ଓଡ଼ିଶା ନାଭାଲ୍ ଟାଟା ହକି ତୃଣମୂଳ ଲିଗ୍ ଚାମ୍ପିଅନ୍‌ସିପ୍ ୨୦୨୪ ଉଦଯାପିତ

ବାଳକ ବର୍ଗରେ ଏଚଟିସି ରାଜଗାଙ୍ଗପୁର ବିଜେତା ହୋଇଥିବା ବେଳେ ବାଳିକା ବର୍ଗରେ ଏଚଟିସି ଲାଠିକଟା ବିଜେତା


ଭୁବନେଶ୍ୱର, ଜୁଲାଇ ୧୨, ୨୦୨୪: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ୍ ଚାମ୍ପିଅନଶିପ୍ ୨୦୨୪ର ଚତୁର୍ଥ ସଂସ୍କରଣ ଶୁକ୍ରବାର ଉଦଯାପିତ ହୋଇଯାଇଛି ।

ଓଡ଼ିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଂଟର (ଏଚପିସି) ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାର ମୂଳ ଲକ୍ଷ୍ୟ ହେଉଛି ଯୁବ ହକି ପ୍ରତିଭାଙ୍କୁ ରାଜ୍ୟବ୍ୟାପୀ ପ୍ରୋତ୍ସାହିତ କରିବା ସହ ଭବିଷ୍ୟତ ପ୍ରତିଯୋଗିତା ପାଇଁ ଦକ୍ଷ ଖେଳାଳି ସୃଷ୍ଟି କରିବା । ଏହି ଉଦଯାପନୀ ପ୍ରତିଯୋଗିତାରେ ବାଳକ ବର୍ଗରେ ଏଚଟିସି ରାଜଗାଙ୍ଗପୁର ବିଜେତା ହୋଇଥିବା ବେଳେ ବାଳିକା ବର୍ଗରେ ଏଚଟିସି ଲାଠିକଟା ବିଜେତା ହୋଇଛନ୍ତି ।

ଏହି ଉଦଯାପନୀ ଉତ୍ସବରେ ଅଲିମ୍ପିଆନ୍ ତଥା ହକି ଇଣ୍ଡିଆର ସଭାପତି ଶ୍ରୀ ଦିଲୀପ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଅଲିମ୍ପିଆନ୍ ବୀରେନ୍ଦ୍ର ଲାକ୍ରା, ରୋସନ ମିଞ୍ଜ, ସୁନୀତା ଲାକ୍ରା ଓ ଲିଲିମା ମିଞ୍ଜଙ୍କ ସମେତ ଅନ୍ତର୍ଜାତୀୟ ଖେଳାଳି ଷ୍ଟାନଲି ଭିକ୍ଟର ଓ ଦୀପସାନ୍ ତିର୍କୀ, ଭୁବନେଶ୍ୱରସ୍ଥିତ ଓଡ଼ିଶା ନାଭାଲ୍ ଟାଟା ହକି ହାଇପରଫର୍ମାନ୍ସ ସେଂଟରର ପ୍ରକଳ୍ପ ନିର୍ଦେଶକ ତଥା ଟାଟା ଷ୍ଟିଲର କ୍ରୀଡ଼ା ମୁଖ୍ୟ (ଓଡ଼ିଶା) ରାଜୀବ ସେଠ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଜୁନ୍ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ନୂଆଗାଁ ଓ ଯାଜପୁରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ପ୍ରାରମ୍ଭିକ ପର୍ଯ୍ୟାୟରେ ୩୨ଟି ତୃଣମୂଳ ସ୍ତରର କେନ୍ଦ୍ରରୁ ଉଭୟ ପୁରୁଷ ଓ ମହିଳା ବର୍ଗରେ ଅଂଶଗ୍ରହଣ କରିଥିଲେ । ଜୁଲାଇ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ବର୍ଗରୁ ୮ଟି ଦଳ ଅନ୍ତିମ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି । ଏହି ପର୍ଯ୍ୟାୟରେ ଲିଗ୍‌-ତଥା-ନକଆଉଟ୍ ଫର୍ମାଟରେ ୧୬ଟି ଯୋଗ୍ୟଦଳ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

ତୃଣମୂଳସ୍ତର କେନ୍ଦ୍ରର ଗୁରୁତ୍ୱ ଉପରେ ଆଲୋକପାତ କରି ଅଲିମ୍ପିଆନ୍ ତଥା ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ କହିଛନ୍ତି ଯେ, ‘‘ତୃଣମୂଳ ସ୍ତରର ପ୍ରଶିକ୍ଷଣ କେନ୍ଦ୍ର ଖେଳାଳିମାନଙ୍କୁ ଅନ୍ତର୍ଜାତୀୟ ମାନର ହେବାରେ ସାହାଯ୍ୟ କରୁଛି । ଗ୍ରାମାଞ୍ଚଳର ଖେଳାଳିମାନଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ ରୁପେ ସାଧିତ ହୋଇଛି । ମୋର ବିଶ୍ୱାସ ଆଗାମୀ ଦିନରେ ଅନେକ ଯୁବ ପ୍ରତିଭା ସାମ୍ନାକୁ ଆସିବେ ।’’

ଚାମ୍ପିୟନ୍ସ ଲିଗ୍ କୁ ନେଇ ଖୁସି ବ୍ୟକ୍ତ କରି କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଭାସ୍କର ଜ୍ୟୋତି ଶର୍ମା କହିଛନ୍ତି ଯେ ଆଗାମୀ ଦିନରେ ଅଧିକରୁ ଅଧିକ ପ୍ରତିଯୋଗିତା ଆୟୋଜନ କରାଯିବ ।

ଓଡ଼ିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଂଟର, ଭୁବନେଶ୍ୱରର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଟାଟା ଷ୍ଟିଲର କ୍ରୀଡ଼ା ମୁଖ୍ୟ (ଓଡ଼ିଶା) ରାଜୀବ ସେଠ୍ କହିଛନ୍ତି ଯେ, “ଟାଟା ଷ୍ଟିଲରେ କ୍ରୀଡ଼ା ଏକ ଜୀବନଶୈଳୀ ଏବଂ ଆମେ ସେବା କରୁଥିବା ଗୋଷ୍ଠୀର ଏକ ସଂସ୍କୃତି । କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଏବଂ ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ ହେଉଛି ଏହି ତୃଣମୂଳ ଲିଗ୍ ।’’

ଏହି ଲିଗ୍‌ରେ ପ୍ରାୟ ୨୦୦ ପିଲା ଉଦ୍‌ଘାଟନୀ ମ୍ୟାଚ୍ ରେ ଅଂଶଗ୍ରହଣ କରି ହକି ପ୍ରତି ଅଂଚଳର ଉତ୍ସାହ କୁ ଦର୍ଶାଇଥିଲେ । ଏହି ତୃଣମୂଳ ସ୍ତରର ଲିଗ୍‌ରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା, କ୍ରୀଡ଼ା ହଷ୍ଟେଲ ପ୍ରବେଶ ଏବଂ ହକି ଏଚ୍‌ପିସି ସମେତ ଘରୋଇ ପ୍ରତିଭାମାନଙ୍କ ପାଇଁ ଯୋଗ୍ୟତା ଆଧାରରେ ସୁଯୋଗ ରହିଛି । ଘରୋଇ ଅଧିକାରୀମାନେ ଏହି ପ୍ରତିଯୋଗିତା ଆୟୋଜନ କରି ବାଳିକାମାନଙ୍କୁ ସଶକ୍ତ କରିବା ସହ ଦୁଇଟି ପର୍ଯ୍ୟାୟରେ ୯୦୦ରୁ ଅଧିକ କ୍ରୀଡ଼ାବିତ୍‌ଙ୍କୁ ସହାୟତା କରିଛନ୍ତି । ଏହାବ୍ୟତୀତ ଅମ୍ପାୟାରମାନଙ୍କୁ ହକି ଇଣ୍ଡିଆ ସହ ଯୋଡ଼ି ହେବାର ସୁଯୋଗ ମଧ୍ୟ ମିଳିଛି ।

୨୦୧୯ରେ ଉଦଘାଟିତ ହୋଇଥିବା ଓଡ଼ିଶା ନାଭାଲ ଟାଟା ହକି ଏଚପିସି ହେଉଛି ଟାଟା ଷ୍ଟିଲ ଏବଂ ଟାଟା ଟ୍ରଷ୍ଟର ସହଭାଗିତାରେ ଓଡ଼ିଶା ସରକାରଙ୍କ ଏକ ପଦକ୍ଷେପ । ଏହା ୧୩ଟି ଜିଲ୍ଲାର ୩୧ଟି ତୃଣମୂଳ ସ୍ତରର କେନ୍ଦ୍ରରେ ୩୫୦୦ରୁ ଅଧିକ ୧୭ ବର୍ଷରୁ ଅଧିକ ପ୍ରଶିକ୍ଷଣାର୍ଥୀଙ୍କୁ ୬୧ ଜଣ ଅଭିଜ୍ଞ ପ୍ରଶିକ୍ଷକଙ୍କ ସହ ଯୋଡ଼ିବା କାର୍ଯ୍ୟ କରୁଛି । ଏହି କାର୍ଯ୍ୟକ୍ରମରେ ୬୦:୪୦ ଲିଙ୍ଗ ଅନୁପାତ ବଜାୟ ରଖାଯାଇଛି ଏବଂ ଏଥିରେ ଅଂଶଗ୍ରହଣକାରୀମାନେ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହାବ୍ୟତୀତ ଓଏନଟିଏଚପିସି ଦ୍ୱାରା ତାଲିମପ୍ରାପ୍ତ ୬୦ ଜଣ ବୈଷୟିକ ଅଧିକାରୀ ଏବେ ରାଜ୍ୟ ଓ ଜାତୀୟ ସ୍ତରର ହକି ଟୁର୍ଣ୍ଣାମେଂଟ୍ ଆୟୋଜନ କରୁଛନ୍ତି ।


Share It

Comments are closed.