୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ କମ୍ପାନିରେ ପରିଣତ ହେବାକୁ ଏନ୍‌ଏମ୍‌ଡିସିର ଯୋଜନା


ଭୁବନେଶ୍ୱର: ଦେଶର ସର୍ବବୃ୍‌ହତ ଲୁହାପଥର ଉତ୍ପାଦନକାରୀ ଏନ୍‌ଏମ୍‌ଡିସିର ୬୬ତମ ବାର୍ଷିକ ସାଧାରଣ ବୈଠକ ଏହାର ହାଇଦ୍ରାବାଦ ସ୍ଥିତ କର୍ପୋରେଟ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କମ୍ପାନିର ସିଏମ୍‌ଡି ଅମିତାଭ ମୁଖାର୍ଜୀ (ଅତିରିକ୍ତ ଦାୟିତ୍ୱ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସେ ଅଂଶୀଦାରମାନଙ୍କୁ ସମ୍ବୋଧିତ କରି କମ୍ପାନିର ରେକର୍ଡ ପ୍ରଦର୍ଶନ ଓ ଭବିଷ୍ୟତ ରୋଡମ୍ୟାପ୍ ବିଷୟରେ ଅବଗତ କରିଥିଲେ।
ଶ୍ରୀ ମୁଖାର୍ଜୀ କହିଛନ୍ତି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ଏନ୍‌ଏମ୍‌ଡିସି ୪୫ ନିୟୁତ ଟନ୍‌ର ଉତ୍ପାଦନ ମାଇଲଖୁଂଟ ହାସଲ କରିଛି। ଏଭଳି ଲକ୍ଷ୍ୟ ହାସଲ କରିବାରେ ଏହା ହେଉଛି ପ୍ରଥମ ଲୁହାପଥର କମ୍ପାନି ଏବଂ କମ୍ପାନିର ବିକ୍ରି ୪୪.୪୮ ନିୟୁତ ଟନ୍‌ରେ ପହଂଚିଛି। କମ୍ପାନିର ରାଜସ୍ୱ ୨୧% ବୃଦ୍ଧି ପାଇ ୨୧୨୯୪ କୋଟି ଟଙ୍କା ହୋଇଥିବା ବେଳେ ବିକ୍ରି ପରବର୍ତୀ ଲାଭ ୨% ବୃ୍‌ଦ୍ଧି ପାଇ ୫୬୩୨ କୋଟି ଟଙ୍କା ହୋଇଛି। କମ୍ପାନିର ଇବିଆଇଟିଡିଏରେ ୨୮% ବୃଦ୍ଧି ଘଟିଛି।
ଏନ୍‌ଏମ୍‌ଡିସିର ପରିଚାଳନା ଉତ୍କର୍ଷତା, ଆର୍ଥିକ ଦୃଢ଼ତା ଓ ରଣନୀତି ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୁଖାର୍ଜୀ କହିଛନ୍ତି ଯେ ୨୦୩୦ ସୁଦ୍ଧା ଏକ ୧୦୦ ନିୟୁତ ଟନ୍ କମ୍ପାନିରେ ପରିଣତ ହେବାକୁ ଏନ୍‌ଏମ୍‌ଡିସି ଏକ ମହତ୍ୱକାଂକ୍ଷୀ ଲକ୍ଷ୍ୟ ରଖିଛି। ସେ କହିଛନ୍ତି ଯେ ବିଶ୍ୱରେ ଅସ୍ଥିରତା ସତ୍ୱେ ଉତ୍ପାଦନ ହାର ସ୍ଥିର ରହିଛି ଏବଂ ଭାରତରେ ଲୁହାପଥର ଉତ୍ପାଦନରେ ବୃଦ୍ଧି ହୋଇଥିବା ବେଳେ ଶିଳ୍ପକୁ ଏନଏମଡିସିର ଅବଦାନ ବୃ୍‌ଦ୍ଧି ପାଇ ୨୦୨୩-୨୪ରେ ଏହାର ବଜାର ଅଂଶ ୧୬ ପ୍ରତିଶତରେ ପହଂଚିଛି।
କମ୍ପାନିର ଛତିଶଗଡ଼ ଓ କର୍ଣ୍ଣାଟକରେ ଥିବା ଖଣିରେ ରେକର୍ଡ ବାର୍ଷିକ ଉତ୍ପାଦନ ହୋଇଛି। କମ୍ପାନି ୧୦ ଏମଟିପିଏର ରାପିଡ୍ ୱାଗନ୍ ଲୋଡିଂ ସିଷ୍ଟମ୍ କାର୍ଯ୍ୟକାରୀ କରିଛି। ପଶ୍ଚିମ ଅଷ୍ଟ୍ରେଲିଆରେ ସହାୟକ ସଂସ୍ଥା ଲିଗାସି ଆଇରନ୍ ଲିମିଟେଡ୍ ଜରିଆରେ ମାଉଂଟ୍ ସେଲିଆ ସୁନା ଖଣିର ଶୁଭାରମ୍ଭ କରିଛି। ମଧ୍ୟପ୍ରଦେଶରେ ପନ୍ନା ହୀରା ଖଣିକୁ ମଧ୍ୟ କମ୍ପାନି ଆରମ୍ଭ କରିଛି।
ଶ୍ରୀ ମୁଖାର୍ଜୀ କମ୍ପାନିର ୧୫ ଏମଟିପିଏ ସ୍ଲରି ପାଇପ୍‌ଲାଇନ୍ ଯୋଜନା, କିରାଣ୍ଡୁଲ-କୋଥାଭାଲାସା ରେଳ ଲାଇନ୍‌ର ଦୋହରୀକରଣ କରି ୨୮ ଏମଟିପିଏରୁ ୪୦ ଏମଟିପିଏରେ ପହଂଚାଇବାକୁ ଯୋଜନା ରଖିଛି। ଏଥି ସହିତ କମ୍ପାନି ସୌର ଓ ପବନ ଶକ୍ତି ପ୍ରକଳ୍ପରେ ନିବେଶ କରିବାକୁ ମଧ୍ୟ ଯୋଜନା ରଖିଛି। ଲିଥିୟମ୍ ଓ କୋବାଲଟ ଭଳି ବିରଳ ଖଣିଜକୁ କମ୍ପାନି ସନ୍ଧାନ କରୁଛି। କମ୍ପାନି ସିଏସ୍‌ଆର୍ କ୍ଷେତ୍ରରେ ଶିକ୍ଷା ସହଯୋଗ ଯୋଜନା ଓ ବାଳିକା ଶିକ୍ଷା ଯୋଜନା କାର୍ଯ୍ୟକାରୀ କରି ସକାରାତ୍ମକ ପ୍ରଭାବ ସୃଷ୍ଟି କରିପାରିଛି।


Share It

Comments are closed.