ଏବେ ଦେହର ଝାଳ କହିବ ଅପରାଧି କିଏ ?


ଅପରାଧ କରିବା ସମୟରେ ଅପରାଧୀଠୁ ନିର୍ଗତ ଝାଳ ତାକୁ ଧରିବାରେ ସହାୟକ ହେବ । ଏପରି କି ଯେଉଁମାନେ ଅପରାଧିରେ ସମ୍ପୃକ୍ତ ଥିବେ ସମସ୍ତଙ୍କୁ ଧରିବା ଏଣିକି ସହଜ ହୋଇପାରିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ମଣିଷର ପ୍ରତି ବର୍ଗଇଞ୍ଚ ଚର୍ମରେ ୬୫୦ଟି ଝାଳଗ୍ରନ୍ଥୀ ରହିଛି । ଅର୍ଥାତ ଆମେ କୌଣସି ବସ୍ତୁ ବା ମଣିଷକୁ ଛୁଇଁଲେ ମଧ୍ୟ ସେଠାରେ କିଛି ପରିମାଣର ଝାଳ ଛାଡିଦେଇଥାଉ । ଫୋନକଲ କରିବା , ରାତ୍ରିଭୋଜନ କରିବା କିମ୍ବା କୌଣସି ଅପରାଧ ଘଟାଇଲେ ଘଟଣାସ୍ଥଳରେ ଝାଳ ରହିବା ସ୍ୱାଭାବିକ କଥା । ତଦନ୍ତକାରୀ ଏହି ଅଦୃଶ୍ୟ ଝାଳକୁ ଚିହ୍ମଟ କରି ଅପରାଧିଙ୍କୁ ଧରିବା ସହଜ ହେବ ବୋଲି ଗବେଷକମାନେ ବିଶ୍ୱାସ କରୁଛନ୍ତି ।
ଆଙ୍ଗୁଠି ଚିହ୍ନ ଭଳି ପ୍ରତ୍ୟେକ ବ୍ୟକ୍ତିର ଝାଳ ଅନ୍ୟ ବ୍ୟକ୍ତିଠାରୁ ପୃଥକ । ଆହୁରି ମଧ୍ୟ ଆମ ଦେହରୁ ଦିନ ତମାମ ଝାଳ ନିର୍ଗତ ହୋଇଥାଏ । ଏତେ କମ ପରିମାଣ ଝାଳ ନିର୍ଗତ ହୁଏ ଯେ, ତାହା ସହଜରେ ଦୃଶ୍ୟ ହୁଏ ନାହିଁ । କୌଣସି ବସ୍ତୁକୁ ଛୁଇଁବା ମାତ୍ରେ ସେଠାରେ ଝାଳ ଚିହ୍ନ ରହିଯାଏ । ଅପରାଧ ସ୍ଥଳରୁ ସଂଗ୍ରହ କରାଯାଇଥିବା ଝାଳକୁ ଅପରାଧିଙ୍କୁ ଧରିବାରେ ସହାୟକ ହୋଇପାରିବ ବୋଲି ଆମେରିକାର ଆଲବାନି ୟୁନିଭର୍ସିଟିର ସହଯୋଗୀ ପ୍ରଫେସର ଜନ ହାଲାମେକ ପ୍ରକାଶ କରିଛନ୍ତି । ଝାଳରେ ଅଧିକ ପରିମାଣରେ ଆମିନୋ ଏସିଡ ଏବଂ ମେଟାବୋଲାଇଟ୍ସ ରହିଥିବାରୁ ଝାଳ ଲାଗିଥିବା ସ୍ଥାନରୁ ଅପରାଧିଙ୍କୁ ଚିହ୍ନଟ କରି ଠାବ କରାଯାଇପାରିବ । ଅପରାଧୀ ଅନୁସନ୍ଧାନକାରୀମାନେ ଅପରାଧ ଘଟିଥିବା ସ୍ଥଳରୁ ଝାଳର ଉପସ୍ଥିତିକୁ ଭଲ ଭାବରେ ଅନୁସଧ୍ୟାନ କଲେ ଉକ୍ତ ଗବେଷଣାର ସୁଫଳ ମିଳିପାରିବ ବୋଲି ହାଲାମେକ ପ୍ରକାଶ କରିଛନ୍ତି । ଅପରାଧୀଙ୍କୁ ଧରିବା ପାଇଁ ଯଥେଷ୍ଟ ଡିଏନଏ ପ୍ରମାଣର ଆବଶ୍ୟକ ପଡିଥାଏ । ଡିଏନଏ ବିଶ୍ଳେଷଣ ପାଇଁ କିଛି ସପ୍ତାହ ବିତିଯାଏ । ଆହୁରୀ ମଧ୍ୟ ଅପରାଧରେ କେତେଜଣ ସମ୍ପୃକ୍ତ ଅଛନ୍ତି, ତାହା ଜାଣିବା କଷ୍ଟକର ହୋଇପଡେ । କିନ୍ତୁ ଅଧୁନା ଝାଳ ଚିହ୍ନଟ ପଦ୍ଧତି ଦ୍ୱାରା ଅପରାଧୀଙ୍କ ସମ୍ପର୍କରେ ଖୁବ ଶୀଘ୍ର ସୂଚନା ମିଳିପାରିବ ବୋଲି ଗବେଷକମାନେ ମତ ଦେଇଛନ୍ତି ।


Share It

Comments are closed.