ରାଜ୍ୟରେ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ଆସିବ ତୃତୀୟ ଲହରୀ


ରାଜ୍ୟରେ ଅଗଷ୍ଟରୁ ଅକ୍ଟୋବର ଭିତରେ ଆସିବ ତୃତୀୟ ଲହରୀ। ତେବେ ତୃତୀୟ ଲହରୀ ପାଇଁ ଆମେ ପ୍ରସ୍ତୁତ ଅଛୁ, ଏଥିପାଇଁ ଯାହା ଆବଶ୍ୟକ ରହିଛି ସେହି କାର୍ଯ୍ୟ କରାଯାଉଛି ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଆମେ ଦ୍ଵିତୀୟ ଲହରୀରୁ ବାହାରି ନାହୁଁ। ଖୋର୍ଦ୍ଧା ଓ କଟକରେ ଦୈନିକ ସଂକ୍ରମଣ ସଂଖ୍ୟା ତିନି ଅଙ୍କ ବିଶିଷ୍ଟ ରହିଛି। ଯେହେତୁ ଏଠାକୁ ଅଧିକ ଲୋକ ଯିବା ଆସିବା କରୁଛନ୍ତି ସେଥିପାଇଁ ଏଠାରେ ଅଧିକ ସଂକ୍ରମଣ ରହୁଛି। ସେପଟେ ଦେଶରେ ୫୪ଟି ଜିଲ୍ଲାରେ ସଂକ୍ରମଣ ବଢିବାରେ ଲାଗିଛି ବୋଲି କେନ୍ଦ୍ର ସରକାର ସତର୍କ ସୂଚନା ଦେଇଛନ୍ତି। ତେବେ ସବୁଠାରୁ ଆଶ୍ଵସ୍ତିକର ବିଷୟ ଯେ, ସଂକ୍ରମଣ ବଢୁଥିବା ଏହି ୫୪ଟି ଜିଲ୍ଲା ମଧ୍ୟରେ ଓଡ଼ିଶାର କୌଣସି ଜିଲ୍ଲା ନାହିଁ।

ସେହିପରି କରୋନାର ତୃତୀୟ ଲହରୀ ପାଇଁ ପ୍ରସ୍ତୁତି ବିଷୟରେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ତୃତୀୟ ଲହରୀ ପୂର୍ବରୁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ଟ୍ରେନିଂ ଦିଆଯାଉଛି। ସର୍ଭିଲାନ୍ସକୁ ଅଧିକ ଗୁରୁତ୍ଵ ଦିଆଯାଉଛି। ଜାତୀୟ ରାଜପଥ କଡ଼ରେ ଥିବା ସ୍ଥାନରେ ସଂକ୍ରମଣ ଅଧିକ ବଢୁଛି। ଯାହାବି ମୃତ୍ୟୁ ସଂଖ୍ୟା ଆସୁଛି ତାହା ଅଡିଟ୍ ରିପୋର୍ଟ। ସେଥିପାଇଁ କିଛି ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।


Share It

Comments are closed.