“ଉପରାଷ୍ଟ୍ରପତି ହେବାର ଇଚ୍ଛା” ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ନୀତିଶ, କହିଲେ ବିଜେପି ଡାହା ମିଛ କହୁଛି


ବିହାର ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ୮ମ ଥର ପାଇଁ ଶପଥ ନେଇଛନ୍ତି ନୀତିଶ କୁମାର । ରାଷ୍ଟ୍ରୀୟ ଜନତା ଦଳ ସହ ମହାମେଣ୍ଟ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ହେବାପରେ ସିଧାସଳଖ ବିଜେପିକୁ ଟାର୍ଗେଟ୍‌ ପରେ ଟାର୍ଗେଟ୍‌ କରିଚାଲିଛନ୍ତି ଜେଡିୟୁ ସୁପ୍ରିମୋ । ବିଜେପି ସାଂସଦ ସୁଶୀଲ ମୋଦିଙ୍କ ବୟାନକୁ ଖାରଜ କରି ପାଲଟା ଆକ୍ରମଣ କରିଛନ୍ତି ନୀତିଶ ।

ସୁଶୀଲ ମୋଦି କହିଥିଲେ, ‘ନୀତିଶ କୁମାର ଉପ-ରାଷ୍ଟ୍ରପତି ହେବାକୁ ଚାହୁଁଥିଲେ’ । ଏହାକୁ ଖଣ୍ଡନ କରିବା ସହିତ ନୀତିଶ କୁମାର କହିଛନ୍ତି, ମୋର ଉପ-ରାଷ୍ଟ୍ରପତି ହେବା ପାଇଁ ସେଭଳି କୌଣସି ଇଚ୍ଛା ନଥିଲା । ଏହା ଉଡା ଖବର ଥିଲା’।

ସୂଚନାଯୋଗ୍ୟ, ବିଜେପି ସହ ମେଣ୍ଟରୁ ନୀତିଶ କୁମାର ଓହରିଯିବା ପରେ ବିହାରରେ ରାଜନୈତିକ ମାହୋଲ ସରଗରମ ହୋଇଯାଇଥିଲା । ଏହା ସହିତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଆରଜେଡି ଏବଂ କଂଗ୍ରେସ ମେଣ୍ଟରେ ସରକାର ଗଠନ କରିବାକୁ ଘୋଷଣା କରିଥିଲେ ନୀତିଶ । ବୁଧବାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ମଧ୍ୟ ନେଇଥିଲେ । ତେବେ ଏହାକୁ ନେଇ ବିଜେପି ସାଂସଦ ସୁଶୀଲ ମୋଦି ନୀତିଶ କୁମାରଙ୍କୁ ଟାର୍ଗେଟ୍‌ କରିଥିଲେ । କହିଥିଲେ, ନୀତିଶ କୁମାରଙ୍କ ଉପ-ରାଷ୍ଟ୍ରପତି ଲୋଭ ଥିଲା । ଜେଡିୟୁର ଅନେକ ନେତା ଏ ନେଇ ଦିଲ୍ଲୀରେ ମଧ୍ୟ ପହଞ୍ଚିଥିଲେ । ତାଙ୍କୁ ଉପ-ରାଷ୍ଟ୍ରପତି କରାଗଲାନି ବୋଲି ଏନଡିଏ ମେଣ୍ଟରୁ ଓହରିଗଲେ।

ସୁଶୀଲ ମୋଦିଙ୍କ ବୟାନକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଜବାବ ରଖିଛନ୍ତି । କହିଛନ୍ତି. ‘ଏହା ସମ୍ପୂର୍ଣ୍ଣ ଭାବେ ମିଛ କଥା । ମୋତେ ଉପ-ରାଷ୍ଟ୍ରପତି ପଦବୀ ପାଇଁ କେବେ କୌଣସି ଇଚ୍ଛା ନଥିଲା । ବରଂ ଆମେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲୁ ଏବଂ ଭୋଟ ଦେଇଥିଲୁ । ଏହା ପରେ ଦଳୀୟ ବୈଠକ ଡକାଇଥିଲୁ ଏବଂ ଅଲଗା ହୋଇଥିଲୁ । ସେଭଳି ଯଦି କିଛି ଲାଳସା ଥାନ୍ତା ତେବେ ନିର୍ବାଚନ ପୂର୍ବରୁ ଆମେ ଏନଡିଏ ଠାରୁ ଅଲଗା ହୋଇ ବିପକ୍ଷ ପ୍ରାର୍ଥୀଙ୍କୁ ଭୋଟ ଦେଇଥାନ୍ତୁ’।


Share It

Comments are closed.