ଆୟୁସଙ୍କ ଅଭିନବ ଉଦ୍ଭାବନ, ବେଲ ପତ୍ରରେ କଲେ ସ୍ମାର୍ଟଫୋନର ର‌୍ୟାଡିଏସନ କମ


ଆଧୁନିକତାକୁ ତାଳ ଦେଇ ଗତି କରିବା ସହିତ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ଦେଖିବାକୁ ମିଳୁଛି । ଏହି ସ୍ମାର୍ଟଫୋନ ଯୋଗୁଁ ଆଜି ଘରୁ ଘରୁ କାଲକୁଲେଟର, ଘଣ୍ଟା ଏବଂ କ୍ୟାଲେଣ୍ଡର ଇତ୍ୟାଦି ଲୋପ ପାଇଗଲାଣି । କିନ୍ତୁ ଏହାର ସୁଫଳ ରହିବା ସହିତ ଏହାର କୁପ୍ରଭାବ ମଧ୍ୟ ରହିଛି । ଏଥିରୁ ନିର୍ଗତ ହେଉଥିବା ର‌୍ୟାଡିଏସନ ଶରୀର ପାଇଁ ଖୁବ ଖରାପ । ଏହା ସମସ୍ତେ ଜାଣିଲେ ମଧ୍ୟ ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ଏଥି ପ୍ରତି ସଚେତନତା ପରିଲକ୍ଷିତ ହେଉନାହିଁ । ଏହାର ପ୍ରଭାବ ଆଖି,କାନ, ନାକ ଏବଂ ମସ୍ତିଷ୍କ ଉପରେ ପଡିଥାଏ । ସାଧାରଣତଃ ର‌୍ୟାଡିଏସନ ୦.୫ଟେଲସାରୁ କମ ରହିବା ବେଳେ ବର୍ତ୍ତମାନର ସ୍ମାର୍ଟଫୋନରେ ଏହାର ର‌୍ୟାଡିଏସନ ୧.୩୫ରୁ ୧୦.୬ ରହୁଛି ଯାହା ମାନବ ଶରୀର ପାଇଁ ଖୁବ କ୍ଷତିକାରକ । ପ୍ରତି ସ୍ମାର୍ଟଫୋନର ଓଜନ କେଜି ପ୍ରତି ୧.୬ୱାଟ ରହିବା ଆବଶ୍ୟକ ।
ଏହି ର‌୍ୟାଡିଏସନକୁ କମ କରିବା ପରବିର୍ତ୍ତେ ମୋବାଇଲ ଫୋନର ଉଦ୍ଭାବନ ମାନବ ସମାଜକୁ ବିପଦଗାମୀ କରୁଛି । ଏହି ର‌୍ୟାଡିଏସନକୁ କମ କରିବା ପାଇଁ ଓଡିଶାର ଜଣେ ମେଧାବୀ ଛାତ୍ର ‘ଆୟୁସ ଆଚାର୍ଯ୍ୟ’ ଏକ ଅଭିନବ ଉଦ୍ଭାବନ କରିଛନ୍ତି । ବୟସ ମାତ୍ର ୧୭ ବର୍ଷ କିନ୍ତୁ ତାଙ୍କର ଏହି ନିଆରା ଉଦ୍ଭାବନ ପାଇଁ ସେ ସମଗ୍ର ଓଡିଶାରେ ପରିଚିତ ହୋଇସାରିଲେଣି । ଭୁବନେଶ୍ୱର ସେଣ୍ଟ ଜାଭିର‌୍ୟସ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ର ଆୟୁସ ବହୁ ଉପାୟ ପ୍ରୟୋଗ କରି ଶେଷରେ ବେଲ ପତ୍ରର ବ୍ୟବହାର କରି ସ୍ମାର୍ଟଫୋନ ର‌୍ୟାଡିଏସନ କମ କରିବାରେ ସଫଳ ହୋଇଥିଲା । ସେ ପିଲାଦିନରୁ ହିଁ ନିଜର ବିଜ୍ଞାନ ପ୍ରୋଜେକ୍ଟରେ ନୂତନ ନୂତନ କାର୍ଯ୍ୟକରିବାକୁ ପସନ୍ଦ କରୁଥିଲେ । ଏହା ତାଙ୍କ ଇଚ୍ଛା ଶକ୍ତିର ଫଳାଫଳ ବୋଲି ତାଙ୍କ ଅଭିଭାବକ ଏବଂ ପରିବାର ବର୍ଗ କହିଛନ୍ତି ।
ଆୟୁସଙ୍କ କହିବା ଅନୁସାରେ ବେଲ ପତ୍ରକୁ ଶୁଖାଇ ଫ୍ଲିପ କଭର ସାଇଜର ଏକ କଭର ପ୍ରସ୍ତୁତ କରି ଫୋନରେ ଲଗାଇବା ଦ୍ୱାରା ଏହା ସମସ୍ତ ପ୍ରକାରର ର‌୍ୟାଡିଏସନକୁ ନିୟନ୍ତ୍ରଣ କରିପାରିବ । ଏହା ବ୍ୟୟସାପେକ୍ଷ ଏବଂ ସହଜରେ ଉପଲବ୍ଧ ହୋଇପାରିବା ପରି ଉତ୍ପାଦ । ଏହାକୁ ଆପଣ ବ୍ୟାକ କଭର ସହିତ ମିଶାଇ ବ୍ୟବହାର କରିପାରିବେ ଏହା କଭରକୁ କୌଣସି ପ୍ରକାରର କ୍ଷତି କରିବ ନାହିଁ । ସେ ଏହାର ଶ୍ରେୟ ତାଙ୍କର ଶିକ୍ଷୟତ୍ରୀ ରାଜଶ୍ରୀଙ୍କୁ ଦେବାକୁ ଚାହୁଁଛନ୍ତି ଯେ ତାଙ୍କୁ ସହଜରେ ଉପଲବ୍ଧ ହେଉଥିବା ଉତ୍ପାଦରେ ଏହି ଉପକରଣ ପ୍ରସ୍ତୁତ ପାଇଁ ପ୍ରୋତ୍ସାହିତ କରିଥିଲେ ।
ସେ ୪ବର୍ଷ ଧରି ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି । ସେ ପୁରସ୍କାର ଏବଂ ସମ୍ମାନର ମଧ୍ୟ ଅଧିକାରୀ ହୋଇସାରିଲେଣି । ଆୟୁସ ପ୍ରଥମେ ବିଭିନ୍ନ ପ୍ରକାରର ବେଲପତ୍ରକୁ ନେଇ ଥଣ୍ଡା ଏବଂ ଗରମ ଲାମିନେସନରେ ପରୀକ୍ଷା କରିଥିଲେ ଏବଂ ପରେ ସବୁ ଲେୟରରେ କିଛି କିଛି ଗୋବର ମିଶ୍ରଣ କରି ଖରାରେ ଶୁଖାଇଥିଲେ । ଏହାକୁ ପ୍ରାୟ ଏକ ସପ୍ତାହ ଧରି ଶୁଖାଇବା ପରେ ସେହି ଶୁଖିଲା ଭାଗକୁ ନିଜ ଫୋନ ମାପରେ କାଟି ବ୍ୟାକ କଭର ପରି ବ୍ୟବହାର କରିଥିଲେ । ଏହା ଇଏମଏଫ ମେସିନ ଦ୍ୱାରା ମାପ ହୋବା ପରେ ସ୍ମାର୍ଟଫୋନର ର‌୍ୟାଡିଏସନ କମ ହୋଇଥିଲା ବୋଲି ପ୍ରମାଣିତ ହୋଇଛି ।
ଖୁବ ବୟସରେ ସଫଳତା ହାସଲ କରିଥିବା ଆୟୁସ ନିଜର କଠିନ ପରିଶ୍ରମ ଏବଂ ଇଚ୍ଛା ଶକ୍ତିବଳରେ ଏହି ସଫଳତା ହାସଲ କରିପାରିଛନ୍ତି । ଏହି ସଫଳତା ତାଙ୍କୁ ଆଗକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ଭବିଷ୍ୟତରେ ଆହୁରି ନୂତନ ଅଭିନବ ଉଦ୍ଭାବନ ପାଇଁ ପ୍ରୋତ୍ସାହିତ କରିବ ।


Share It

Comments are closed.