ଗତ ତିନି ବର୍ଷରେ ନ୍ୟାସନାଲ୍ ବାମ୍ବୋ ମିଶନ୍‌ରେ ଓଡିଶାକୁ ମିଳିଛି ୬.୭୭ କୋଟି – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର – ନ୍ୟାସନାଲ ବାମ୍ବୋ ମିଶନ୍ ଅଧୀନରେ ଗତ ତିନି ବର୍ଷରେ ଓଡ଼ିଶାକୁ ୬.୭୭ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅର୍ଥ ରାଜ୍ୟର ସାମଗ୍ରିକ ବାଉଁଶ କ୍ଷେତ୍ରର ବିକାଶକୁ ଅଧିକ ସୁଦୃଢ଼ କରିବା ସହ ବାଉଁଶ ଶିଳ୍ପର ବୃଦ୍ଧି କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଅମାପ ଜଙ୍ଗଲ ସମ୍ପଦରେ ଭରପୂର ଓଡ଼ିଶାରେ ପ୍ରାକୃତିକ ଜଙ୍ଗଲ ସମ୍ପଦର ଏକ ତୃତୀୟାଂଶ ବାଉଁଶ ରହିଛି । ବାଉଁଶ ଚାଷ ରାଜ୍ୟର ଲୋକମାନଙ୍କ ପାଇଁ ବିଶେଷ କରି ଜନଜାତି ଏବଂ ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କ ଅର୍ଥନୀତି ଏବଂ ଜୀବିକା ସହ ପରିବେଶର ସୁରକ୍ଷାକୁ ସୁନିଶ୍ଚିତ କରିଛି ।
ବଜେଟରେ କୃଷି ଯୋଜନାରେ ମହିଳାଙ୍କ ପାଇଁ ୩୦ ପ୍ରତିଶତ ବ୍ୟବସ୍ଥା ରହିଛି । ନ୍ୟାସନାଲ ବାମ୍ବୋ ମିଶନ୍ ଅଧୀନରେ ଥିବା ଅର୍ଥ ବାଉଁଶ ଚାଷ କ୍ଷେତ୍ରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରି କ୍ଷୁଦ୍ର, ମଧ୍ୟମ, ମହିଳା ଏବଂ ଜନଜାତି ଚାଷୀଙ୍କ ଆୟକୁ ବୃଦ୍ଧି କରିବ ।
ନ୍ୟାସନାଲ ବାମ୍ବୋ ମିଶନ୍ ବଜାରର ଆବଶ୍ୟକତା ଅନୁଯାୟୀ ବାଉଁଶ କାରିଗରୀ ମାନଙ୍କ ଦକ୍ଷତା ବିକାଶ କରିବା ଦିଗରେ କାର୍ଯ୍ୟ କରୁଛି । ଏହି ମିଶନ କୃଷକଙ୍କ ଆୟକୁ ବୃଦ୍ଧି କରିବା ସହ ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବାରେ ବିଶେଷ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟ୍ୱିଟ୍ କରିଛନ୍ତି ।


Share It

Comments are closed.