ରାଷ୍ଟ୍ରିୟ ମର୍ଯ୍ୟଦାର ସହ ସତ୍ୟ ନଗର ଶ୍ମଶାନରେ ହେବ ବିଜୟଙ୍କ ଅନ୍ତିମ ସଂସ୍କାର


ଆରପାରିରେ ବର୍ଷିୟାନ ଅଭିନେତା ବିଜୟ ମହାନ୍ତି । ୭୦ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଯାଇଛି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ପୁଣି ଥରେ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଗତ ମେ ମାସରେ ଛାତିରେ ଯନ୍ତ୍ରଣା କାରଣରୁ ବିଜୟ ମହାନ୍ତିଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା କରାଯାଉଥିଲା । ଜୁନ୍ ୧୪ରେ ହାଇଦ୍ରାବାଦରୁ ଭୁବନେଶ୍ୱର ଫେରି କେୟାର ହସ୍ପିଟାଲରେ ଚିକିତ୍ସା ହେଉଥିଲେ ବିଜୟ । ଆଜି ଡାକ୍ତରଖାନାରୁ ବିଜୟଙ୍କ ମରଶରୀର ତାଙ୍କ ବାସ ଭବନକୁ ନିଆଯିବ । ସେଠାରୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ନିଆଯିବ ଶେଷ ଦର୍ଶନ ପାଇଁ । ଶେଷ ଦର୍ଶନ ପରେ ସତ୍ୟ ନଗର ସ୍ମସାନରେ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ଅନ୍ତିମ ସଂସ୍କାର କରାଯିବ ।

ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ସିନେ ତାରକାଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର‌୍ୟ୍ୟନ୍ତ ଅନେକ ବିଶିଷ୍ଟ ବ୍ୟକ୍ତି ଟ୍ୱିଟ କରି ଶୋକବ୍ୟକ୍ତ କରିଛନ୍ତି । ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି । ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ଅଗଣିତ କଳାପ୍ରେମୀଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି । ଖ୍ୟାତିସମ୍ପନ୍ନ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ ବୋଲି କହିଛନ୍ତି କେନ୍ଦ୍ର ତୈଳ, ପ୍ରାକୃତିକ ବାସ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ମୃତ୍ୟୁରେ ଓଡ଼ିଶା ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା । ବର୍ଷିୟାନ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ବିଜୟ ମହାନ୍ତିଙ୍କ ବିୟୋରେ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ । ତାଙ୍କ ଅନୁପସ୍ଥିତ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଟୁଇଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ।


Share It

Comments are closed.