକୁ ଥିବା ବକେୟା ୬୦୩୯ କୋଟି ଟଙ୍କା ତୁରନ୍ତ ଯୋଗାଇଦେବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଆଜି ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଠାରୁ ଧାନ ସଂଗ୍ରହ ବାବଦକୁ ସବସିଡି ଅର୍ଥ ଠିକ ସମୟରେ ପାଉ ନଥିବାରୁ ଧାନସଂଗ୍ରହ କ୍ଷେତ୍ରରେ ଅସୁବିଧା ଉପୁଜୁଛି । ରାଜ୍ୟରେ ଧାନସଂଗ୍ରହ ନିମନ୍ତେ ଓଡିଶା ରାଜ୍ୟ ଯୋଗାଣ ନିଗମ ୧୫, ୦୦୦ କୋଟି ଟଙ୍କା ବ୍ୟାଙ୍କ ଋଣ କରିଥିବାବେଳେ ସବସିଡି ବାବଦକୁ ପ୍ରାପ୍ୟ ୬୦୩୯ କୋଟି ଟଙ୍କା ଠିକ ସମୟରେ ନ ପାଇବା ଦ୍ୱାରା ନିଗମ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି ଏବଂ ଧାନସଂଗ୍ରହ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ।
ରାଜ୍ୟରେ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ଏବଂ ଅଦ୍ୟାବିଧି ଗତବର୍ଷ ଆଜିର ତାରିଖ ତୁଳନାରେ ୨୨ ପ୍ରତିଶତରୁ ଅଧିକ ଖରିଫ ଧାନସଂଗ୍ରହ କରାଯାଇସାରିଲାଣି । ଅଧିକ ସଂଖ୍ୟାରେ ଚାଷୀ ଧାନ ବିକ୍ରି କରି ସର୍ବନିମ୍ନ ସହାୟକ ମୂଲ୍ୟର ଲାଭ ପାଇପାରିଛନ୍ତି । ରାଜ୍ୟରେ କୃଷି କ୍ଷେତ୍ରରେ ସର୍ବାଧିକ ଲୋକ ନିୟୋଜିତ ହୋଇଥିବାବେଳେ ଏହା ଲକ୍ଷ ଲକ୍ଷ ଚାଷୀଙ୍କ ଆୟବୃଦ୍ଧିରେ ସହାୟକ ହୋଇପାରିବା ସହିତ କୃଷି ତଥା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରୁଛି । ଧାନ ସଂଗ୍ରହ କ୍ଷେତ୍ରରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯିବା ସହ ଧାନ ବିକ୍ରିଲବ୍ଧ ଅର୍ଥ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅନଲାଇନ ମାଧ୍ୟମରେ ସିଧାସଲଖ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଛନ୍ତି ।
କୋଭିଡ-୧୯ ଭଳି ଅସ୍ୱାଭାବିକ ସ୍ଥିତିରେ ମଧ୍ୟ ରାଜ୍ୟ ସରକାର ଦୂରଦୂରାନ୍ତ ଏବଂ ଅଗମ୍ୟ ଅଞ୍ଚଳଗୁଡିକର ଚାଷୀଙ୍କଠାରୁ ଧାନସଂଗ୍ରହ କରିପାରିଛି । ଏଥି ସହିତ କୋଭିଡ-୧୯ ଯୋଗୁଁ ପ୍ରଭାବିତ ଦେଶର ଅର୍ଥନୀତିର ପୁନରୁଦ୍ଧାର ଦିଗରେ କୃଷି ବିଶେଷ ଭୂମିକା ରହିଥିବାରୁ କେନ୍ଦ୍ର ସରକାର କୃଷି କ୍ଷେତ୍ରକୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବା ଉଚିତ ବୋଲି କହିଛନ୍ତି ।
ଏଥି ସହିତ ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଚଳିତ ଖରିଫ ଋତୁ ୨୦୨୦-୨୧ରେ ରାଜ୍ୟରୁ ଗତବର୍ଷ ତୁଳନାରେ ୫୦ ପ୍ରତିଶତ ଉଷୁନା ଚାଉଳ ଉଠାଣ ଏବଂ ରବି ଋତୁରେ କେବଳ ଅରୁଆ ଚାଉଳ ସଂଗ୍ରହ କରିବ ବୋଲି ଜଣାଇଥିବା ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସଂଶୟ ବ୍ୟକ୍ତ କରିଛନ୍ତି ।
୨୦୦୩-୦୪ ଖରିଫ ବିପଣନ ବର୍ଷଠାରୁ ରାଜ୍ୟ ସରକାର ବିକେନ୍ଦ୍ରୀକରଣ ସଂଗ୍ର ବ୍ୟବସ୍ଥାରେ ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ ଚାଷୀମାନଙ୍କଠାରୁ ସିଧାସଳଖ ଧାନସଂଗ୍ରହ କରୁଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଓଡିଶା କେନ୍ଦ୍ରୀୟ ଖାଦ୍ୟ ଭଣ୍ଡାରକୁ ଚତୁର୍ଥ ସର୍ବାଧିକ ଖାଦ୍ୟଶସ୍ୟ ଯୋଗାଣକାରୀ ରାଜ୍ୟର ମାନ୍ୟତା ହାସଲ କରିଛି । ଓଡିଶା ମୁଖ୍ୟତଃ ଏକ ଉଷୁନା ଚାଉଳ ବ୍ୟବହାରକାରୀ ରାଜ୍ୟ ଅଟେ । ରାଜ୍ୟର ୩୦ଟି ଜିଲ୍ଲାରୁ ମାତ୍ର ୬ଟି ଜିଲ୍ଲାର ଲୋକମାନେ ଅରୁଆ ଚାଉଳ ଖାଇ ଥାଆନ୍ତି । ରାଜ୍ୟରେ ଅଧିକାଂଶ ଧାନ ମିଲ କେବଳ ଉଷୁନା ଚାଉଳ ପ୍ରସ୍ତୁତ କରିଥାଆନ୍ତି । ରବି ଋତୁରେ ଭାରତୀୟ ଖାଦ୍ୟ ନିଗମ କେବଳ ଅରୁଆ ଚାଉଳ ଉଠାଣ ଓ ଚଳିତ ଖରିଫରେ ଗତବର୍ଷ ତୁଳନାରେ କେବଳ ୫୦ ଭାଗ ଉଷୁନା ଚାଉଳ ଉଠାଣ ବ୍ୟବସ୍ଥାକୁ ରାଜ୍ୟରୁ ବିଶେଷ ଭାବରେ କ୍ଷତିଗ୍ରସ୍ତ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।


Share It

Comments are closed.